କେନ୍ଦ୍ରାପଡାରୁ କଟକ-ଭୁବନେଶ୍ୱର ରେଳ ଚଳାଚଳ ଦାବି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଷ୍ଟେଶନରୁ କଟକ ଓ ଭୁବନେଶ୍ୱରକୁ କୈାଣସି ରେଳସେବା ନାହିଁ। କେବଳ ସକାଳ ୬ଟାରେ ପାରାଦୀପରୁ ଆସି କେନ୍ଦ୍ରାପଡ଼ା ଦେଇ କେନ୍ଦୁଝରକୁ ଯାଉଥିବା ଏକମାତ୍ର ରେଳ ଗଡୁଛି। ବାକି ସମୟରେ କୌଣସି ଯାତ୍ରୀବାହୀ ରେଳ ସେବା ନାହିଁ। ତେଣୁ ଷ୍ଟେଶନରେ କୁକୁର ଶୋଉଛନ୍ତି। କେନ୍ଦ୍ରାପଡ଼ା ଦେଇ ଦୈନିକ ୫୦ରୁ ଅଧିକ ମାଲବାହୀ ଟ୍ରେନ୍ ଗଡୁଛି। ହେଲେ ଯାତ୍ରୀବାହୀ ଟ୍ରେନ ଗଡୁନାହିଁ। କଟକ ଓ ଭୁବନେଶ୍ୱରକୁ ଲୋକଙ୍କ ପ୍ରତିଦିନ ଯିବା ଆସିବା କରିବାର ଆବଶ୍ୟକତା ରହିଛି। କଟକ ଭୁବନେଶ୍ୱରକୁ ବସରେ ଗଲେ ଲୋକେ ଅଧିକ ଟଙ୍କା ଦେଉଛନ୍ତି। କିନ୍ତୁ କେନ୍ଦ୍ରାପଡ଼ାରୁ କଟକ, ଭୁବନେଶ୍ୱର ଓ ପୁରୀକୁ ଟ୍ରେନ୍ରେ ଗଲେ ଅଳ୍ପ ଅର୍ଥ ଦେବାକୁ ପଡିବ ବୋଲି ସହରର ବୁଦ୍ଧିଜୀବୀମାନେ କହିଛନ୍ତି। ସହରର ବୁଦ୍ଧିଜୀବୀ ସମୀର ଚାନ୍ଦ କହିଛନ୍ତି ସେ କୌଣସି କାର୍ଯ୍ୟରେ ଷ୍ଟେଶନ ଯାଇଥିଲେ। ହେଲେ ଷ୍ଟେଶନରେ କୌଣସି ଯାତ୍ରୀ ନଥିଲେ। ଫଳରେ କେତେକ କୁକୁର ଷ୍ଟେଶନରେ ଶୋଇଥିଲେ। ଏ ନେଇ ସେ ଷ୍ଟେଶନ ମାଷ୍ଟରଙ୍କୁ ନିବେଦନ କରିଥିଲେ କେନ୍ଦ୍ରାପଡ଼ାରୁ କଟକ ଓ ଭୁବନେଶ୍ୱର ଏବଂ ପୁରୀକୁ ଟ୍ରେନ୍ ଚଳାଚଳ କରିବା ପାଇଁ ସରକାରଙ୍କୁ ନିବେଦନ କରିବାକୁ। ହେଲେ ଷ୍ଟେଶନ ମାଷ୍ଟର କହିଥିଲେ ଏ ନେଇ ସରକାର ଯାହା ପ୍ରାବଧାନ କରିବେ। ଏଠାରୁ ଟ୍ରେନ୍ ଚଳାଚଳ କରିବା ନେଇ ପ୍ରାବଧାନ କରିବା ତାଙ୍କ କ୍ଷମତା ପରିସର ବାହାରେ। ସେହିପରି ଅନ୍ୟ ଜଣେ ବୁଦ୍ଧିଜୀବୀ ଭଜନସମ୍ରାଟ ସ୍ୱର୍ଗୀୟ ଭିକାରୀ ବଳଙ୍କ ସୁପୁତ୍ର ଅମୀୟ ବଳ କହିଛନ୍ତି ଏହି ଷ୍ଟେଶନରୁ ବିଶେଷ ଯାତ୍ରୀବାହୀ ଟ୍ରେନ୍ ଗଡୁ ନଥିବାରୁ ଷ୍ଟେଶନ ଥାଇ ଯାହା ନଥାଇ ତାହା ଭଳି ଅନୁଭବ ହେଉଛି। କାରଣ କେନ୍ଦ୍ରାପଡ଼ା ଲୋକଙ୍କ ବିଶେଷ କାମ କଟକ ଭୁବନେଶ୍ୱରରେ ରହୁଛି। ସେହିପରି କେନ୍ଦ୍ରାପଡ଼ାରୁ ଅଧିକ ଭକ୍ତ ପୁରୀ ଯିବା ପାଇଁ ଇଚ୍ଛୁକ। ମା’ ତାରିଣୀଙ୍କ ଲୋକେ ଏଠାରୁ ଯାଉଛନ୍ତି ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ପୁରୀକୁ ଭକ୍ତ ଯିବା ଆସିବା କରିବା ପାଇଁ ଟ୍ରେନ୍ ଗଡିବା ନିହାତି ଆବଶ୍ୟକ। କଟକରେ ହାଇକୋର୍ଟ ରହିଛି। ବିଭିନ୍ନ ମାଲି ମକଦ୍ଦମାରେ ଲୋକେ କଟକ ଯାଉଛନ୍ତି। ହେଲେ ବସରେ ଅଧିକ ଭଡ଼ା ଦେବାକୁ ପଡୁଛି। କିନ୍ତୁ ଟ୍ରେନ୍ରେ ସେହି ଭଡା ଅଧାରୁ କମ ହେବ। ସେହିପରି ଭୁବନେଶ୍ୱରକୁ ମଧ୍ୟ ବହୁ ଲୋକଙ୍କ ଯିବା ଆସିବା କରିବାର ଆବଶ୍ୟକତା ରହୁଛି। ତେଣୁ ଭୁବନେଶ୍ୱରକୁ ମଧ୍ୟ ଟ୍ରେନ୍ ଗଡିବାର ଆବଶ୍ୟକତା ରହିଛି। ହେଲେ କେନ୍ଦ୍ରାପଡ଼ା ଷ୍ଟେଶନରୁ ସେହି ସୁବିଧା ନ ଥିବାରୁ ଯାତ୍ରୀମାନେ ହଇରାଣ ହରକତ ହେଉଛନ୍ତି। ଏ ନେଇ ଉଭୟ ବୁଦ୍ଧିଜୀବୀ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଘଟଣାକୁ ନେଇ ଆଗାମୀ ଦିନରେ କେନ୍ଦ୍ରାପଡାବାସୀ ଆନ୍ଦୋଳନ କରିବେ ବୋଲି କେତେକ ବୁଦ୍ଧିଜୀବୀ କହିଛନ୍ତି।


