ମଙ୍ଗଳା ମନ୍ଦିର ନିର୍ମାଣକୁ ନେଇ ଆକ୍ରମଣ, ମହିଳା ଆହତ
ହାଟଡିହି (ଓ୍ବାଇଏନଏସ) : ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତ ବାଙ୍ଗୋର ଗାଁ ରେ ମଙ୍ଗଳା ମନ୍ଦିର ନିର୍ମାଣକୁ ନେଇ ପୂର୍ବତନ ଜିଲ୍ଲା ପରିଷଦ ପାର୍ଥୀନୀ ରେଖା ନାଇକଙ୍କୁ ଜଣେ ମାରନାନ୍ତକ ଆକ୍ରମଣ ହୋଇଥିବା ସୋସୋ ଥାନାରେ ଅଭିଯୋଗ ହୋଇଛି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାଇ ଗତକାଲି ଶନିବାର ରାତିରେ ଗାଁ ର ମଙ୍ଗଳା ମନ୍ଦିର ଉନ୍ନତି କରଣ ପାଇଁ ବୈଠକ ବସିଥିଲା। ଏହି ବୈଠକରେ ରେଖାଙ୍କ ସ୍ୱାମୀ ଦୁର୍ଯ୍ୟୋଧନ ନାଇକ ଉପସ୍ଥିତ ଥାଇ ଆଲୋଚନା ରେ ଭାଗ ନେଇଥିଲେ। କୌଣସି କାରଣକୁ ନେଇ ଦୁର୍ଯ୍ୟୋଧନଙ୍କ ସହ ଗ୍ରାମର ଗୋବିନ୍ଦ ନାଇକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଗୋବିନ୍ଦ ଦୁର୍ଯ୍ୟୋଧନ ଙ୍କୁ ହଠାତ ଆକ୍ରମଣ କରିଥିଲା। ପାଟିଶୁଣି ରେଖା ଘଟଣା ସ୍ଥଳକୁ ଯାଇ ତାଙ୍କ ସ୍ୱାମୀଙ୍କୁ ମାଡ଼ ହେଉଥିବା ଦେଖି ଉଦ୍ଧାର କରିବାକୁ ଦୌଡ଼ି ଯାଇଥିଲେ। ଗୋବିନ୍ଦ ରେଖାଙ୍କୁ ମାଡ଼ ମାରିବା ସହିତ ତାଙ୍କ ଶାଢ଼ୀ ଟାଣି ତାଙ୍କୁ ଅର୍ଦ୍ଧ ଉଲଗ୍ନ କରି ଦେଇଥିଲେ। ସେ ଏକ ଲୁହା ରଡ଼ ରେ ପିଟିଦେବାରୁ ରେଖା ଙ୍କ ମୁଣ୍ଡ ଫାଟି ଯାଇଥିଲା। ପଡୋଶୀ ମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆଗରପଡା ଡାକ୍ତରଖାନା କୁ ନେଇଯାଇ ଥିଲେ। ସେଠାରେ ଚିକିତ୍ସିତ ହୋଇ ଆସିବା ପରେ ସୋ ସୋ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଆଜି ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଗୋବିନ୍ଦ ମଧ୍ୟ ଏକ ପାଲଟା ଅଭିଯୋଗ କରିଥିବା ପୋଲିସ ସୂଚନା ଦେଇଛି।


