ଶିଶୁଙ୍କ ପାଇଁ ସୁରକ୍ଷା କବଚ ସାଜିଛି ଆସିକା ମେଡିକାଲର ପୁଷ୍ଟି ପୁନର୍ବାସ କେନ୍ଦ୍ର

ଆସିକା (ୱାଇଏନ୍‍ଏସ୍‍) :ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଗତ ୨୦୧୭ ମସିହା ଫେବୃୟାରୀ ମାସ ୨୮ ତାରିଖରେ ଲୋକାର୍ପିତ ହୋଇଥିବା ୧୦ ଶଯ୍ୟା ବିଶିଷ୍ଟ ପୁଷ୍ଟି ପୁନର୍ବାସ କେନ୍ଦ୍ର (ଏନ୍‍ଆର୍‍ସି) କୁପୋଷଣରେ ଶୀକାର ହେଉଥିବା ଶିଶୁମାନଙ୍କ ପାଇଁ ସୁରକ୍ଷା କବଚ ଓ ବରଦାନ ସାଜିଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ କୁପୋଷଣରେ ଶୀକାର ଶିଶୁଙ୍କୁ ଚିହ୍ନଟ କରି ପୁଷ୍ଟି ପୁନର୍ବାସ କେନ୍ଦ୍ରରେ ଚିକିତ୍ସା ଲାଗି ଭର୍ତ୍ତି କରୁଥିଲା ବେଳେ ସେଠାରେ ଶିଶୁଙ୍କୁ ଖାଦ୍ୟପେୟ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟଗତ ସେବା ଓ ଶାରୀରିକ ପ୍ରାଥମିକତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ଦେଖିବାକୁ ମିଳୁଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ପୁଷ୍ଟି ପୁନର୍ବାସ କେନ୍ଦ୍ରରେ କୁପୋଷଣର ଶୀକାର ହୋଇ ଚିକିତ୍ସା ଲାଗି ଭର୍ତ୍ତି ହେଉଥିବା ଶିଶୁଙ୍କ ଶାରୀରିକ ସମସ୍ୟା ଦୂର କରାଯିବା ଯୋଗୁଁ ସେମାନେ ସୁସ୍ଥ ଓ ନିରାମୟ ଜୀବନ ବଞ୍ଚିବାରେ ସକ୍ଷମ ହୋଇପାରୁଛନ୍ତି ବୋଲି ଆଲୋଚିତ ହେଉଛି । ଆସିକା ମେଡିକାଲର ପୁଷ୍ଟି ପୁନର୍ବାସ କେନ୍ଦ୍ର କୁପୋଷଣର ଶୀକାର ଶିଶୁଙ୍କ ମୁହଁରେ ହସ ଫୁଟାଇ ପାରୁଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ୨୦୧୭ ମସିହାରେ ଖୋଲିଥିବା ପୁଷ୍ଟି ପୁନର୍ବାସ କେନ୍ଦ୍ରରେ ୨୦୨୬ ମସିହା ଫେବୃୟାରୀ ମାସ ୨୪ ତାରିଖ ସୁଦ୍ଧା ୮୩୪ ଜଣ କୁପୋଷଣରେ ଶୀକାର ଶିଶୁ ଉପକୃତ ହୋଇଥିବା ଜଣାପଡିଛି । ଆସିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ରେ ୧୩୮ ଜଣ ଶିଶୁ, ୨୦୧୯-୨୦ ରେ ୧୫୨ ଜଣ ଶିଶୁ, ୨୦୨୦-୨୧ ରେ ୧୦୬ ଜଣ ଶିଶୁ, ୨୦୨୧-୨୨ ରେ ୧୧୨ ଜଣ ଶିଶୁ, ୨୦୨୨-୨୩ ରେ ୧୪୦ ଜଣ ଶିଶୁ, ୨୦୨୩-୨୪ ରେ ୧୮୬ ଜଣ ଶିଶୁ, ୨୦୨୪-୨୫ ରେ ୧୭୬ ଜଣ ଶିଶୁ ଏବଂ ୨୦୨୫ ମସିହା ଠାରୁ ଚଳିତ ଫେବୃୟାରୀ ମାସ ୨୪ ତାରିଖ ପର୍ଯ୍ୟନ୍ତ ୧୪୦ ଜଣ ଶିଶୁ ଚିକିତ୍ସିତ ହୋଇଥିବା ଜଣାପଡିଛି । ୧୦ ଶଯ୍ୟା ବିଶିଷ୍ଟ ଆସିକା ଉପଖଣ୍ଡ ଚିକିତ୍ସାଳୟର ପୁଷ୍ଟି ପୁନର୍ବାସ କେନ୍ଦ୍ର (ଏନ୍‍ଆର୍‍ସି)ରେ ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମଚାରୀ ନିୟୋଜିତ ଥିବା ଜଣାପଡିଛି । କୁପୋଷଣର ଶୀକାର ଶିଶୁମାନେ ଯେପରି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ମେଡିକାଲ୍‍ ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଦୀପକ କୁମାର ରାଉତ, ପୁଷ୍ଟି ପୁନର୍ବାସ କେନ୍ଦ୍ରର କର୍ମଚାରୀ ରୋଜାଲିନ୍‍ ସାହୁ, ସୁଚିତ୍ରା ବେହେରା, ମଧୁ ପ୍ରଧାନ, ସୁଜାତା ପ୍ରଧାନଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳରେ କୁପୋଷଣର ଶୀକାର ହେଉଥିବା ଶିଶୁମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂର କରି କୁପୋଷଣରୁ ଦୂର କରିବା ପାଇଁ ଏହି ପୁଷ୍ଟି ପୁନର୍ବାସ କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ସ୍ୱାସ୍ଥ୍ୟବିଭାଗର ପଦାଧିକାରୀଙ୍କ ସମେତ ଅନ୍ୟ କେତେକ ବିଭାଗର ମିଳିତ ସମନ୍ୱୟରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ବୟସର ଶିଶୁଙ୍କୁ ତୃଣମୂଳ ସ୍ତରରେ ଚିହ୍ନଟ କରାଯିବା ସହ ସେମାନଙ୍କ ପରିବାରବର୍ଗଙ୍କୁ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଇ ପୁଷ୍ଟି ପୁନର୍ବାସ କେନ୍ଦ୍ରକୁ ଅଣାଯାଉଛି । ସେଠାରେ ଶିଶୁଙ୍କ ଓଜନ, ଉଚ୍ଚତା ଓ ବାହୁର ଆୟତନ ଅନୁସାରେ ବର୍ଗିକରଣ କରାଯାଇ ସ୍ୱତନ୍ତ୍ର ପ୍ରସ୍ତୁତ ଖାଦ୍ୟ ଦିଆଯାଉଛି । ଆସିକା ଉପଖଣ୍ଡ ଚିିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ସମେତ ପୁଷ୍ଟି ପୁନର୍ବାସ କେନ୍ଦ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ପରାମର୍ଶ ଅନୁସାରେ ଶିଶୁଙ୍କୁ ୧୪ ଦିନ କିମ୍ବା ଓଜନର ୧୫ ପ୍ରତିଶତ ବୃଦ୍ଧି ପର୍ଯ୍ୟନ୍ତ ଚିକିତ୍ସା କରାଯାଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ