ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ
ଛତ୍ରପୁର, (ଓ୍ବାଇଏନଏସ): ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନପୂର୍ବକ ବିଜୁ ପଟ୍ଟନାୟକଙ୍କ ପ୍ରତିଛବିରେ ପୁଷ୍ପମାଲ୍ଯାର୍ପଣସହ ଶୁଭାରମ୍ଭ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବିଜୁବାବୁଙ୍କ ନିଷ୍ପତ୍ତି ନେବାର ସାହସ, ଓଡିଶା ପ୍ରତି ପ୍ରତିବଦ୍ଧତା ଏବଂ ତାଙ୍କର ଚିନ୍ତାଧାରା ମହାନ ଥିଲା । ସେ ଥିଲେ ପ୍ରକୃତରେ ଜଣେ ଜନନାୟକ । ବିଜୁ ପଟ୍ଟନାୟକ ଜଣେ ଅସାଧାରଣ ବ୍ଯକ୍ତିତ୍ବର ଅଧିକାରୀ ଥିଲେ । ଇଣ୍ଡୋନେସିଆ ସରକାର ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲା ବୋଲି ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ଯରେ ପ୍ରକାଶ କରିଥିଲେ । ବିଜୁ ବାବୁ ନିର୍ଭିକତା, ଆତ୍ମ ସମ୍ମାନ ଏବଂ ନିଃସ୍ଵାର୍ଥପର ସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ଶ୍ରୀ ଚୌଧୁରୀ ମତବ୍ଯକ୍ତ କରିଥିଲେ । ଅବସରପ୍ରାପ୍ତ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ଶତପଥୀ ଅନ୍ଯତମ ଅତିଥି ଭାବେ ଯୋଗଦେଇ ବିଜୁବାବୁ ଅଦମ୍ୟ ସାହାସିକତା ପାଇଁ ଝଡର ଇଗଲ ବୋଲି ପରିଚିତ ଥିଲେ ବୋଲି ସେ ତାଙ୍କ ବକ୍ତବ୍ଯରେ କହିଥିଲେ । ବିଜୁବାବୁ ଦୁଇଦୁଇଥର ଓଡିଶାର ମୁଖ୍ଯମନ୍ତ୍ରୀ ପଦ ସମ୍ଭାଳିବା ସହ ଜନତାଙ୍କ ଦୁଃଖ ଦୂର କରିବାକୁ ସର୍ବଦା ଚେଷ୍ଟିତ ଥିଲେ ବୋଲି ଶ୍ରୀ ଶତପଥୀ ମତବ୍ଯକ୍ତ କରିଥିଲେ । ସମାଜସେବୀ ଅରୁଣ କୁମାର ଶତପଥୀ ଯୋଗଦେଇ ବିଜୁବାବୁଙ୍କ ସାହାସିକତା ଓ ଦୂରଦୃଷ୍ଟି ବିଷୟରେ ବର୍ଣ୍ଣନା କରିବା ସହ ବିଜୁପଟ୍ଟନାୟକଙ୍କ ସହ ତାଙ୍କର ଅଙ୍ଗେନିଭା ସ୍ମୃତିଚାରଣ କରିଥିଲେ । ଅବସରପ୍ରାପ୍ତ କର୍ମଚାରୀ ବିଶ୍ବମ୍ଭର ରଥ, ଅବସରପ୍ରାପ୍ତ ଶିକ୍ଷକ ଏ. ବିଶ୍ବମ୍ଭର ଓ ସହରର ମାନ୍ଯଗଣ୍ୟ ବ୍ଯକ୍ତି ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ଯବାଦ ଅର୍ପଣ କରିଥିଲେ ।


