ପିକଅପ ଭ୍ୟାନ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର : ଦୋକାନୀ ଗୁରୁତର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ବୁଧବାର ସକାଳୁ କେ . ନୂଆଗାଁ ଥାନା ଅଧିନସ୍ଥ ଦିଗପହଣ୍ଡି ବ୍ଳକ କରପଡା ପଞ୍ଚାୟତ ଦେଖାଳି ଗାଁ ଛକରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଦ୍ରୁତଗାମୀ ପିକଅପ୍ ଭ୍ୟାନ ଧକ୍କାରେ ଏକ ଚାହା କେବିନ୍ ସମେତ ଦୁଇଟି ବାଇକ ଚୁରମାର୍ ହୋଇଯାଇଛି । ଦେଖାଳି ଗ୍ରାମ ମଠ ସାହିର ଚାହା ଦୋକାନୀ କୁରା ବେହେରା ଏହି ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ଗୁରୁତର କୁରା ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କୁରା ପ୍ରତିଦିନ ଭଳି ବୁଧବାର ସକାଳ ପ୍ରାୟ ୭ ଟାରେ କେବିନ୍ ଖୋଲି ଚାହା ବସାଇବା ସହ ଦୋକାନ ପୂଜା କରୁଥିଲେ । ଏହି ସମୟରେ ଚିକିଟିରୁ ଦିଗପହଣ୍ଡି ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ପିକଅପ ଭ୍ୟାନ ନଂ. ( ଓଡି ୦୨ ବି ଏମ୍ ୬୮୪୦) ଚାଳକ ଗାଡିରୁ ନିୟନ୍ତ୍ରଣ ହରାଇ କେବିନକୁ ଧକ୍କା ଦେବା ସହ ସେଠାରେ ଥିବା ଦୁଇଟି ବାଇକକୁ ଘୋଷାଡି ନେଇଥିଲା । ସ୍ଥାନୀୟ ଲୋକେ କେବିନ୍ ରୁ କୁରା ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଭ୍ୟାନ ଚାଳକ କୁ ଅଟକ ରଖିଥିଲେ । ଗୁରୁତର ଅବସ୍ଥାରେ କୁରା ଙ୍କୁ ପ୍ରଥମେ ନିକଟସ୍ଥ ବମକୋଇ ମେଡିକାଲ ପରେ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା ।ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାରୁ ଏବଂ ଅବସ୍ଥା ସଙ୍କଟାପନ୍ନ ରହିଥିବା କାରଣରୁ ତାଙ୍କୁ ଭୁବନେଶ୍ଵର ସ୍ଥିତ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିବା ତାଙ୍କ ପୁଅ ରିଙ୍କୁ ବେହେରା କହିଛନ୍ତି । ଏହି ଭୟଙ୍କର ଦୁର୍ଘଟଣା ବେଳେ ସେଠାରେ ଚାହା ପିଇବା ପାଇଁ ଠିଆ ହୋଇଥିବା କେତେକ ନିରୀହ ଲୋକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଖବରପାଇ କେ. ନୂଆଗାଁ ଥାନା ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡି ଓ ଦୁଇଟି ବାଇକ କୁ ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ବାଇକ ମାଲିକ ପୁରୁଷୋତ୍ତମ ମୁଳି ଥାନାରେ ପହଞ୍ଚି ଭ୍ୟାନ ଚାଳକ ବିରୋଧରେ ଏତଲା ଦେଇଥିବା ଜଣାପଡିଛି।


