ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ

ଆସିକା (ୱାଇଏନ୍‍ଏସ୍‍) : ଖରା ବଢୁଛି ତା ସାଙ୍ଗକୁ ଅସହ୍ୟ ଗରମ ଓ ଗୁଳୁଗୁଳି । ଏମିତି ଟାଣ ଖରାରେ କେତେକ ସମୟରେ ବିଦ୍ୟାଳୟରୁ ଘରକୁ ଫେରୁଛନ୍ତି ଛାତ୍ରଛାତ୍ରୀ । ଟାଣ ଖରା ସାଙ୍ଗକୁ ଶ୍ରେଣୀଗୃହରେ ସନ୍ତୁଳି ହେଉଛନ୍ତି ବିଦ୍ୟାର୍ଥୀ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ କେତେକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍‍ ରହୁଥିବା ଆଲୋଚିତ ହେଉଛି । ଗ୍ରୀଷ୍ମତାତି ଛାତ୍ରଛାତ୍ରୀଙ୍କୁ ଅଧିକାଂଶ ବିଦ୍ୟାଳୟ ପରିସରରେ କଲବଲ କରୁଥିବା ବେଳେ ଅସହ୍ୟ କରୁଛି ଖରା ଓ ଗୁଳୁଗୁଳି । ଗତ କିଛି ଦିନ ହେଲା ସକାଳ ୯ଟା ପରେ ତାତି ଅସମ୍ଭାଳ ଅନୁଭୁତ ହେଉଛି । ଏବେଠୁ ତାତି ଅସମ୍ଭାଳ ହେବାରେ ଲାଗିଲାଣି । ଦିନରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ରହୁଛି । ଖାଲି ଫେନ୍‍ରେ ଘରେ ବସି ହେଉନି । ଏପରି ଅବସ୍ଥାରେ ସରକାରୀ ବିଦ୍ୟାଳୟରେ କେତେକ ସମୟରେ ଅସହ୍ୟ ତାତିରେ ଶିଶୁବାଟିକା ଠାରୁ ଆରମ୍ଭ କରି ଉଚ୍ଚତର ପାଠ୍ୟକ୍ରମର ବିଦ୍ୟାର୍ଥୀମାନେ ଅସ୍ତବ୍ୟସ୍ତ ହୋଇପଡିଲେଣି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡିକର ପରିଚାଳନା ସମୟ ସକାଳୁଆ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାକୁ ଯୁବ ଆଇନଜୀବୀ ରାଘବ କୁମାର ନାହାକ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ