ପୁଣି ମାତିଲେ ଚୋର, ଗୋଟିଏ ପରେ ଗୋଟିଏ ଘରେ କଳାକନା ବୁଲାଉଛନ୍ତି ଚୋର
ହାଟଡିହି (ଓ୍ବାଇଏନଏସ): କିଛିଦିନର ନୀରବତା ପରେ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଲୁଟ ହୋଇ ଚାଲିଛି। ଦୁଇଦିନ ଭିତରେ ଦୁଇଟି ଲୁଟ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗତ ମଙ୍ଗଳବାର ସୁଲଣ ଗାଁ ନିକଟରୁ ଦିନ ଦିପହରେ ଲୁଟ ହୋଇଛି। ଗୃହକର୍ତ୍ତା ମଧୁସୂଦନ ଜେନା ଜଣେ ଶିକ୍ଷକ ହୋଇଥିବାରୁ ସେ ସ୍କୁଲ ଯିବାପରେ ତାଙ୍କ ଅନୁପସ୍ଥିତର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଘରର ତାଲା ଭାଙ୍ଗି ନଗଦ ଦେଢ଼ ଲକ୍ଷ ଟଙ୍କା ସହ ୪ଭରି ଓଜନର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ ବି ଲୁଟେରାଙ୍କ ସମ୍ପର୍କରେ ଲୁଟେରା ଙ୍କ ସନ୍ଧାନ ପାଇ ପାରିନି। ଅନ୍ୟ ପକ୍ଷରେ ବୁଧବାର ଶାସଙ୍ଗ ଗ୍ରାମର ହେମନ୍ତ ସ୍ୱାଇଁଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ। ଘରର ଝରକା ଗ୍ରିଲ ଭାଙ୍ଗି ୪ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଚୋରୀ ହୋଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଚେରମାନେ ତାଙ୍କ ସାନଭାଇଙ୍କ ରୁମରେ କେହି ରହୁ ନଥିବା ସୁଯୋଗ ନେଇ ତାଙ୍କ ଝରକା ଗ୍ରିଲ ତାଡି ଘର ଭିତରେ ପସି ଗୋଟିଏ ସୁନାଚେନ , ଦୁଇଟି କାନଫୁଲ, ଚାରୋଟି ମୁଦି, ଦୁଇହଳ ରୂପାର ପାଉଁଜି, ଗୋଟିଏ ରୁପା ଥାଳିଆ, ରୁପା ତାଟିଆ, ରୁପା ଚାମଚ ନେଇ ଯାଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷରୁ ଉର୍ଦ୍ଧ ହେବ। ଭିତରପଟୁ କବାଟ ବନ୍ଦ ଥିବା ଦେଖିବା ପରେ ପରିବାର ଲୋକେ ଚୋରୀ ସମ୍ପର୍କରେ ଜାଣିଥିଲେ। ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ ହେବାପରେ ନନ୍ଦିପଦା ପୋଲିସ ଆଜି ତଦନ୍ତ ଆରମ୍ଭ କରିଛି। ଗତ କିଛିମାସ ତଳେ ଆନନ୍ଦପୁର ଉପଖଣ୍ଡରେ ଏପରି ଅନେକ ଚୋରୀ ଘଟଣା ଘଟିଥିଲେ ବି ପୋଲିସ ଚୋରଙ୍କ ସମ୍ପର୍କରେ ସାମାନ୍ୟ ତମ ସୂଚନା ପାଇ ପାରିନି।


