ପୂର୍ତ ବିଭାଗର କୋକିଢିହ-ତେଲସରା ରାସ୍ତା: ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଚାଲିଛି ମରାମତି କାର୍ଯ୍ୟ
ନାଉଗାଁ, (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କୋକିଢିହ-ତେଲସରା ରାସ୍ତାର ଉନ୍ନତିକରଣ କାର୍ଯ୍ୟ ୧ବର୍ଷ ତଳେ ଶେଷ ହୋଇଛି। ରାସ୍ତା କାର୍ଯ୍ୟ ସରିବା ବର୍ଷେ ହୋଇଥିବା ବେଳେ ୧୦ କି.ମି ରାସ୍ତା ମଧ୍ୟରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ ଛୋଟ ବଡ ଖାଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଏପରିକି ରାସ୍ତାରେ ନିର୍ମାଣ କରାଯାଇଥିବା କଂକ୍ରିଟ ରାସ୍ତାରେ ଖାଲ ସୃଷ୍ଟି ହୋଇଥିବା ବେଳେ ପିଚୁ ରାସ୍ତାରେ ପିଚୁ ଉଠିବା ସହିତ ରାସ୍ତାର ଉଭୟ ପାଶ୍ୱର୍ ଦବି ଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଚାଲୁ ରହିଛି। ହେଲେ କାର୍ଯ୍ୟସ୍ଥଳରେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତକୁ ନେଇ ରାସ୍ତାର ସ୍ଥାୟୀତ୍ୱ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ରାସ୍ତାଟି ପୂର୍ତ ବିଭାଗର ଜଗତସିଂହପୁର ବିଭାଜନ ଅଧିନରେ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ରାସ୍ତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁ ପୁନର୍ବାର ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଜାରୀ ରହିଛି। କିନ୍ତୁ କାର୍ଯ୍ୟ ଚାଲୁଥିବା ବେଳେ କାର୍ଯ୍ୟସ୍ଥଳରେ ତଦାରଖ ପାଇଁ କୌଣସି ଯନ୍ତ୍ରୀ ଉପସ୍ଥିତ ରହୁନାହାନ୍ତି। ଫଳରେ ଠିକାଦାରମାନେ ମନଇଚ୍ଛା କାର୍ଯ୍ୟ କରୁଛନ୍ତି। ଯାହାଫଳରେ ରାସ୍ତାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଥାଉକି ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ରାସ୍ତାର ଉନ୍ନତିକରଣ କରାଯିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଠିକାଦାରଙ୍କୁ ନିଯୁକ୍ତ କରାଯାଇଥିଲା। ଏହି ୧୦.୩୫୦ କି.ମି ରାସ୍ତାର ଉନ୍ନତିକରଣ କରାଯିବା ପାଇଁ ରାଜ୍ୟ ଯୋଜନାରୁ ପ୍ରାୟ ୯କୋଟି ୭୬ଲକ୍ଷ ବ୍ୟୟବରାଦ କରାଯାଇଥିଲା। ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତା ଦବିବା ସହ ଖାଲ ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକ ମତବ୍ୟକ୍ତ କରିଛନ୍ତି। ମରାମତି ସଂପର୍କରେ ବିଭାଗୀୟ ଏସଡିଓ ଇଂ. ଅଶୋକ କୁମାର ଜେନାଙ୍କୁ ପଚାରିବାରେ ଅନ୍ୟ ସରକାରୀ କାର୍ଯ୍ୟ ଥିବାରୁ କାର୍ଯ୍ୟସ୍ଥଳରେ ଅନୁପସ୍ଥିତ ରହିଥିଲୁ। କାର୍ଯ୍ୟକୁ ସଠିକ୍ ତଦାରଖ କରାଯାଇ କାର୍ଯ୍ୟର ଆକଳନ କରାଯିବ ବୋଲି କହିଥିଲେ।


