ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଥିଲା ଏକାଗ୍ରତା ହିଁ ସଫଳତା


ସନ୍ତୋଷ କୁମାର ଦାଶ

ସ୍ଵାମୀ ବିବେକାନନ୍ଦଙ୍କ ପୁଣ୍ୟ ଜୟନ୍ତୀକୁ ସାରା ଦେଶରେ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ। ସ୍ଵାମୀ ବିବେକାନନ୍ଦ ସମସ୍ତ ଭାରତୀୟ ପାଇଁ ଗର୍ବ ଓ ଗୌରବର ପ୍ରତୀକ। ଏହି ମହାନ ଓ ଅଦ୍ୱିତୀୟ ବ୍ୟକ୍ତି ୧୮୬୩ ମସିହା ଜାନୁଆରୀ ୧୨ ତାରିଖ ଦିନ ଆର୍ଯ୍ୟ ଭୂମି ଭାରତର କଲିକତାର ଉତ୍ତର ଭାଗରେ ଥିବା ସିମୁଳିଆ ଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ବିଶ୍ଵନାଥ ଦତ୍ତ ଓ ମାଆଙ୍କ ନାମ ଭୁବନେଶ୍ଵରୀ ଦେବୀ। ବିଶ୍ୱନାଥ ଥିଲେ ଜଣେ ପ୍ରସିଦ୍ଧ ଆଇନଜୀବୀ। ସ୍ଵାମୀ ବିବେକାନନ୍ଦଙ୍କ ପିଲା ଦିନର ନାମ ଥିଲା ନରେନ୍ଦ୍ରନାଥ। ପିଲାଟି ଦିନରୁ ନରେନ୍ (ଡାକ ନାମ) ଥିଲେ ପ୍ରଚଣ୍ଡ ଧୀ ଶକ୍ତିର ଅଧିକାରୀ। ତାଙ୍କର ଅଲୌକିକ ପ୍ରତିଭା ଦ୍ଵାରା ସେ ସମସ୍ତ ଙ୍କୁ ଚମତ୍କୃତ କରି ଦେଉଥିଲେ ଓ ସାଧୁ ସନ୍ଥ ମାନଙ୍କୁ ଦେଖିଲେ ଅତି ଆନନ୍ଦ ଲାଭ କରୁଥିଲେ। ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ କଲେଜ ଶିକ୍ଷା ପାଇଁ ଏକ ପ୍ରବେଶିକା ପରୀକ୍ଷା ଦେଇଥିଲେ। ସେଥିରେ ଉତ୍ତୀର୍ଣ୍ଣ ହୋଇ ନରେନ
କଲିକତା ରେ ଥିବା ବ୍ରିଟିଶ ମିଶନେରୀ ବୋର୍ଡ ଦ୍ଵାରା ପରିଚାଳିତ ମହାବିଦ୍ୟାଳୟ ରେ ଶିକ୍ଷା ଗ୍ରହଣ କରିଥିଲେ। ତାପରେ ସେ ଆଇନ ମହାବିଦ୍ୟାଳୟ ରେ ନାମ ଲେଖାଇଥିଲେ। ଆଇନ ପାଠ ପଢ଼ୁ ଥିବାବେଳେ ତାଙ୍କ ପିତାଙ୍କ ବିୟୋଗ ଘଟିଥିଲା। ଯାହା ତାଙ୍କ ମନରେ ଗଭୀର ଦୁଃଖ ପହଞ୍ଚାଇଥିଲା। ତେଣୁ ସେ ଆଉ ଅଧିକ ଶିକ୍ଷା ଗ୍ରହଣ କରି ପାରିନଥିଲେ। ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା ନିଜ ପରିବାର ଚଳାଇବା ର ବୋଝ। ଏଥିପାଇଁ ସେ ଏକ ସରକାରୀ ଚାକିରି ରେ ଯୋଗ ଦେଇଥିଲେ। କିନ୍ତୁ ହୃଦୟ ତାଙ୍କ ର ଆଧ୍ୟାତ୍ମିକତା ପ୍ରତି ଢଳି ରହୁଥିଲା। ସେ ଚାହୁଁଥିଲେ ତାଙ୍କର ମନ ଆଉ ପ୍ରାଣ କୁ ଭଗବାନ ଙ୍କ ନିକଟରେ ଉତ୍ସର୍ଗ କରି ଦେବା ପାଇଁ। ସେ ଭଗବତ ପ୍ରାପ୍ତି ପାଇଁ ଜଣେ ସଦଗୁରୁ ଙ୍କୁ ମନେ ମନେ ଖୋଜିବାରେ ଲାଗିଲେ ।ସମୟାନୁକ୍ରମେ ତାଙ୍କ ର ରାମକୃଷ୍ଣ ପରମହଂସ ଙ୍କ ସହିତ ସାକ୍ଷାତ ହେଲା। ସେ ବାରମ୍ବାର ଦକ୍ଷିଣେଶ୍ୱର କାଳୀ ମନ୍ଦିର ରେ ତାଙ୍କୁ ସାକ୍ଷାତ କରିବାକୁ ଲାଗିଲେ।ନରେନ ଙ୍କ ଭକ୍ତି, ନିଷ୍ଠା ଓ ବ୍ୟବହାର ରେ ସନ୍ତୁଷ୍ଟ ହୋଇ ରାମକୃଷ୍ଣ ପରମ ହଂସ ତାଙ୍କୁ ନିଜ ର ଶିଷ୍ୟ ଭାବେ ଗ୍ରହଣ କରିଥିଲେ ଓ ଦୀକ୍ଷା ଦେଇ ଥିଲେ।ଗୁରୁ ଙ୍କ ଠାରୁ ଦୀକ୍ଷା ଗ୍ରହଣ କରିବା ପରେ ନରେନ ଙ୍କ ନାମ ବିବେକାନନ୍ଦ ହୋଇ ଯାଇଥିଲା। ବିବେକାନନ୍ଦ ଗୁରୁ ରାମ କୃଷ୍ଣ ପରମହଂସ ଙ୍କ ସହିତ ଆଶ୍ରମ ରେ ରହି ଗୁରୁ ସେବା କରି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଯୋଗ ଦେଉଥିଲେ। ଗୁରୁ ରାମକୃଷ୍ଣ ପରମ ହଂସ ଙ୍କ ମହାପ୍ରୟାଣ ପରେ ବିବେକାନନ୍ଦ ଜଣେ ପଦବ୍ରାଜକ ସନ୍ୟାସୀ ଭାବେ ଜୀବନ ବିତାଇବାକୁ ସ୍ଥିର କରି ଭାରତ ର କୋଣ ଅନୁକୋଣ ଭ୍ରମଣ କରି ହିନ୍ଦୁ ଧର୍ମର ମହନୀୟ କଥା ଓ ଗାଥା କୁ
ପ୍ରଚାର କରିବାରେ ଲାଗିଲେ। ଧୀରେ ଧୀରେ ଲୋକ ମାନେ ତାଙ୍କୁ ସ୍ୱାମୀଜୀ ବୋଲି ସମ୍ବୋଧନ କରିବାରେ ଲାଗିଲେ। ସାରା ଦେଶରେ ସେ ସ୍ଵାମୀ ବିବେକାନନ୍ଦ ଭାବେ ପରିଚିତ
ହୋଇ ଯାଇଥିଲେ।୧୮୯୩ ମସିହାରେ ଆମେରିକା ର ଚିକାଗୋ ସହରରେ ବିଶ୍ଵ ଧର୍ମ ସଭା ଆୟୋଜନ ହୋଇ ଥିଲା। ଏଥିରେ ଯୋଗ ଦେବାକୁ ପୃଥିବୀ ର ସବୁ ପ୍ରଧାନ ପ୍ରଧାନ ଦେଶ ନିଜ ନିଜ ଧର୍ମ ଗୁରୁ ମାନଙ୍କୁ ପଠାଇଥିଲେ। ବିଭିନ୍ନ ଧର୍ମ ମଧ୍ୟରେ ସମନ୍ୱୟ, ସହଯୋଗ କରିବା ଏହି ଧର୍ମ ସଭା ର ଉଦ୍ଦେଶ୍ୟ ଥିଲା। ଆମେରିକା ରୋମାନ କାଥେଲିକ ସମ୍ପ୍ରଦାୟ ର ମୁଖ୍ୟ ଧର୍ମ ଯାଜକ ଏହି ଧର୍ମ ସଭା ରେ ସଭାପତି ରହିଥିବା ବେଳେ ଜୈନ,ବୌଦ୍ଧ, ଇହୁଦି, ଶିଣ୍ଟୋ, ଇସଲାମ,ଖ୍ରୀଷ୍ଟ ପ୍ରଭୃତି ଧର୍ମ ର ପଣ୍ଡିତ ମାନେ ଯୋଗ ଦେଇଥିଲେ। ହିନ୍ଦୁ ଧର୍ମ ସଭା ପକ୍ଷରୁ ଏକ ମାତ୍ର ସ୍ଵାମୀ ବିବେକାନନ୍ଦ ଯୋଗ ଦେଇଥିଲେ।ସମସ୍ତ ଧର୍ମ ର ପଣ୍ଡିତ ମାନେ ନିଜ ନିଜ ଧର୍ମ ର ଗାଥା ଓ ଗୁଣ ସବୁ ସଂପର୍କ ରେ ଉଦବୋଧନ ଦେଇ ସାରିବା ପରେ ସ୍ଵାମୀ ବିବେକାନନ୍ଦ ଙ୍କ ପାଳି ପଡ଼ିଥିଲା। ସେ ଉଦବୋଧନ ସ୍ଥଳୀ କୁ ଯାଇ” ହେ ମୋର ପ୍ରିୟ ଆମେରିକା ର ଭାଇ ଓ ଭଉଣୀ ମାନେ ” ସମ୍ବୋଧନ ରୁ ଆରମ୍ଭ କରିଥିଲେ ନିଜର ଉଦବୋଧନ। ଏହି ସମୟ ରେ ଧର୍ମ ସଭା ସ୍ଥଳୀ କରତାଳି ରେ କମ୍ପି ଉଠିଥିଲା। ଏହି ହୃଦୟସ୍ପର୍ଶି ସମ୍ବୋଧନ ଧର୍ମ ସଭା ରେ ଉପସ୍ଥିତ ସମସ୍ତ ଧର୍ମ ର ପଣ୍ଡିତ ଓ ସାମ୍ୱାଦିକ ମାନଙ୍କ ହୃଦୟ କୁ ଜୟ କରିବା ସଙ୍ଗେ ସଙ୍ଗେ ଶ୍ରୋତା ମାନଙ୍କ ମନରେ ବିପୁଳ ଆନନ୍ଦ ଭରି ଦେଇଥିଲା।ସ୍ବାମୀ ବିବେକାନନ୍ଦ ଙ୍କ ଓଜୋଶ୍ୱୀ ଉଦବୋଧନ କୁ ସମସ୍ତେ ପ୍ରଶଂସା କରିଥିବାବେଳେ ତା ପର ଦିନ ଆମେରିକା ର ସମସ୍ତ ଖବର କାଗଜ ମାନଙ୍କରେ ତାଙ୍କ ଫଟୋ ଓ ବାର୍ତ୍ତା ମୁଖ୍ୟ ପୃଷ୍ଠା ରେ ପ୍ରକାଶିତ ହୋଇଥିଲା। ସ୍ଵାମୀ ବିବେକାନନ୍ଦ ଙ୍କ ଖ୍ୟାତି ଆମେରିକା ର ଚତୁର୍ଦ୍ଦିଗ ରେ ବ୍ୟାପି ଯାଇଥିଲା। ତାଙ୍କ ଶିଷ୍ୟତ୍ଵ ଗ୍ରହଣ କରିବାକୁ ଶହ ଶହ ଲୋକ ଙ୍କ ଭିଡ଼ ଲାଗିଥିଲା। ଏହାପରେ ସେ ଆମେରିକା ର ବିଭିନ୍ନ ସ୍ଥାନକୁ ନିମନ୍ତ୍ରିତ ହୋଇ ଯାଇ ହିନ୍ଦୁ ଧର୍ମ ର ମହନୀୟ କଥା ଓ ଗାଥା କୁ ବର୍ଣ୍ଣନା କରିଥିଲେ। ସ୍ଵାମୀ ବିବେକାନନ୍ଦ କେବକ ଆମେରିକା ନୁହେଁ ବିଭିନ୍ନ ଦେଶ ଓ ଭାରତବର୍ଷ ର ବିଭିନ୍ନ ଅଞ୍ଚଳ ରେ ବୁଲି ବୁଲି ଧର୍ମ ସଭା ରେ ଉଦବୋଧନ ଦେଇ ନିଜ ପାଣ୍ଡିତ୍ୟ ର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ତାଙ୍କ ର ମୁଖ୍ୟ ବାଣୀ ଥିଲା ଯୁବ ସମାଜ କୁ ନିଜ କର୍ମ ରେ ଏକାଗ୍ରତା ରଖ ନିଶ୍ଚୟ ସଫଳତା ପାଇବ। ଏହି ମହାନ ପୁରୁଷ ଙ୍କ ର ମାତ୍ର ୩୯ ବର୍ଷ ବୟସ ରେ ପରଲୋକ ଘଟିଥିଲା। ଧର୍ମପ୍ରଚାର କରି ହିନ୍ଦୁ ଧର୍ମ କୁ ଏବଂ ଭାରତବର୍ଷକୁ ବିଶ୍ଵସ୍ତରରେ ପରିଚିତି କରି ପାରିଥିବାରୁ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ସାରା ଦେଶ ଯୁବ ଦିବସ ଭାବେ ପାଳନ କରି ଆସୁଛି। ସେହି ମହାନ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି.

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ