ସମାଜସେବୀଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲା : ୨ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସହଦେବ ଟିକରପଡା ଗ୍ରାମ ବାଇପାସ୍ ଛକରେ ସମାଜସେବୀ ମନୋଜ କୁମାର ପଟ୍ଟନାୟକଙ୍କୁ ଗ୍ରାମର କିଛି ଯୁବକ ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏନେଇ ମନୋଜ କେ . ନୂଆଗାଁ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ଥାନା କେସ୍ ନଂ ୭୫/୨୬ ଅନୁସାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତ ଦ୍ବୟ ହେଲେ ଗ୍ରାମର କାଳୁ ଗୈାଡ ଓ ତାଙ୍କ ପୁଅ ମନୋଜ ଗୈାଡ। ଖବରନୁଯାୟୀ , ମନୋଜ ଜଣେ ସାମାଜିକ କର୍ମୀ ଭାବରେ ବେଶ୍ ଜଣାଶୁଣା । ନିକଟରେ ଗ୍ରାମରେ ଯାତ୍ରା ହେବାକୁ ଥିବାବେଳେ ରାତିରେ ଏକ ସଭା ପାଇଁ ପ୍ରସ୍ତୁତ ହେଉଥିଲେ । ସନ୍ଧ୍ୟା ୭ ଘଣ୍ଟା ସମୟରେ ସେ ନିଜ କାର ଯୋଗେ ବାଇପାସ୍ ଛକକୁ ଯାଇଥିଲେ । ସେଠାରେ ଚାହା ପିଉଥିବା ବେଳେ ଗ୍ରାମର କାଳୁ ଗୈାଡ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ଉଭୟ ଧସ୍ତାଧସ୍ତି ହୋଇଥିଲେ । ସେହି ସମୟରେ କାଳୁଙ୍କ ଦୁଇ ପୁଅ ମନୋଜ ଗୈାଡ ଓ ସନୁ ଗୈାଡ , ଭଣଜା ରାମକୃଷ୍ଣ ଗୈାଡ , ପୁତୁରା ଶିବ ଗୈାଡ , କାଲା ଗୈାଡ ଓ ଭାଇ ଟୁକୁନା ଗୈାଡ ମିଳିତ ଭାବେ ମନୋଜଙ୍କୁ ମରଣାନ୍ତକ ଆକ୍ରମଣ କରିବା ବେଳେ କାଳୁ ଏକ କାଠ ଫାଳିଆରେ ମୁଣ୍ଡକୁ ଆକ୍ରମଣ କରିଥିଲା । ମନୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ଯୁବକ ମାନେ ସେଠାରୁ ଚମ୍ପଟ ମାରିଥିଲେ । ଏପରିକି ମନୋଜଙ୍କ ସୁନା ଚେନ ସମେତ ୨୫ ଶହ ଟଙ୍କା ଛଡାଇ ନେଇଥିବା ଏତଲାରେ ଉଲ୍ଲେଖ ହୋଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନୋଜଙ୍କୁ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ମନୋଜ ଥାନାରେ ଏତଲା ଦେଇଥିଲେ । ଖବରପାଇ ପୋଲିସ ସହଦେବ ଟିକରପଡା ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଅପରପକ୍ଷରେ ଗତ ୨୦୨୫ ନଭେମ୍ବର ୫ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା ଦିନ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଶ୍ୟାମ ନାୟକଙ୍କୁ ଅତର୍କିତ ଆକ୍ରମଣ କରାଯାଇଥିଲା । ଘଟଣାରେ ପୋଲିସ ଅଭିଯୁକ୍ତ କାଳୁ ଗୈାଡ ଗିରଫ କରି ଜେଲ ପଠାଇଥିଲା । ତେବେ ସେ ସର୍ତ୍ତ ମୂଳକ ଜାମିନରେ ଆସି ପୁଣିଥରେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି କରିଥିବା ସାଧାରଣରେ ଚର୍ଚ୍ଚା ହୋଇ ଆସୁଥିବା ଜଣାପଡିଛି । ପୂର୍ବରୁ କାଳୁ , ମନୋଜ ଓ ରାମକୃଷ୍ଣଙ୍କ ନାମରେ ହତ୍ୟା ମାମଲା ରହିଥିବା ବେଳେ ପଞ୍ଚାୟତର ଜଣେ ଭାଜପା ନେତାଙ୍କ ପ୍ରୋରଚନାରେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ମନୋଜ ପୋଲିସ ନିକଟରେ କହିଛନ୍ତି । ବୁଧବାର ଅପରାହ୍ନରେ ପୋଲିସ କାଳୁ ଓ ମନୋଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ତେବେ ଘଟଣା ପରଠାରୁ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ଏବଂ ଯଥାଶୀଘ୍ର ଅନ୍ଯ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ
ଏନେଇ ଥାନା ଅଧିକାରୀ ବିଶ୍ୱଜିତ ନାୟକ କହିଛନ୍ତି ।


