ଖଇରା ଓ ବାଗୁଡ଼ିରେ ଖଣି ଓ କ୍ରଷର୍ ୟୁନିଟ୍ ଯାଞ୍ଚ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ୍ ଅନ୍ତର୍ଗତ ଖଣି କ୍ଷେତ୍ର ଓ କ୍ରଷର୍ ଇଉନିଟ୍ଗୁଡ଼ିକରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଉପ-ଜିଲ୍ଲାପାଳ, ଖଇରା ତହସିଲଦାର, ଖଣି ଅଧିକାରୀ ସହ ଅନ୍ୟାନ୍ୟ ଅଧିକାରୀମାନଙ୍କ ଦ୍ୱାରା ଏକ ସଂଯୁକ୍ତ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ କ୍ରଷର୍ ୟୁନିଟ ଗୁଡିକରେ ଅବୈଧ ଭାବେ ସଞ୍ଚିତ ଖଣିଜ ସାମଗ୍ରୀ ବିରୁଦ୍ଧରେ ଆଇନାନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଖଣି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବି ଏନ୍ ଏସ ଏସ ର ନିୟମ ୧୬୩ ଉଲ୍ଲଂଘନ ହେଉଛି କି ନୁହେଁ, ତାହାର ମଧ୍ୟ ଯାଞ୍ଚ କରାଯାଇଥିଲା। କ୍ରଷର୍ ଇଉନିଟ୍ଗୁଡ଼ିକରେ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ମାନଦଣ୍ଡ ପାଳନ ହେଉଛି କି ନୁହେଁ, ସେଥିରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଏହାର ଅନ୍ତର୍ଗତ—ଏକମାତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ ସହିତ ଠିକ୍ ଭାବେ ଷ୍ଟକ୍ ରେଜିଷ୍ଟର୍ ରଖାଯାଉଛି କି ନୁହେଁ ଯଥାଯଥ ସୀମା ନିର୍ଦ୍ଧାରଣ ଟ୍ରି ଲାଇନ ରକ୍ଷଣ ୨୪ ଘଣ୍ଟିଆ ସି ସି ଟି ଭି ନିରୀକ୍ଷଣ ବ୍ୟବସ୍ଥା ଅବୈଧ ଖଣିଜ ପରିବହନ ରୋକିବା ଓ ନିରୀକ୍ଷଣକୁ ସୁଦୃଢ଼ କରିବା ପାଇଁ ଖଇରା ବ୍ଲକ୍ର ଦେଉଳଗଡ଼ିଆ, ବାଗେଇପୁର ଓ ହାଣ୍ଡିଆହାଟ ଠାରେ ୩ଟି ଚେକ୍ ପୋଷ୍ଟ୍ ସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ, ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ଦ୍ୱାରା ବାଗୁଡ଼ି ଅଞ୍ଚଳର ଖଣି ଓ କ୍ରଷର୍ ଇଉନିଟ୍ଗୁଡ଼ିକରେ ମଧ୍ୟ ସମାନ ପ୍ରକାରର ଯାଞ୍ଚ କରାଯାଇ, ଖଣି, ପରିବେଶ ଓ ସୁରକ୍ଷା ସମ୍ପର୍କିତ ନିୟମାବଳୀ ପାଳନ ବିଷୟରେ ସମୀକ୍ଷା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଅବୈଧ ଖଣି କାର୍ଯ୍ୟକଳାପ ଓ ନିୟମ ଉଲ୍ଲଂଘନ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରାଯିବା ସହ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୁନରୁଚ୍ଚାରଣ କରାଯାଇଛି।


