ଡାକ୍ତର ମାନଙ୍କ ଆନ୍ଦୋଳନ : ପ୍ରତ୍ୟେକ ଦିନ ୧୦ ଟାରୁ ୧୧ଟା ବହିର୍ବିଭାଗ ବନ୍ଦ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ) : ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ମାନଙ୍କରେ ଅଧାରୁ ଅଧିକ ମଞ୍ଜୁର ପ୍ରାପ୍ତ ଡାକ୍ତରୀ ପଦବୀ ଖାଲି ପଡ଼ିଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ସରକାରଙ୍କୁ ଅବଗତ କରାଇବା ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଫଳରେ ଅହେତୁକ କାର୍ଯ୍ୟର ବୋଝ ଓ ଅସହନୀୟ ଦାୟିତ୍ୱ କାର୍ଯ୍ୟରତ ଡାକ୍ତର ମାନଙ୍କ ଉପରେ ପଡୁଛି। ଏସବୁକୁ ଦୃଷ୍ଟିରେ ରଖି ଓମ୍ସା ପକ୍ଷରୁ ବିଭିନ୍ନ ସମୟରେ ଡାକ୍ତର ପଦବୀ ପୂରଣ ସହିତ ଅନ୍ୟ କିଛି ଦାବି ସରକାରଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲା। କିନ୍ତୁ ସରକାରଙ୍କ ଅଣଦେଖା ଓ ପ୍ରତାରଣା ମନୋଭାବ ଡାକ୍ତର ମାନଙ୍କୁ ବାଧ୍ୟ କରିଛି ଆନ୍ଦୋଳନର ରାସ୍ତା ଆପଣେଇବାକୁ। ଏଥିପାଇଁ ଆଜିଠାରୁ ଆରମ୍ଭ ହୋଇଛି ଡାକ୍ତର ମାନଙ୍କ ଆନ୍ଦୋଳନ।ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା.ଆଶିଷ କୁମାର ପଣ୍ଡାଙ୍କ ନେତୃତ୍ବରେ ଆଜି ସମସ୍ତ ଡାକ୍ତର ଆନ୍ଦୋଳନରେ ଭାଗ ନେଇ ଡାକ୍ତର ଅଭାବ ଓ ଅନ୍ୟାନ୍ୟ ଅନେକ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଆନ୍ଦୋଳନ ଫଳରେ ପ୍ରତ୍ୟେକ ଦିନ ସକାଳ ୧୦ ଟାରୁ ୧୧ଟା ଏକ ଘଣ୍ଟା ସମସ୍ତ ହସ୍ପିଟାଲର ବହିର୍ବିଭାଗ ବନ୍ଦ ରହିବ। ରୋଗୀ ମାନଙ୍କ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଓ ମାନବତା ଦୃଷ୍ଟି କୋଣରୁ ମାତ୍ର ଏକ ଘଣ୍ଟାର ଆନ୍ଦୋଳନ ଅବଧି ରଖାଯାଇଥିବା ବିଷୟ ଡାକ୍ତରମାନେ ଉଲ୍ଲେଖ କରିଥିଲେ। ରୋଗୀ ମାନଙ୍କ ସେବା ମାତ୍ର ଏକ ଘଣ୍ଟା ବନ୍ଦ ରଖୁ ଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଅଧିକାରୀ ଡା.ପଣ୍ଡା ସମସ୍ତ ଜନ ସାଧାରଣ ଓ ରୋଗୀ ମାନଙ୍କ ତରଫରୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।ଏହି ଆନ୍ଦୋଳନ ସମୟରେ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଜାତୀୟ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିବାକୁ ନିଷ୍ପତି ନିଆଯାଇଥିବା ଜଣାପଡିଛି।ଆନ୍ଦୋଳନରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା.ପଣ୍ଡାଙ୍କ ସହିତ ଡ଼ା.ଅନିଲ କୁମାର ବେହେରା,ଡ଼ା.ସନତ କୁମାର ବେହେରା,ଡ଼ା ସୁବ୍ରତ କୁମାର ରାୟ,ଡ଼ା.ଶୁଭ୍ରାଂଶୁ ଶେଖର ବୋଇତାଇ, ଡ଼ା.ଜି.ଆଲେଖ୍ୟା,ଡ଼ା. ଅମ୍ରିତା ସାହୁ,ଡ଼ା.ସପନ କୁମାର ଜାଲି,ମାନବିନା ନାୟକ,ଡ଼ା.ପାର୍ଥସାରଥୀ ସାହୁ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ।


