ଓଟିଇଟି ପାସ୍ କରିଥିବା ବୟସ ଅତିକ୍ରାନ୍ତ ପ୍ରାର୍ଥୀମାନଙ୍କୁ ଶିକ୍ଷା ସହାୟକ ପଦରେ ନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ, (ଓ୍ବାଇଏନଏସ): ଓଟିଇଟି ପାସ୍ କରିଥିବା ନିଯୁକ୍ତି ବୟସ ଅତିକ୍ରାନ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ସଂପର୍କରେ ପୂର୍ବରୁ ଅଦାଲତଙ୍କ ନିର୍ଦ୍ଦେଶ ରହିଛି । ତେଣୁ ସମାନ ମାମଲା ପାଇଁ ଦିଆଯାଇଥିବା ପୂର୍ବ ଆଦେଶରେ ଆଉ କୌଣସି ପରିବର୍ତ୍ତନ କରାଯାଇ ପାରିବନାହିଁ । ସେହି ଆଧାରରେ ଓଟିଇଟି ପାସ୍ କରିସାରିଥିବା ବୟସ ଅତିକ୍ରାନ୍ତ ପ୍ରାର୍ଥୀମାନଙ୍କୁ ଶିକ୍ଷା ସହାୟକ ପଦରେ ନିଯୁକ୍ତି ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତନ୍ମୟ କୁମାର ପାତ୍ର ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଶଶିକାନ୍ତ ମିଶ୍ର ଏହି ଆଦେଶ ଦେଇଛନ୍ତି । ସେମାନଙ୍କୁ ଶିକ୍ଷା ସହାୟକ ପଦରେ ନିଯୁକ୍ତି ପାଇଁ ଆବେଦନକାରୀମାନେ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପଦାନ କରିବେ । ଏହି ସ୍ମାରକପତ୍ର ଉପରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ମାମଲାରୁ ଜଣାଯାଇଛି ଯେ, ଆବେଦନକାରୀମାନେ ଟ୍ରେନଡ୍ ଗ୍ରାଜୁଏଟ୍ । ଏଥିସହ ସେମାନେ ଓଟିଇଟି ପାସ୍ ମଧ୍ୟ କରିଛନ୍ତି । ଶିକ୍ଷା ସହାୟକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଯେଉଁ ଗାଇଡ୍ଲାଇନ୍ ଧାର୍ଯ୍ୟ କରିଛନ୍ତି ସେସବୁ ଶିକ୍ଷାଗତ ଯୋଗ୍ୟତା ଆବେଦନକାରୀମାନଙ୍କର ରହିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଇବା ଲାଗି ଏନ୍ସିଟି(ନ୍ୟାସନାଲ କାଉନ୍ସିଲ୍ ଫର୍ ଟିଚର୍ସ ଏଜୁକେସନ୍) ଯେଉଁ ଯୋଗ୍ୟତା ଧାର୍ଯ୍ୟ କରିଛି ତାହା ମଧ୍ୟ ଆବେଦନକାରୀଙ୍କର ରହିଛି । ୨୦୧୬ ମସିହାରେ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ବହୁ ସଂଖ୍ୟାରେ ଶିକ୍ଷା ସହାୟକ ପଦ ଫାଙ୍କା ରହିଥିଲା । ଆବେଦନକାରୀଙ୍କର ଶିକ୍ଷା ସହାୟକ ପଦରେ ନିଯୁକ୍ତି ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଥିବାରୁ ସେ ଏଥିପାଇଁ ଆବେଦନ କରିଥିଲେ । କିନ୍ତୁ ଧାର୍ଯ୍ୟ ବୟସ ସୀମା ଅତିକ୍ରମ କରିଯାଇଥିବାରୁ ସେମାନଙ୍କ ଆବେଦନକୁ ଖାରଜ କରି ଦିଆଯାଇଥିଲା । ଏନେଇ ହାଇକୋର୍ଟରେ ବହୁ ସଂଖ୍ୟାରେ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ୨୦୨୦ ମସିହାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ବହୁ ସଂଖ୍ୟାରେ ଖାଲିଥିବା ଶିକ୍ଷା ସହାୟକ ପଦରେ ଓଟିଇଟି ଶିକ୍ଷାଗତ ଯୋଗ୍ୟତାଧାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଶିକ୍ଷା ସହାୟକ ବା ଏହାସହ ସମାନ ଥିବା ପଦରେ ଏହି ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଅଦାଲତଙ୍କ ସେହି ଆଦେଶ ଆଧାରରେ ନୂଆ ଆବେଦନକାରୀମାନେ ହାଇକୋର୍ଟକୁ ଆସିଥିଲେ । ଯେହେତୁ ପୂର୍ବ ମାମଲା ସହ ଏହି ମାମଲା ସମାନ ତେଣୁ ପୃଥକ ଆଦେଶ ଦିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ ମତଦେବା ସହ ଆବେଦନକାରୀ ମାନଙ୍କୁ ନିଯୁକ୍ତି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


