ଆସିକା ସହରରେ ମାତିଲେ ଲୁଟେରା: ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ମୁଖରୁ ଅଳଙ୍କାର ଚୋରୀ
ଆସିକା (ୱାଇଏନ୍ଏସ୍) ଦୀର୍ଘ : ଦିନର ନୀରବତା ପରେ ଆସିକା ସହରରେ ବିଳମ୍ବିତ ରାତ୍ରରେ ଲୁଟେରାଙ୍କ ପ୍ରାଦୁର୍ଭାବ ଦେଖାଦେଇଥିବା ବେଳେ ଏହା ଅଞ୍ଚଳବାସୀଙ୍କୁ ହତଚକିତ କରିପକାଇଛି । ଆସ୍ଥା, ଭକ୍ତି ଓ ବିଶ୍ୱାସର ପ୍ରତୀକ ରୂପେ ସଦାସର୍ବଦା ପରିଚିତା ଥିବା ଆସିକାର ଅଧିଷ୍ଠାତ୍ରୀ ଦେବୀ ଜଗତ୍ଜନନୀ କଲ୍ୟାଣମୟୀ ମା ଖମ୍ବେଶ୍ୱରୀଙ୍କ ମୁଖରୁ ଶୁକ୍ରବାର ବିଳମ୍ବିତ ରାତ୍ରରେ ଅତ୍ୟନ୍ତ ନିର୍ଦ୍ଦୟ ଓ ବେଧର୍ମୀ ଭାବେ ଅଳଙ୍କାର ଦୁର୍ବୃତ୍ତମାନେ ଚୋରୀ କରିନେଇଯିବା ଘଟଣାକୁ ନେଇ ସାଧାରଣରେ ଚିନ୍ତା ପ୍ରକଟ କରାଯାଇଥିବା ଦେଖିବାକୁ ମିଳିଛି । ଏ ସଂପର୍କରେ ଖବର ନେବାରେ ଜଣାଯାଏ ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ମନ୍ଦିରର ଗର୍ଭଗୃହର ତାଲା ଭାଙ୍ଗିବା ସହ ସିସିଟିଭି ତାରକୁ କାଟି ଦୁର୍ବୃତ୍ତମାନେ ମାଙ୍କ ମୁଖରୁ ଗହଣା ଚୋରୀ କରିନେଇଯାଇଥିବା ଘଟଣା ଶନିବାର ପ୍ରତ୍ୟୁଷରେ ପ୍ରଚାରିତ ହେବା ପରେ ଘଟଣା କଣ ଜାଣିବା ପାଇଁ ମନ୍ଦିର ନିକଟକୁ ଶ୍ରଦ୍ଧାଳୁ ଭକ୍ତ, ସଚେତନ ନାଗରିକ ଓ ଆଧ୍ୟାତ୍ମିକପ୍ରେମୀଙ୍କ ସୁଅ ଛୁଟିଥିଲା । କେଉଁ ପରିସ୍ଥିତିରେ ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ମନ୍ଦିରରେ ବିଳମ୍ବିତ ରାତ୍ରରେ ଦୁର୍ବୃତ୍ତମାନେ ପ୍ରବେଶ କରିବାକୁ ସାହସ କଲେ ଓ ମାଙ୍କ ମୁଖରୁ ଆଖି, ନାକ, ଜିଭ, ଭ୍ରୁଲତା, ଦଣ୍ଡି, ମଥାମଣି ସମେତ ଅନ୍ୟାନ୍ୟ ଅଳଙ୍କାର ଲୁଟି କରିନେଇଗଲେ ତାହାକୁ ନେଇ ଶ୍ରଦ୍ଧାଳୁ ଭକ୍ତଙ୍କ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି । ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ମୁଖରୁ ଅଳଙ୍କାର ଚୋରୀ ସଂକ୍ରାନ୍ତରେ ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବା ଲକ୍ଷ୍ୟ କରାଯାଇଛି । ଏହି ଚୋରୀ ଘଟଣା ସଂକ୍ରାନ୍ତରେ ଆସିକା ଥାନାରେ ୯୯/୨୦୨୬ ରେ ଏକ ମାମଲା ରୁଜୁ ହୋଇଥିଲା ବେଳେ ଅଭିଯୁକ୍ତମାନଙ୍କୁ ଅତିଶୀଘ୍ର ଗିରଫ କରାଯାଇ ଚୋରୀ ଘଟଣାର ରହସ୍ୟ ଉନ୍ମୋଚନ କରାଯିବ ବୋଲି ଆସିକା ଥାନା ଅଧିକାରୀ ସୁଧିର କୁମାର ସାହୁ ସୂଚନା ଦେଇଛନ୍ତି ।


