ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ପ୍ରସ୍ତୁତି ବୈଠକ
କଟକ, (ଓ୍ବାଇଏନଏସ): ଜିଲ୍ଳାସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ଜିଲ୍ଳା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଓଡିଶା ଦିବସର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅପ୍ରେଲ ୧ ତାରିଖ ସନ୍ଧ୍ୟାରେ ନେତାଜୀ ସଂସ୍କୃତି ଭବନଠାରେ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାର ବୁଦ୍ଧିଜୀବୀ, ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତିବିଶେଷ ଏବଂ ଜିଲ୍ଲାରେ ଉଲ୍ଲେଖନୀୟ କୃତିତ୍ଵ ହାସଲ କରିଥିବା ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯିବାକୁ ସ୍ଥିର କରାଯାଇଛି । ପ୍ରତ୍ୟୁଷରୁ ସହରରେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯିବ ସହ ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ଏଥିସହ ସହରର ବିଭିନ୍ନ ସ୍ଥାନରେ ତୋରଣ ନିର୍ମାଣ ଓ ସରକାରୀ ଅଟ୍ଟାଳିକାରେ ଆଲୋକ ସାଜସଜା କଟକ ମହାନଗର ନିଗମ ଓ ସମ୍ପୃକ୍ତ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ନେତୃତ୍ଵରେ କରାଯିବ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଶିଶୁଯତ୍ନ ପ୍ରତିଷ୍ଠାନ ମାନଙ୍କରେ ପ୍ରଭାତ ଫେରି ସହ ଓଡିଶା ଦିବସ ପାଳନ କରାଯିବାକୁ ସ୍ଥିର କରାଯାଇଛି । ଚଳିତଥର ନେତାଜୀ ସଂସ୍କୃତି ଭବନ ପରିସରରେ ଓଡିଶା ନିର୍ମାଣ ଏବଂ ଓଡିଶାର ବରପୁତ୍ରମାନଙ୍କ ଜୀବନୀ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯିବ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଓଡିଶା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ପ୍ରବନ୍ଧ ଓ ବତ୍କୃତା ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏହି ପ୍ରତିଯୋଗୀତା କରାଯାଇ ଓଡିଶା ଦିବସ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ନିମନ୍ତେ କୃତୀ ପ୍ରତିଯୋଗୀ ଚୟନ କରାଯିବ । ଆଜିର ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ ଦାସ, ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହାନ୍ତ, କଟକ ସଦର ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ । ଉପନିର୍ଦ୍ଦେଶକ (କେନ୍ଦ୍ରାଞ୍ଚଳ) ତଥା ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ଆଲୋକପାତ କରିଥିଲେ ।


