ଓଡ଼ିଆ ରୀତି ସାହିତ୍ୟର ଅନନ୍ୟ ପ୍ରତିଭା ବିଦଗ୍ଧ କବି ଅଭିମନ୍ୟୁ

ଡ଼କ୍ଟର ଅଜୟ କୁମାର ଜେନା
ଅଷ୍ଟାଦଶ ଶତାବ୍ଦୀର ଛନ୍ଦକବି ଭାବରେ ବୈଷ୍ଣବ ସାହିତ୍ୟର କବି ସମ୍ରାଟ, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ଓଡ଼ିଆ ସାହିତ୍ୟ ଜଗତରେ ପ୍ରସିଦ୍ଧ ଲାଭ କରିଥିଲେ । ସେ ଦୀର୍ଘଜୀବୀ ନଥିଲେ ମଧ୍ୟ ତାଙ୍କ ରଚନା ତାଙ୍କୁ କରିଛି ଦୀର୍ଘଜୀବୀ । ଓଡ଼ିଆସାହିତ୍ୟ ଥିବା ପର୍ଯ୍ୟନ୍ତ ସେ ବଞ୍ôଚଥିବେ ସାହିତ୍ୟ ଜଗତରେ ଏକ ଦୀପ୍ତିମାନ ଜ୍ୟୋତିଷ୍କ ହୋଇ ।
ତାଙ୍କ ଲେଖାର ଶୈଳୀ ଥିଲା ସ୍ୱତନ୍ତ୍ର । ସେ ପ୍ରକୃତି ଓ ପରିବେଶକୁ ସୁନ୍ଦର ଭାବରେ ତାଙ୍କ ଲେଖାରେ ରୂପାୟିତ କରିଯାଇଛନ୍ତି । ରାଧାକୃଷ୍ଣଙ୍କ ପ୍ରେମଭକ୍ତିର ଗାଥା ଗାଇ ସେ ନିଜକୁ ଜଣେ ଶ୍ରୀକୃଷ୍ଣଙ୍କର ଚରଣ ସେବିକା ଦାସୀ ଭାବରେ ନିବେଦନ କରିଯାଇଛନ୍ତି । କବିଙ୍କ ସମ୍ପର୍କରେ- ସେ ଥିଲେ ଏକ ବିସ୍ମୟକର ପ୍ରତିଭା । ସେ ଓଡ଼ିଆ ସାହିତ୍ୟରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ । ତାଙ୍କର କାବ୍ୟ ରଚନା ମଧ୍ୟରେ ‘ବିଦଗ୍ଧ ଚିନ୍ତାମଣି’ ଓଡ଼ିଆ ସାହିତ୍ୟ ଜଗତର ଏକ ଶ୍ରେଷ୍ଠ କାବ୍ୟକୃତି । କବିଙ୍କ କାବ୍ୟ କବିତାରେ ଭରି ରହିଛି ପଦଲାଳିତ୍ୟ, ଉପମା ଓ ଅର୍ଥଗୌରବ । ସେଇଥିପାଇଁ ଯଥାର୍ଥରେ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଲେଖିଛନ୍ତି ।
‘ଉମପା ଭଞ୍ଜ ବୀରସ୍ୟ ତସୈବଚାର୍ଥ ଗୌରବନ୍ କଲ୍ଲୋଳେ ପଦ ଲାଳିତ୍ୟମ୍ ସନ୍ତି ଚିନ୍ତାମଣୌ ତ୍ରୟଃ ।’ ଓଡ଼ିଆ ସାହିତ୍ୟର କ୍ରମବିକାଶରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଏକ କ୍ରାନ୍ତିକାରୀ । ତାଙ୍କ ରଚନାରେ ରସ ଅମୃତମୟ । ୧୭୬୦ ମସିହା, ଫେବୃୟାରୀ ମାସ ୨୩ ତାରିଖ ପବିତ୍ର ମାଘ ସପ୍ତମୀ ତିଥିରେ ବିଦଗ୍ଧ କବି ଅଭିମନ୍ୟୁଙ୍କର ଜନ୍ମ ହୋଇଥିଲା । ଯାଜପୁର ଜିଲ୍ଲାର ବରୀ ବ୍ଲକ୍ ଅନ୍ତର୍ଗତ ବାଲିଆ ଗ୍ରାମରେ । ତାଙ୍କ ପିତାଙ୍କ ନାମ ଇନ୍ଦ୍ରଜିତ ସାମନ୍ତସିଂହାର ଓ ମାତାଙ୍କ ନାମ ତୁଳସୀ ଦେବୀ । ଇନ୍ଦ୍ରଜିତ ସାମନ୍ତସିଂହାର ଥିଲେ ବହୁ ପତ୍ନିକ, କିନ୍ତୁ ତାଙ୍କର କୌଣସି ପୁତ୍ର ସନ୍ତାନ ନ ହେବାରୁ ଅଷ୍ଟମ ଥର ପାଇଁ ସେ ବିବାହ କରିଥିଲେ ଉଦୟପୁର ପଟ୍ଟନାୟକ ବଂଶର କନ୍ୟା ତୁଳସୀ ଦେବୀଙ୍କୁ । ତାଙ୍କରୀ ଗର୍ଭରୁ ଜନ୍ମଲାଭ କରିଥିଲେ କବି ଅଭିମନ୍ୟୁ । କବି ଅଭିମନ୍ୟୁ ତାଙ୍କ ଜୀବନର ପ୍ରଥମ କବିତା କରମଙ୍ଗା ଗଛ ଛାଇକୁ ଦେଖି ରଚନା କରିଥିଲେ । କବିତାର ବିଷୟକୁ ସେ ଏତେ ସୁନ୍ଦର ଭାବରେ ମଣିଷ ଜୀବନ ସହ ମିଶାଇ ଦେଇଥିଲେ ଯେ ତାହା ଏବେ ମଧ୍ୟ ସମସ୍ତଙ୍କ ମନକୁ ଛୁଇଁ ପାରୁଛି ।
କରମଙ୍ଗା ଗଛ ଛାଇଗୋ, ମୋର ହୁଁ ଗୋ ।
କରମ ଯାହାର ସୁଫଳ ହୋଇବ,
କୃଷ୍ଣଙ୍କୁ ଲଭିବ ସେହିଗୋ, ମୋର ହୁଁଗୋ ।
କବିଙ୍କ ବାଲ୍ୟଗୁରୁ ଥିଲେ ସଦାନନ୍ଦ କବିସୁର୍ଯ୍ୟ ବ୍ରହ୍ମା । ସେ ଯେ ଖାଲି ଜଣେ ଶିକ୍ଷା ଗୁରୁ ଥିଲେ ତାହା ନୁହେଁ, ସେ ଥିଲେ ଜଣେ ବିଶିଷ୍ଟ କବି ଓ ରାଧାକୃଷ୍ଣଙ୍କ ପରମ ଭକ୍ତ । ରାଧାକୃଷ୍ଣଙ୍କୁ ନେଇ ସେ ବହୁ ପୁସ୍ତକ ରଚନା କରିଛନ୍ତି । ଅଭିମନ୍ୟୁଙ୍କର ଓଡ଼ିଆ ଭାଷାରେ ଅଗାଧ ପାଣ୍ଡିତ୍ୟ ଥିଲା । ଏହା ବ୍ୟତୀତ ସଂସ୍କୃତ, ବଙ୍ଗଳା ଓ ମରାଠୀ ଭାଷାରେ ବିଭିନ୍ନ ଶାସ୍ତ୍ର, ବେଦ, ପୁରାଣ ଓ କାବ୍ୟ ଅଧ୍ୟୟନ କରି ସେ କବି ହେବାର ପ୍ରେରଣା ପାଇଥିଲେ । କବିଙ୍କ ଗୁରୁ ସଦାନନ୍ଦ ବୈଷ୍ଣବ ଧର୍ମରେ ଦୀକ୍ଷିତ ଥିଲେ । ତେଣୁ ବାଳକ ଅଭିମନ୍ୟୁଙ୍କ ମନ ମଧ୍ୟ ସେଇ ବୈଷ୍ଣବ ଧର୍ମ ଦିଗକୁ ଢଳି ପଡିଥିଲା । ସେ ନିଜର ଆରାଧ୍ୟ ଦେବଦେବୀ ଶ୍ରୀରାଧାମୋହନଙ୍କୁ ପିଲାଦିନରୁ ଭକ୍ତି କରୁଥିଲେ। ଶ୍ରୀରାଧାମୋହନଙ୍କ ଭକ୍ତି ପୁଷ୍ପ ସ୍ୱରୂପ କବି ନ ବର୍ଷ ବୟସରେ ରଚନା କରିଥିଲେ ବାଘ ଗୀତ ଓ ଚଢେଇ ଗୀତ । କବିଙ୍କ ଚଉଦବର୍ଷ ବୟସ ବେଳେ ସେ ବିବାହ କରିଥିଲେ, କେନ୍ଦ୍ରପଡାର ପ୍ରସିଦ୍ଧ ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ପିଉସୀ ଓ ସଦାଶିବ ଜେନାଙ୍କ ଭଉଣୀ ବିମଳା ଦେବୀଙ୍କୁ। ବିମଳା ଦେବୀଙ୍କୁ ସେ ଖୁବ୍ ଭଲ ପାଉଥିଲେ । ପତ୍ନୀ ଭାବରେ ବିମଳାଦେବୀ କବିଙ୍କୁ ଅଜସ୍ର ଭକ୍ତି ଓ ସମ୍ମାନ କରୁଥିଲେ । କିନ୍ତୁ ଇଶ୍ୱରଙ୍କ ଲୀଳା ବଡ ବିଚିତ୍ର । ବାର୍ଦ୍ଧକ୍ୟରେ ନ ପହଞ୍ଚୁଣୁ ବିମଳାଦେବୀ କବିଙ୍କୁ ଛାଡି ଚାଲିଗଲେ । ପତ୍ନୀଙ୍କ ବିଚ୍ଛେଦ ତାଙ୍କୁ ଦାରୁଣ ଆଘାତ ଦେଇଥିଲା । କବି ଧୀରେ ଧୀରେ ଭାଙ୍ଗି ପଡିଥିଲେ । ତାଙ୍କର ମନୋବଳ ଭାଙ୍ଗି ପଢିବବାରୁ ସେ ଅସୁସ୍ଥ ହୋଇ ପଡିଲେ । ଏହି ମହାନ୍ ପ୍ରତିଭାଙ୍କ ଜୀବନ ଦୀପ ୧୮୦୬ ମସିହା ଜୁନ୍ ମାସ ୮ ତାରିଖରେ ଲିଭି ଯାଇଥିଲା ।
ମାତ୍ର ନ’ବର୍ଷ ବୟସରେ : ବାଘ ଗୀତ, ବାୟାଚଢେଇ ଗୀତ ଓ ଗୋବରା ଚଢେଇ ଗୀତ, ୧୯ ବର୍ଷ ବୟସରେ : ପ୍ରେମ ଚିନ୍ତାମଣି, ୨୦ବର୍ଷ ବୟସରେ-ପ୍ରେମକଳା, ୨୪ବର୍ଷ ବୟସରେ ରସବତୀ, ୨୭ବର୍ଷ ବୟସରେ ସୁଲକ୍ଷଣା ଓ ୪୦ବର୍ଷ ବୟସରେ-ବିଦଗ୍ଧ ଚିନ୍ତାମଣି ରଚନା କରିଥିଲେ। କାବ୍ୟର ଭାବଧାରା, ଶୈଳୀ, ଶବ୍ଦ ସଂଯୋଜନା ତଥା ପ୍ରେମ ବିରହର ମଧୁର ମିଳନ, ତାଙ୍କ ରଚିତ ‘ବିଦଗ୍ଧ ଚିନ୍ତାମଣି’ କାବ୍ୟରେ ସୁନ୍ଦରଭାବରେ ଫୁଟି ଉଠିଥିଲା । ପରବର୍ତ୍ତୀ କାଳରେ ତାଙ୍କ ରଚନାକୁ ଓଡ଼ିଶାର ଗୁଣୀ, ଜ୍ଞାନୀ ଓ ପଣ୍ଡିତମାନେ ପାଠକରି ତାଙ୍କୁ ‘ବିଦଗ୍ଧ କବି’ ଭାବରେ ଭୂଷିତ କରିଥିଲେ ।
ସମ୍ପାଦକ
ଜଗା ଶିଶୁ ସାହିତ୍ୟ ସଂସଦ, ନାଥପୁର
ମୋ-୯୮୫୩୨୦୭୫୪୬


