ବେଆଇନ ବାଲି ପରିବହନକୁ ବିରୋଧ: ଲୋକଙ୍କ ରାସ୍ତାରୋକ
ହାଟଡିହି(ଓ୍ବାଇଏନଏସ): ବେଆଇନ ବାଲି ପରିବହନକୁ ବିରୋଧ କରିଛନ୍ତି ଜାବିନୀପୁର ଗ୍ରାମବାସୀ। ନିୟମିତ ଶହ ଶହ ବାଲି ଗାଡି ଯାତାୟାତ ଦ୍ୱାରା ପ୍ରତିଦିନ ଦୁର୍ଘଟଣା ମାନ ଘଟୁଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ। ଗତକାଲି ରାତିରେ ଏକ ବାଲି ବୋଝେଇ ହାଇୱା ଏକ ବିଦ୍ୟୁତ ଖୁଣ୍ଟକୁ ଧକା ଦେବା ଦ୍ୱାରା ବିଦ୍ୟୁତ ତାର ଛିଣ୍ଡି ପଡିବା ସହ ଗାଁ କୁ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇ ପଡିଥିଲା। ଗାଁ ଲୋକେ ଏହାର ବିରୋଧ କରି କ୍ଷତିପୂରଣ ଦାବି କରିବାରୁ କିଛି ଗୁଣ୍ଡା ଶ୍ରେଣୀୟ ଲୋକ ଆସି ପିଟା ମରା କରିବା ସହ ଧମକ ଚମକ ଦେଇଥିଲେ। ଯାହାକୁ ନେଇ ଅନୁପମା ସେନାପତି, ଉମାମଣି ସେନାପତି, ସୁକାନ୍ତ ସେନାପତି, କାଳନ୍ଦୀ ସେନାପତି, ହେମନ୍ତ ସେନାପତି, ପ୍ରତାପ ସେନାପତି, ସୁବାସି ନାୟକ, ହରିଶ ଚନ୍ଦ୍ର ତରେଇ, ଅଜୟ ନାୟକ, ସୁରେନ୍ଦ୍ର ସେନାପତି, ରମେଶ ସେନାପତି, ଟିପୁ ମୁଣ୍ଡା, ଅନାଦି ସେନାପତି, ପ୍ରଭାତ ସେନାପତିଙ୍କ ସମେତ ଅନେକ ଗାଁ ଲୋକେ ଗତକାଲି ରାତିରୁ ରାସ୍ତା ଅବରୋଧ କରିଛନ୍ତି। ଶହଶହ ବାଲି ଗାଡି ଯିବା ଆସିବା ଦ୍ୱାରା ଗାଁ ଲୋକେ ରାତିରେ ଶୋଇ ପାରୁ ନଥିବା ବେଳେ ଛାତ୍ରଛାତ୍ରୀ ସ୍କୁଲ କଲେଜ ଯାଇ ପାରୁ ନଥିବା ଅଭିଯୋଗ କରିଛନ୍ତି। ଅନ୍ୟ ସବୁ ରାସ୍ତା ବନ୍ଦ ହୋଇଯାଇଥିବା ବେଳେ ବାଲି ବୋଝେଇ ଭାରୀଯାନ ଚଳା ଚଳ ପାଇଁ ଏହି ଗୋଟିଏ ରାସ୍ତା ଥିବାରୁ ୨ /୩ଟି ବାଲି ଘାଟର ଗାଡି ଏହି ରାସ୍ତା ଦେଇ ଯାଉଛି। ଗାଡି ଗୁଡିକ ଦ୍ରୁତ ଗତିରେ ଯିବା ଆସିବା କରୁଥିବାରୁ ଧନ ଜୀବନ ହାନି ଘଟୁଛି। କିଛିଦିନ ଭିତରେ ୪/୫ଟି ଦୁର୍ଘଟଣା ଘଟିଛି। ଏହା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବା ବେଳେ ରେ ବେଆଇନ ବାଲି ପରିବହନ ଉପରେ କାହିଁକି ରୋକ ଲଗା ଯାଉନି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଗାଁ ଲୋକେ ରାସ୍ତା ରୋକ କରିଥିଲେ ବି ପୋଲିସ ଘଟଣା ସ୍ଥଳକୁ ଯାଇ ନଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଅଟକ ବାଲି ବୋଝେଇ ଗାଡି ଜବଦ କରିବାକୁ ଜୁନିୟର ମାଇନିଂ ଅଫିସର ଘଟଣା ସ୍ଥଳରେ ପହଞ୍ଚିଥିବା ଜଣା ଯାଇଛି।


