କାଗଜ କଲମରେ ଚାଲିଛି ଓରାଳି ମଣ୍ଡି: ଜିଲ୍ଲାପାଳଙ୍କୁ ଚାଷୀଙ୍କ ଅଭିଯୋଗ
ହାଟଡିହି(ଓ୍ବାଇଏନଏସ): ସରକାର ଚାଷୀଙ୍କ ସୁବିଧା ସୁଯୋଗ ପାଇଁ ସମବାୟ ସମିତି ଗୁଡିକରେ ଧାନ ମଣ୍ଡି ଖୋଲିଥିବା ବେଳେ କିଛି ମଣ୍ଡି କେବଳ କାଗଜ କଲମରେ ଚାଲିଥିବା ଅଭିଯୋଗ ହେଉଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ଓରାଳି ସମବାୟ ସମିତି ଧାନମଣ୍ଡି ରେ। ଏଠାରେ ଧାନ ମଣ୍ଡି ଉଦଘାଟନ ପରେ ଆଉ ମଣ୍ଡି ଖୋଲି ନଥିବା ବେଳେ ଚାଷୀମାନେ ଧାନ ବିକିବାରେ ସମସ୍ୟା ଭୋଗୁଛନ୍ତି। ଧାନମଣ୍ଡି ଖୋଲା ଯାଇ ନଥିବା ବେଳେ ୭ଶହ କୁଇଣ୍ଟାଲ ଧାନ କିଣାଯାଇଥିବା କାଗଜ କଲମରେ ଦର୍ଶା ଯାଇଛି। କିଛି ଦଲାଲ ମାନଙ୍କ ମାଧ୍ୟମରେ ଧାନ ସିଧାସଳଖ ମିଲକୁ ପଠା ଯାଉଛି ବୋଲି ଓରାଳି ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ଫକୀର ଚରଣ ରାଉତ, ପ୍ରସନ୍ନ କୁମାର ରାଉତ, ରତ୍ନାକର ସାହୁ, ବିଜୟ ଖଣ୍ଡେଇ, ଗୋଲଖ ଚନ୍ଦ୍ର ପୁହଣ, ଶ୍ରୀକାନ୍ତ ସା, ଶଶିକାନ୍ତ ରାଉତ, ଗୌରାଙ୍ଗ ରାଉତ, ଗୋପାଳ କୃଷ୍ଣ ମହାନ୍ତି, ହେମନ୍ତ ଦାସ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଏ ସମ୍ପର୍କରେ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ସମବାୟ ଉପ ନିବନ୍ଧକ ଙ୍କୁ ନିର୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ସମିତିର ସମ୍ପାଦକ ଦେବାଶିଷ ଧଳଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବିଳମ୍ବରେ ମଣ୍ଡି ଖୋଲିଥିବାରୁ ମାତ୍ର ଦୁଇଦିନ ଧାନ କିଣା ହୋଇଛି। ଯେଉଁ ଚାଷୀମାନେ ଅଭିଯୋଗ କରିଛନ୍ତି ତାଙ୍କ ଧାନ ନିର୍ଦ୍ଧାରିତ ତାରିଖରେ କିଣିବୁ ବୋଲି କହିଛନ୍ତି।


