ପାଟପୁର ଥାନା ଇଲାକାରେ ସିରିଜ୍ ଚୋରି ଘଟଣା ; ୫ ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଇଲାକାରେ ଗତ ୧୫ ଦିନ ମଧ୍ୟରେ ୫ ରୁ ଉର୍ଦ୍ଧ୍ବ ଗ୍ରାମରେ ଘଟିଥିବା ରହସ୍ୟମୟ ସିରିଜ୍ ଚୋରି ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତ ଙ୍କୁ ତଦନ୍ତକାରୀ ଅଧିକାରୀ ଏଏସଆଇ ସୁଧୀର କୁମାର ନାୟକ ଏବଂ ରମାକାନ୍ତ ଶବର ୨ ଟି ମାମଲା ରେ ଗିରଫ କରି ସୋମବାର ଅପରାହ୍ନ ରେ କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ପାଟପୁର ଥାନା ନିସ୍ତିିପୁର ଗାଁ ରେ ରହୁଥିବା ଦିଗପହଣ୍ଡି ଥାନା ତିଳେଶ୍ୱର ଗ୍ରାମ ବନ୍ଧ ସାହିର ସଞ୍ଜୟ ପାତ୍ର,କୀର୍ତ୍ତନ ନାୟକ, ଧରାକୋଟ ଥାନା ଧରାକୋଟ ର ସିଦ୍ଧାନ୍ତ ପାତ୍ର , ବ୍ରହ୍ମପୁର ସଦର ଥାନା କୁକୁଡ଼ାଖଣ୍ଡି ବ୍ଲକ ବଦାଲୁଣ୍ଡି ଗ୍ରାମରେ ରହୁଥିବା ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ଖଜୁରିଆ ବନ୍ଧ ସାହିର ଆର.ସନ୍ତୋଷ ଏବଂ ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ସିଦ୍ଧାନ୍ତ କକୁଲୁ। ସେମାନଙ୍କ ନିକଟରୁ ୮୨.୯ ଗ୍ରାମ୍ ର ବିଭିନ୍ନ ସୁନା ଅଳଙ୍କାର ଏବଂ ୧ କେଜି ୪୬ ଗ୍ରାମ୍ ଓଜନର ରୂପା ଅଳଙ୍କାର,୪ ଟି ମୋବାଇଲ ଫୋନ୍ ଓ ଚୋରି ପାଇଁ ବ୍ୟବହୃତ କିଛି ସାମଗ୍ରୀ ଜବତ କରାଯାଇଛି।ଥାନା ମାମଲା ନଂ.୩୦/୨୬ ଏବଂ ୩୩/୨୬ ଅନୁଯାୟୀ ସମସ୍ତ ଅଭିଯୁକ୍ତ ଙ୍କ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ଜାନୁଆରୀ ୨୦ ତାରିଖ ରାତିରେ ପାଟପୁର ଥାନା ସିଙ୍ଗପୁର ଗ୍ରାମ ଭଣ୍ଡାରି ସାହିର ଦଣ୍ଡପାଣି ନାୟକ ଙ୍କ ଘର କବାଟ ଭାଙ୍ଗି ଦୁର୍ବୃତ୍ତ ମାନେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଓ ବହୁ ପରିମାଣର ସୁନା ଅଳଙ୍କାର ଏବଂ ଟୁନା ସାହୁ ଙ୍କ ଘରୁ ୫୦ ହଜାର ଟଙ୍କା ଓ ବହୁ ପରିମାଣର ରୂପା ଅଳଙ୍କାର ଲୁଟି ନେଇଥିଲେ।ସେହିପରି ଖଜୁରୀପଦା ଗ୍ରାମର କୋରେଶୁ ମହାଙ୍କୁଡ଼ ଙ୍କ ଘରୁ ୫୦ ହଜାର ଟଙ୍କା ଓ ସୁନା ,ରୂପା ଅଳଙ୍କାର ମଧ୍ୟ ସେହିଦିନ ରାତିରେ ଦୁର୍ବୃତ୍ତ ମାନେ ନେଇ ଯାଇଥିଲେ। ଘଟଣାର ପରଦିନ ୨୧ ତାରିଖ ରାତିରେ ଖୋଲଡି ଗ୍ରାମ ର ରାଜେନ୍ଦ୍ର ସୁବୁଦ୍ଧି ଙ୍କ ସ୍ତ୍ରୀ କାବେରୀ ସୁବୁଦ୍ଧି ଘରେ ଶୋଇଥିବା ବେଳେ କବାଟ ଭାଙ୍ଗି ଦୁର୍ବୃତ୍ତ ମାନେ ତାଙ୍କ ବେକରୁ ପ୍ରାୟ ୩ ଭରି ଓଜନର ସୁନା ମଙ୍ଗଳସୂତ୍ର, ପୁସ୍ତା ମାଳି ଲୁଟି ନେଇଥିଲେ।ପରେ ଡି. ସିମାଞ୍ଚଳ ଦୋରା ଏବଂ ଜେ. କୁରେଶୁ ଦୋରା ଙ୍କ କବାଟ ଭାଙ୍ଗି ଦୁର୍ବୃତ୍ତ ମାନେ ଚୋରି ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଘର ଲୋକେ ଉଠି ପଡ଼ିବାରୁ ସେମାନେ ଚମ୍ପଟ ମାରିଥିଲେ। ଗତ ୨୨ ତାରିଖ ରାତିରେ ପାଟପୁର ଥାନା ଠାରୁ ପ୍ରାୟ ୧ କିମି ଦୂରରେ ଥିବା ବଢେଇ ସାହି ବାସିନ୍ଦା ରତିକାନ୍ତ ବସନ୍ତ କୁମାର ସାବତ ଙ୍କ ଘରର ୫ ଟି କବାଟ ଭାଙ୍ଗି ଦୁର୍ବୃତ୍ତ ମାନେ ଆଲମାରୀ ରୁ ୨ ଲକ୍ଷ ୬୫ ହଜାର ଟଙ୍କା, ପ୍ରାୟ ୨୫ ଲକ୍ଷ ଟଙ୍କା ମୂଲ୍ୟର ୧୨୦ ଗ୍ରାମ୍ ଓଜନର ୨୦ ଟି ସୁନା ମୁଦି,୪ ଟି ମଙ୍ଗଳସୂତ୍ର,୨ ଟି ଚେନ୍,୨୦ ଟି କାନଫୁଲ ଏବଂ ପ୍ରାୟ ୧ କେଜି ଓଜନର ରୂପା ଗହଣା ଲୁଟି ନେଇଥିଲେ। ଏହି ସିରିଜ୍ ଚୋରି ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ନିଦ ହଜାଇ ଦେଇଥିଲା। ଏନେଇ ରତିକାନ୍ତ ଏବଂ ସିଙ୍ଗପୁର ଗ୍ରାମର ଦଣ୍ଡପାଣି ନାୟକ ପାଟପୁର ଥାନାରେ ଏତଲା ଦେଇଥିଲେ।ଆଇଆଇସି ଦୀପ୍ତି ରଞ୍ଜନ ବେହେରା ପୃଥକ୍ ମାମଲା ରୁଜୁ କରି ଏହି ସବୁ ସିରିଜ୍ ଚୋରି ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ସ୍କୁଆର୍ଡ ଗଠନ କରି ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ସଫଳତା ମିଳୁନଥିଲା। ପ୍ରଥମେ ପ୍ରାପ୍ତ ସୂଚନା କୁ ଭିତ୍ତି କରି ଆଇଆଇସି ଙ୍କ ନେତୃତ୍ୱରେ ସ୍ଵତନ୍ତ୍ର ସ୍କୁୱାର୍ଡ ଦିଗପହଣ୍ଡି ଥାନା ତିଳେଶ୍ୱର ଗ୍ରାମରେ ଚଢାଉ କରି ଅଭିଯୁକ୍ତ ସଞ୍ଜୟ ଙ୍କୁ ଥାନାକୁ ଉଠାଇ ଆଣିଥିଲେ। ସଞ୍ଜୟ ଙ୍କ ସୂଚନା ପ୍ରକାରେ ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରି ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ଚୋରି ସୁନା ଓ ରୂପା ଅଳଙ୍କାର ଜବତ କରିଥିଲେ। ଏହି ଚୋରି ଘଟଣାର ମାଷ୍ଟର ମାଇଣ୍ଡ ଙ୍କୁ ଚିହ୍ନଟ କରାଯାଇଛି। ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି। ଏହି ସିରିଜ୍ ଚୋରି ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ନିଦ ହଜାଇ ଦେଇଥିଲା। ଶେଷରେ ଦୀର୍ଘଦିନ ର ପରିଶ୍ରମ ପରେ ପୋଲିସ କୁ ସଫଳତା ମିଳିଥିବା କୁହାଯାଇଛି।


