ବ୍ଲକ ପ୍ରକଳ୍ପକୁ ପୌର ଉପାଧ୍ୟକ୍ଷଙ୍କ ଉଦଘାଟନକୁ ନେଇ ବିବାଦ: ବିଡ଼ିଓଙ୍କୁ ଘେରିଲେ ପୂର୍ବତନ ପଞ୍ଚାୟତ ପ୍ରତିନିଧି

ଗୁଣପୁର,(ୱାଇଏନଏସ): କ୍ଷମତା ଯେ ନେତା ମାନଙ୍କୁ ଏତେ ଅନ୍ଧ କରି ଦିଏ, କୌଣସି ନୀତି ନିୟମକୁ ମାନନ୍ତି ନାହିଁ। ତାହା ଗୁଣପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଗୁଣପୁର ବ୍ଲକ ଗୋଠଳ ପଦର ପଞ୍ଚାୟତର ଗାନ୍ତୁଲାଙ୍କା ଗ୍ରାମରେ ନିର୍ମିତ ଆମ ଗୋଷ୍ଠୀ କେନ୍ଦ୍ରକୁ ବିନା ଅନୁମତିରେ ଅନ ଅଧିକାର ଭାବେ ଗୁଣପୁର ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼(ସାନ) ଉଦଘାଟନ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। କେବଳ ଉଦଘାଟନ କରିନାହାନ୍ତି ତାଙ୍କ ଦ୍ଵାରା ପରିଚାଳିତ ‘ଜନନେତା ସାନ ଭାଇନା’ ନାମକ ସାମାଜିକ ଗଣ ମାଧ୍ୟମ ଫେସବୁକରେ ପୋଷ୍ଟ କରି ଭାଇରଲ କରିବା ଘଟଣାକୁ ବିରୋଧୀ ମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମହା ଆଡ଼ମ୍ବରରେ ଉଦଘାଟନ କାର୍ଯ୍ୟକ୍ରମରେ ଗୁଣପୁର ବ୍ଲକର କେହି ଅଧିକାରୀ ଉପସ୍ଥିତ ନଥିବା ବେଳେ ଗୁଣପୁର ବ୍ଲକ ଉପାଧ୍ୟକ୍ଷ ସୁଦର୍ଶନ ଶବର ସହଯୋଗ କରିଥିଲେ। ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ୩ ଲକ୍ଷ ୯୧ ହଜାର ଟଙ୍କା ବ୍ୟୟରେ ଏହି ଗୋଷ୍ଠୀ କେନ୍ଦ୍ର ବ୍ଲକ ପକ୍ଷରୁ ନିର୍ମିତ ହୋଇଥିବା ନେଇ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହିଭଳି ବେନିୟମ ଉଦଘାଟନ କାର୍ଯ୍ୟକୁ ବିଜେଡି ଦଳର ପୂର୍ବତନ ପଞ୍ଚାୟତ ପ୍ରତିନିଧିମାନେ ଗୁଣପୁର ବିଡ଼ିଓ ସ୍ବାସ୍ତିକ ଜମାଦାରଙ୍କୁ ତାଙ୍କ କାର୍ଯ୍ୟଳୟରେ ଭେଟି ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ। ବିଡ଼ିଓ ଶ୍ରୀ ଜମାଦାର ମଧ୍ୟ ଏହିଭଳି ନାଟକୀୟ ବେନିୟମ ଉଦଘାଟନ ବିଷୟ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଥିବା ପ୍ରତିନିଧି ଦଳକୁ କହିଥିଲେ। ଏମିତିକି ସେହି ଗ୍ରାମ ପଞ୍ଚାୟତର ପିଇଓ ପ୍ରଭାକର ନାଲାଙ୍କୁ ପଚାରିବାରୁ ସେ ମଧ୍ୟ ଏହି ସମ୍ପର୍କରେ ଜାଣି ନଥିବା ସଫେଇ ଦେଇଥିବା ବିଡ଼ିଓ କହିଥିଲେ। ବିଡ଼ିଓ କିମ୍ବା ପିଇଓଙ୍କ ବିନା ଅନୁମୁତି ,ବିନା ଅଜାଣତରେ ଅନ ଅଧିକାର ଭାବେ ଉଦଘାଟନ କରିବା ନିଶା ବର୍ତ୍ତମାନ ହାଟ ବଜାର ରେ ଚର୍ଚ୍ଚାକୁ ସୁରାକ ଯୋଗାଇଛି।ଏହିଭଳି କାର୍ଯ୍ୟ ଆଉ ପୁନରାବୃତ୍ତି ହେବ ନାହିଁ ବୋଲି ପ୍ରତିନିଧି ଦଳକୁ ବିଡ଼ିଓ ଆଶ୍ବସନା ଦେଇଥିବା ଜଣାପଡିଛି। ବିଡ଼ିଓଙ୍କ ସହ ଆଲୋଚନା କରିଥିବା ପ୍ରତିନିଧି ଦଳରେ ଗୁଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ବାଳି ଗମାଙ୍ଗ, ଅଶ୍ବିନୀ ଗମାଙ୍ଗ, ଇସମାଇଲ ଶବର,ଗୁଣପୁର ବ୍ଲକର ବିଜେଡି ସଭାପତି ସମେଶ୍ବର ରାଓ, ପୂର୍ବତନ ସରପଞ୍ଚ ଦାରସିଂହ ଶବର, ତ୍ରିନାଥ ଦଳ ବେହେରା,ବାଇସିଂ ବିଡିକା,ତ୍ରିନାଥ ଶବର,ସୁଗାଙ୍ଗ ଶବର, ଜୁନେଶ ଶବର ଓ ମୁନା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ତିନି ବର୍ଷ ପୂର୍ବେ ବ୍ଲକ ଅଫିସରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଗାଏବ ହୋଇଯିବାକୁ ନେଇ ତତ୍କାଳୀନ ବିଡ଼ିଓ ଶାନ୍ତି ପ୍ରଭା ପ୍ରଧାନ ପୁଲିସରେ ଅଭିଯୋଗ କରିବାରୁ ଫାଇଲଟି ଦୁଇ ଦିନ ପରେ ରାଜ ନେତାଙ୍କ ଘରରୁ ବାହାରିବା ଘଟଣା ସେତେବେଳେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ