ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ହେଲା ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ବର୍ଷ ହେଲା ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରାୟ ୧୫ଗୋଟି ପଂଚାୟତ ସମେତ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ ଥିବା ବେଳେ ପ୍ରତିଦିନ ଏଠାକୁ ପାଖାପାଖି ଏକ ଶହ ରୁ ଉର୍ଦ୍ଧ ରୋଗୀ ଆସନ୍ତି। ମାତ୍ର ପରିତାପ ର ବିଷୟ ବିଶେଷଜ୍ଞ ଡାକ୍ତର, ଫାର୍ମାସିଷ୍ଟ, ଆବଶ୍ୟକ ଯନ୍ତ୍ରପାତି ଓ ଭିତ୍ତିଭୂମି ଅଭାବ ରୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳିପାରୁନାହିଁ। ତେଣୁ ୮୦ପ୍ରତିଶତ ରୋଗୀ ଚାରିଛକ, ପୁରୀ କିମ୍ବା କଟକ ଭୁବନେଶ୍ୱର ରେଫର (ସ୍ଥାନାନ୍ତର )ହେଉଛନ୍ତି। ଅନେକ ରୋଗୀ ଘରୋଇ ହସ୍ପିଟାଲ କୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଏହି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ଖଣ୍ଡାସାହି, ରତନପୁର ରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। ସେଗୁଡିକ ଅବସ୍ଥା ମଧ୍ୟ ସମାନ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୁଖ୍ୟତଃ ଏମବିବିଏସ ଡାକ୍ତର ଓ ସ୍ପେଶାଲିଷ୍ଟ କୁ ମିଶାଇ ୧୫ରୁ ଉର୍ଦ୍ଧ ପଦବୀ ରହିଛି। କିନ୍ତୁ କୌଣସି ବିଶେଷଜ୍ଞ ଡକ୍ଟର ନାହାନ୍ତି। ସେହିଭଳି ଆବଶ୍ୟକ ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ ଭଳି ପଦବୀ ଫାଙ୍କା ରହିଛି। ନୂତନ ହସ୍ପିଟାଲ ପାଈଁ ଅସ୍ତରଙ୍ଗ ରୁ ନୂଆଗଡ ରାସ୍ତାରେ କିଛି ଦିନ ତଳେ ଜମି ଚିହ୍ନଟ ହୋଇଥିବା ବେଳେ ପରେ ଗ୍ରହଣୀୟ ଅନୁପଯୋଗୀ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ତେଣୁ ଅନୁଦାନ ଆସୁଥିଲେ ମଧ୍ୟ ଜାଗା ମିଳୁନଥିବାରୁ ଘର ନିର୍ମାଣ ହୋଇପାରୁନି। ଏହା ଶହ ରାଜନୈତିକ ବ୍ୟକ୍ତି ବିଶେଷ ଙ୍କ କାର୍ଯ୍ୟ କଳାପ ଅଭାବ ରୁ ଦୀର୍ଘ ବର୍ଷ ହେବ ବିଶେଷଜ୍ଞ ଡକ୍ଟର ନାହାନ୍ତି। ଷ୍ଟାଫ କ୍ଵାଟର ଗୁଡିକ ଦୁର୍ବଳ ହୋଇ ଭାଙ୍ଗି ଯାଇଥିବା ଜଣାପଡିଛି। ଏ ନେଇ ଅସ୍ତରଙ୍ଗ ଅଞ୍ଚଳ ସମାଜସେବୀ ତଥା ବଜାର କମିଟି ସଭାପତି ଦୁଷ୍ମନ୍ତ କୁମାର ପରିଡା କହିଛନ୍ତି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଚିକିତ୍ସା ନ ପାଈଁ ରୋଗୀ ଭୁବନେଶ୍ୱର ସ୍ଥାନାଂତର ହେବାର ଚିନ୍ତାର ବିଷୟ। ଏଥି ପ୍ରତି ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବା ଆବଶ୍ୟକ। ଅନେକ ମେସିନ ମଧ୍ୟ ଖତ ଖାଉଛି। ବରିଷ୍ଠ ସାମ୍ବାଦିକ ବିଜୟ ବେହେରା କହିଛନ୍ତି, ଆନ୍ତରିକତା ଅଭାବ ରୁ ଅସ୍ତରଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଠିକ ଭାବେ ସ୍ୱାସ୍ଥ୍ୟ ସେବା ମିଳି ପାରୁନାହିଁ। ତେଣୁ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡକ୍ଟର ଅଭାବ ରୁ ରୋଗୀ ନିରାଶ ହେଉଛନ୍ତି। କାହାକୁ କହିବା, ଶୁଣିବ କିଏ ? ତେଣୁ ଏଠାରେ ସ୍ପେଶାଲିଷ୍ଟ ଡକ୍ଟର ବିଶେଷ କରି ଅସ୍ଥିଶଲ୍ୟ ବିଭାଗ, ଶିଶୁରୋଗ ବିଭାଗ, ସ୍ତ୍ରୀ ରୋଗ ବିଶେଷଜ୍ଞ ନିଯୁକ୍ତି କରିବାକୁ ଦାବୀ ହେଉଛି। ଏ ସମ୍ପର୍କ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ସଞ୍ଜୟ ପ୍ରଧାନ କହିଛନ୍ତି ଯାହା ସମସ୍ୟା ଅଛି ସବୁ ମାସରେ ରିପୋର୍ଟ ଦିଆଯାଉଛି। ଯେତିକି ଡକ୍ଟର ଆବଶ୍ୟକ ସେତିକି ନାହାନ୍ତି।


