ହାଟଡିହି ବ୍ଳକରେ ମନରେଗା ଦୁର୍ନୀତି: ଅନ୍ୟ ବ୍ଲକର ବିପିସି ସାଜିଛନ୍ତି ଶ୍ରମିକ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍‌ରେ ମନେରଗା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିଲେ ବି ଏଥିରେ ରୋକ ଲାଗିପାରୁନି। ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପେଡି ଖୋଲିବାରେ ଲାଗିଛି। ବିଶେଷ କରି ମରେଇଗାଁ ପଞ୍ଚାୟତରେ ହୋଇଥିବା ଦୁର୍ନୀତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବୃକର ମରେଈଗାଁ ପଞ୍ଚାୟତର ବନ୍ତଳାଠାରୁ ଜମ୍ଭୀରା ପର୍ଯ୍ୟନ୍ତ ମନରେଗା ଯୋଜନାର ହୋଇଥିବା ୨ଟିପ୍ରକଳ୍ପରେ ଦୁର୍ନୀତିର ଗନ୍ଧ ବାରିହୋଇପଡୁଛି। ଏହି ପଞ୍ଚାୟତର ବନ୍ତଳା ଗ୍ରାମଠାରୁ ଜମ୍ଭୀରା ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ ମନରେଗା ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଯାହାର ଅନୁମୋଦନ ନଂ ହେଉଛି-୨୪୦୩୦୦୯/ ୨୦୨୪-୨୦୨୫/୨୪୭୮୨/ ଏଏସ । ଏହି କାର୍ଯ୍ୟ ୨୦୨୫ ମସିହା ଅପ୍ରେଲ ୧୦ ତାରିଖରୁ ଆରମ୍ଭ ହୋଇ ୧୫୬ ଜଣ ଜବକାର୍ଡଧାରୀ ଶ୍ରମିକ ୧୦୭୭ ଦିନ କାର୍ଯ୍ୟ କରିଥିବା ଦର୍ଶାଇ ମଜୁରୀ ବାବଦକୁ ୨ ଲକ୍ଷ ୯୪ ହଜାର ୨୧ ଟଙ୍କା ପ୍ରଦାନ କରାଯାଇଥିଲା। ଏହି ରାସ୍ତା କାର୍ଯ୍ୟ ୬ ମାସ ମଧ୍ୟରେ ଶେଷ ହେବାକୁ ଲକ୍ଷ ରଖାଯାଇଥିଲେ ମଧ୍ୟ ତାହା ଏବେ ବି ଅସମ୍ପୂର୍ଣ୍ଣ ଥିବା ଅଭିଯୋଗ ହୋଇଛି। ସେହିପରି ଗତବର୍ଷ ଉକ୍ତ ରାସ୍ତାଟି ପଞ୍ଚାୟତିରାଜ ବିଭାଗରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନକୁ ଚାଲିଯିବାପରେ ଏହି ରାସ୍ତାର ନିର୍ମାଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇ ଟେଣ୍ଡର ଆହ୍ଵାନ ସହ ଜନୈକ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କଯାଇଥିଲା। କିନ୍ତୁ, ମରେଇଗାଁ ପଞ୍ଚାୟତ ଓ ହାଟଡିହି ବ୍ଳକର କିଛି ଅସାଧୁ କର୍ମଚାରୀ ଓ ଜନ ପ୍ରତିନିଧ ଏହି ରାସ୍ତାକୁ ପୁନର୍ବାର ମନରେଗା ଯୋଜନାରେ ସାମିଲ କରି ୧୦ ଲକ୍ଷ ବ୍ୟୟ ଅଟକଳରେ “କେଶବ ଜେନା ଘରଠାରୁ ଜମ୍ଭୀରା ପର୍ଯ୍ୟନ୍ତ’ ନାଁ ରେ ଅନ୍ୟ ଏକ ପ୍ରକଳ୍ପ ପ୍ରସ୍ତୁତ କରି ଏପର୍ଯ୍ୟନ୍ତ ବିଭିନ୍ନ ଜବକାର୍ଡଧାରୀ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦେଇଥିବା ଦର୍ଶାଇ ୯୦ହଜାର ୯୦୯ ଟଙ୍କା ଉଠାଇ ନେଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏହି ପ୍ରକଳ୍ପ ୨୦୨୬ ମସିହା ଜାନୁୟାରୀ ୧୦ ତାରିଖରୁ ଆରମ୍ଭ ହୋଇଥିବା ଦର୍ଶାଯାଇଥିବାବେଳେ ୫୧ ଜଣ ଶ୍ରମିକଙ୍କୁ ୩୩୯ ଦିନର କାର୍ଯ୍ୟ କରିଥିବା ଦର୍ଶାଯାଇଛି। ଏହି ରାସ୍ତାର କାର୍ଯ୍ୟାଦେଶ ନଂ ହେଉଛି- ୨୪୦୩୦୦୯୦୧୯/ ଆରସି/ୱାଇଡ଼ି / ୧୦୬୬୭୬୩୯। ଜନ୍‌କାର୍ଡଧାରୀ ଶ୍ରମିକମାନେ ଆଦୌ କାର୍ଯ୍ୟ କରୁନଥିବାବେଳେ ଏକ ନିର୍ଦ୍ଦିଷ୍ଟ ଫଟୋକୁ ବାରମ୍ବାର ବ୍ୟବହାର କରାଯାଉଥିବା ଜଣାପଡ଼ିଛି। ଏପରିକି ବାହାର ଜିଲ୍ଲାର ଏକ  ବ୍ଲକରେ ବିପିସି ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କୁ ଶ୍ରମିକ ଭାବେ ଦର୍ଶାଇ ତାଙ୍କୁ ଜବକାର୍ଡ ମାଧ୍ୟମରେ ମଜୁରୀ ଅର୍ଥ ଯୋଗାଇ ଦିଅ ଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩ କୋଟି ଟଙ୍କା ବ୍ୟୟରେ ନିର୍ମାଣହେବାକୁ ଥିବା ରାସ୍ତାରେ ପଞ୍ଚାୟତିରାଜ ବିଭାଗର ୧୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ ହେବାକୁ ଥିବା ରାସ୍ତାରେ ମନରେଗା ଯୋଜନାରେ ଅର୍ଥ ହଡ଼ପ କରିବାକୁ ସୁଚିନ୍ତିତ ଯୋଜନା କରାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏହି ବ୍ଳକର ୩୧ ଗୋଟି ପଞ୍ଚାୟତରେ ମନରେଗା ଯୋଜନାରେ ମୋଟ୍ ୯ କୋଟି ୭୮ ଲକ୍ଷ ୨୯ ହଜାର ଖର୍ଚ୍ଚ ହୋଇଥିବା ଦର୍ଶାଇଥିବାବେଳେ ସେଥୁରୁ ଜବକାର୍ଡ ଧାରୀ ଅଣକୁଶଳୀ ଶ୍ରମିକଙ୍କୁ ମଜୁରୀ ବାବଦକୁ ୯ କୋଟି ୪୦ ଲକ୍ଷ ୪୮ ହଜାର ଟଙ୍କା ପ୍ରଦାନ କରାଯାଇଛି। ଅଧିକାଂଶ ପ୍ରକଳ୍ପରେ କାର୍ଯ୍ୟ ନହୋଇ ମିଥ୍ୟା ମାଷ୍ଟର ରୋଲ୍ ମାଧ୍ୟମରେ ବିଲ୍ ଉଠାଣ, ମେସିନରେ କାର୍ଯ୍ୟ କରି ଅଯୋଗ୍ୟ ଜବକାର୍ଡ ଧାରୀଙ୍କୁ ମନରେଗା ଅର୍ଥ ପ୍ରଦାନ ହୋଇଛି। ଚଳିତ ବର୍ଷ ହାଟଡିହି ବ୍ଳକର ଖର୍ଚ୍ଚ ହୋଇଥିବା ମୋଟ ୯ କୋଟି ୭୮ ଲକ୍ଷ ୨୯ ହଜାର ଟଙ୍କାର ତଦନ୍ତ କରାଗଲେ ଅନେକ ଦୁର୍ନୀତି ସାମ୍ନାକୁ ଆସିପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ