ପାରଳା ମହିଳା ସ୍ନାତକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରହିଥିବା ଜିଲ୍ଲାର ଏକମାତ୍ର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୧୧ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଡଃ. ରୀନା ସାହୁ (ଅଧ୍ୟକ୍ଷଙ୍କ) ଅଧ୍ୟକ୍ଷତାରେ ଉତ୍ସାହ ଓ ଉଦ୍ଦୀପନାର ସହ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି କ୍ରୀଡ଼ା ଉତ୍ସବର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରକାରୀ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରିନାଥ ସାହୁ ଯୋଗ ଦେଇ ଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ କ୍ରୀଡ଼ାର ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟରେ ଆଲୋକପାତ କରିଥିଲେ।
ଅଧ୍ୟକ୍ଷା ଡଃ. ରୀନା ସାହୁ କ୍ରୀଡ଼ାର ଉପଯୋଗିତା ଓ କ୍ରିକେଟ୍‌ରେ ମହିଳା ମାନଙ୍କ ଅବଦାନ ସଂପର୍କରେ ଅବଦାନ ପ୍ରତିପାଦନ କରିବାକୁ ଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ। କ୍ରୀଡ଼ା ସଂପର୍କରେ ସଂଯୋଜିକା ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ଓ କ୍ରୀଡ଼ା ପ୍ରଶିକ୍ଷକ ଶ୍ରୀ ସୁକୁମାର ଶତପଥୀଙ୍କ ତତ୍ତ୍ବାବଧାନରେ ଆନୁଷ୍ଠାନିକ ଭାବେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଉଚ୍ଚଡ଼ିଆଁ , ଲମ୍ବଡ଼ିଆଁ , ସମ୍ପ୍ଲେଟ୍ , ଡ଼ିସ୍‌କସ୍‌ ଥ୍ରୋ , ଦୌଡ଼ (୧୦୦ମିଟର ଓ ୨୦୦ ମିଟର) , ଜାଭେଲିନ୍ ଥ୍ରୋ , ରିଲେ ରେସ୍ , ମ୍ୟୁଜିକାଲ୍ ଚେୟାର୍ ଓ ଅନ୍ୟାନ୍ୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏଥିରେ ୧୨୦ରୁ ଉର୍ଦ୍ଧ୍ବ ଛାତ୍ରୀ ଭାଗ ନେଇଥିଲେ। ପରିଶେଷରେ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ପ୍ରିୟଙ୍କା ଜେନା (ଯୁକ୍ତ ୩ ଦ୍ବିତୀୟ ବର୍ଷ) ଚମ୍ପିୟନ୍ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ବରିଷ୍ଠ ଅଧ୍ୟାପିକା ଡଃ. ଭାରତୀ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଶ୍ରୀମତି ବରଦା ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କ୍ରୀଡ଼ା ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ତ‌ଥା ଅଣ-ଶିକ୍ଷକ କର୍ମଚାରୀ ଛାତ୍ରୀମାନଙ୍କ ସହାୟତାରେ କ୍ରୀଡ଼ା ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମାପ୍ତ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ