ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ବେଶ ପରିଚିତ ପୀରଜାହାନିଆ। ଗୋଟିଏ ପଟେ କଂକ୍ରିଟ ସହର ମାଡି ଚାଲିଥିବା ବେଳେ ଅନ୍ୟ ପଟେ ଜଙ୍ଗଲର ବିଭିନ୍ନ ସ୍ଥାନରେ ହେଉଥିବା ବଣଭୋଜି ଦ୍ୱାରା ପ୍ରାକୃତିକ ପରିବେଶ ଭୀଷଣ ଭାବେ ପ୍ରଭାବିତ ହେଉଛି। ନଭେମ୍ବର ରୁ ମାର୍ଚ୍ଚ ମାସ ମଧ୍ୟରେ ବଣଭୋଜି ସ୍ଥାନ ମାନଙ୍କରେ କୁଢ଼ କୁଢ଼ ଆବର୍ଜନା ଏବେ ବନ୍ୟଜନ୍ତୁ ଙ୍କ ପାଇଁ ବିପଦ ସୃଷ୍ଟି କରିଛି। ବନବିଭାଗ ପକ୍ଷରୁ କଡା ନିୟମ ସହ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଙ୍କୁ ବାରମ୍ବାର ସଚେତନତା କରାଯାଉଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ୁନାହିଁ। ବଣଭୋଜି କରିବାକୁ ଆସୁଥିବା ଲୋକେ ବେଧଡ଼କ ଭାବେ ପଲିଥିନ ଓ ପ୍ଲାଷ୍ଟିକି ବ୍ୟବହାର କରି ପରିବେଶ କୁ ପ୍ରଦୂଷିତ କରୁଛନ୍ତି। ତାହାକୁ ନଜରରେ ରଖି ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ପୀରଜାହାନିଆ ପର୍ଯ୍ୟଟନସ୍ଥଳୀରେ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ସ୍ଥଳ ଭାବେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ଲାଷ୍ଟିକ କୁ ନା “କୁହ ବାର୍ତ୍ତା ପ୍ରଚାର କରିବା ଏବଂ ପ୍ରକୃତି ତଥା ବନ୍ୟପ୍ରାଣୀ ଙ୍କ ଦାୟିତ୍ୱବାନ ଆଚରଣ କୁ ପ୍ରୋତ୍ସାହିତ କରିବା ଉଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର, ବନପାଳ କାଳୀ ଚରଣ ମହାନ୍ତି, ଟିକିନା ପ୍ରଧାନ, କୈଳାଶ ନାୟକ, ବନରକ୍ଷୀ ଶୁଭାଶିଷ ଜେନା,ମିଲନ ମୁଦୁଲି, ପ୍ରୀତିମୟୀ ପଶୁପାଳକ, ସୋନାଲି ପ୍ରଧାନ, ଶୁଭାଶିଷ ବିଶ୍ୱାଳ, ଦିଲ୍ଲୀପ ନାୟକ, ନିର୍ମଳେନ୍ଦୁ ଚାଟାର୍ଯ୍ୟ ସମେତ ବିଦ୍ୟାଳୟ ଛାତ୍ର,ଛାତ୍ରୀ, ସ୍ବେଛାସେବୀ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ସମସ୍ତ ଅଂଶୀଦାର ଙ୍କ ମିଳିତ ସହଯୋଗରେ ପିକନିକ ସ୍ଥଳରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଓ ଅନ୍ୟାନ୍ୟ ଆବର୍ଜନା ହଟାଇବାକୁ ସ୍ୱଛତା ଅଭିଯାନ ହୋଇଥିଲା। ଯାହାକି ପରିମଳ ଓ ପରିବେଶ ସଂରକ୍ଷଣ ର ଗୁରୁତ୍ୱକୁ ସୂଚାଇଥିଲା। ସ୍ଥାନୀୟ ବାସିନ୍ଧା ଓ ପର୍ଯ୍ୟଟକ ମାନଙ୍କୁ ପ୍ଲାଷ୍ଟିକ ପ୍ରଦୂଷଣର କ୍ଷତିକାରକ ପ୍ରଭାବ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ବିଷୟରେ ସଚେତନ କରାଯାଇଛି।


