ଆନ୍ତର୍ଜାତୀୟ ବଡ଼ି ଲିଫ୍ଟିଂ ପ୍ରତିଯୋଗିତାରେ ବାଜି ମାରିଲେ ଶଙ୍କର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଆନ୍ତର୍ଜାତୀୟ ବଡି ଲିଫ୍ଟିଂ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛନ୍ତି। ପଞ୍ଜାବ ପ୍ରଦେଶ ଜଳନ୍ଧର ସହରରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ୧୫ ତମ ଆନ୍ତର୍ଜାତୀୟ ବଡ଼ି ଲିଫ୍ଟିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିୟମ ପ୍ରକାରେ ଗୋଡ଼କୁ ସିଧା କରି ଉଠାଣ ( ଷ୍ଟ୍ରେଇଟ ଲେଗ୍ ରେଇଜ ) ଏବଂ ରିଭର୍ସ ପୁଲ ଆପ୍ ପ୍ରଦର୍ଶନ କରି ଦ୍ବିତୀୟ ସ୍ଥାନ ଅଧିକାର କରିବା ସହ ସିଲଭର ମେଡାଲ ହାସଲ କରିବା ସହ ପ୍ରମାଣପତ୍ର ଓ ଟ୍ରଫି ହାସଲ କରିଛନ୍ତି । ଶଙ୍କର ନିଜର ପ୍ରତିଭା ପ୍ରଦର୍ଶନ କରି ପୁରସ୍କୃତ ହେବା ସହ ଦିଗପହଣ୍ଡି ସହର ପାଇଁ ଗୈାରବ ଆଣିଛନ୍ତି । ଶଙ୍କର ଙ୍କ ପରିବାର ଆର୍ଥିକ ସ୍ୱଚ୍ଛଳ ଭଲ ନଥିଲେ ମଧ୍ୟ ଛୋଟ ବୟସରୁ ଜିମ୍ ଯିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଆର୍ଥିକ ଅନାଟନ ମଧ୍ୟରେ ସହରର ଏକ ଛୋଟିଆ ଜିମ୍ କୁ ଯାଇ ସେଠାରେ ତାଲିମ ନେଇଥିଲେ । ପରେ ସ୍ଥାନୀୟ ଏକ ପେଟ୍ରୋଲ ପମ୍ପ ରେ କାମ କରୁଥିଲେ। ପ୍ରତିଦିନ ସକାଳେ ସନ୍ଧ୍ୟାରେ କଠିନ ବ୍ୟାୟାମ କରି ପରବର୍ତ୍ତୀ ସମୟରେ ସେ ଜଣେ ବଡ଼ି ବିଲ୍ଡର ଭାବେ ଓଡିଶା , ଆନ୍ଧ୍ରପ୍ରଦେଶର ବିଭିନ୍ନ ସହରରେ ଅନୁଷ୍ଠିତ ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିଲେ । ଏପରିକି ସେ ବିଭିନ୍ନ ଜିମ୍ କୁ ଆସୁଥିବା ବହୁ ସଂଖ୍ୟକ ଯୁବକ ଙ୍କୁ ସୁନ୍ଦର ଶରୀର ଗଠନ ନିମନ୍ତେ ତାଲିମ ଦେଇଛନ୍ତି । ବର୍ତ୍ତମାନ ସେ ବ୍ରହ୍ମପୁର ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଙ୍କ ବଡିଗାର୍ଡ ଭାବେ କାର୍ଯ୍ୟ କରିବା ସହ ଦିଗପହଣ୍ଡି ବସଷ୍ଟାଣ୍ଡ ସ୍ଥିତ ମହାବୀର ଜିମ୍ ର ପ୍ରଶିକ୍ଷକ ଭାବେ ଯୁବତୀ ଯୁବକ ମାନଙ୍କୁ ତାଲିମ ଦେଉଛନ୍ତି। ତାଙ୍କର ଏହି ସଫଳତା ପାଇଁ ଜିମ୍ ମାଲିକ ଜିତେନ୍ଦ୍ର ମେକାପ ଙ୍କ ସମେତ ଦିଗପହଣ୍ଡି ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


