ଜାଗାବାଡ଼ିକୁ ନେଇ ବିବାଦ; ବିଧବା ମହିଳାଙ୍କୁ ଘରୁ ଘୋସାରି ବାହାର କଲେ ପଡୋଶୀ
ହାଟଡ଼ିହି (ଓ୍ବାଇଏନଏସ): ନନ୍ଦିପଦା ଥାନା ଅନ୍ତର୍ଗତ ଅଁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଗ୍ରାମର ସ୍ବର୍ଗତଃ ମହେଶ୍ୱର ନାୟକଙ୍କ ବିଧବା ପତ୍ନୀଙ୍କୁ ପଡୋଶୀ ଗୌରାଙ୍ଗ ଜେନାଙ୍କ ପରିବାର ଲୋକେ ନିସ୍ତୁକ ମାଡ଼ମାରିବା ସହିତ ଘରୁ ଘୋସାରି ବାହାର କରିଦେବା ଭଳି ଅତ୍ୟାଚାର କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମନୋରମା ନାୟକ l ମନୋରମାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ୱାମୀ ତାଙ୍କର ମୋଟ ୧୪ଡିସିମିଲ ଘରବାଡ଼ିରୁ ଘରର ଦକ୍ଷିଣ ଦିଗକୁ ଅର୍ଜୁନ ଜେନାକୁ ପାଞ୍ଚ ଡ଼େସିମିଲ ଜାଗା ବିକ୍ରି କରିଥିଲା ବେଳେ ଉତ୍ତର ଦିଗରେ ଥିବା ଗୌରାଙ୍ଗ ଜେନାଙ୍କୁ ଚାରି ଡ଼େସିମିଲ ଜମି ବିକ୍ରି କରିଥିଲେ l କିନ୍ତୁ ବର୍ତମାନ ଗୌରାଙ୍ଗ ଜେନା ଜୋର ଜବରଦସ୍ତ ମନୋରମା ନାୟକଙ୍କ ବଳକା ପାଞ୍ଚ ଡିସିମିଲ ଘରବାଡ଼ିରୁ ଦଖଲ କରିବାକୁ ଉଦ୍ୟମ କରି ତାଙ୍କୁ ନାନାଦି ପ୍ରକାରର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏନେଇ ମନୋରମା ବାରମ୍ବାର ପଞ୍ଚାୟତ ଓ ଥାନାର ଦ୍ୱାରସ୍ଥ ହୋଇଥିଲେ ବି ନ୍ୟାୟ ପାଇ ପାରିନଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଅସହାୟ ମନୋରମା l ଆଜକୁ ଚାରି ବର୍ଷ ତଳେ ସ୍ୱାମୀଙ୍କ ଦେହାନ୍ତ ପରେ ଝିଅ ବିବାହ କରିସାରିଛନ୍ତି।୧୫ବର୍ଷର ପୁଅ ପେଟ ପୋଷିବା ପାଇଁ ବାହାରକୁ ପଳାଇଛି। ଏପରି ଅବସ୍ଥାରେ ତାଙ୍କ ୮୪ବର୍ଷୀୟା ନିଜ ମାଆଙ୍କୁ ପାଖରେ ରଖି ମନୋରମା ଘରେ ରହୁଥିବା ବେଳେ ପଡୋଶୀ ଗୌରାଙ୍ଗ ଜେନା ତାଙ୍କ ପୁଅ ପ୍ରିୟବ୍ରତ, ଖଗେଶ୍ୱର ଓ ସ୍ତ୍ରୀ ସରସ୍ବତୀ ଜେନା ମିଶି ବିଧବା ମନୋରମାଙ୍କୁ ମାରପିଟ କରି ବଳକା ଜାଗାକୁ କବଜା କରିବା ନେଇ ନିର୍ଯ୍ୟାତନା ଦେଉଛନ୍ତି l ଦୁଃଖର ବିଷୟ ଗୌରାଙ୍ଗ ଓ ତାଙ୍କ ପରିବାର ଲୋକେ ମିଶି ଗତ ତିନିଦିନ ତଳେ ମନୋରମାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଦୟନୀୟ ଭାବେ ମାଡ଼ ମାରି ଘୋସାରି ଘରୁ ବାହାର କରିଦେଇଥିଲେ l ଗତ ତିନିଦିନ ଧରି ଲାଗି ରହିଥିବା କାଳବୈଶାଖୀ ସମୟରେ ମନୋରମା ଓ ତାଙ୍କ ବୁଢ଼ୀ ମାଆ ସାହି ଲୋକଙ୍କ ବାରଣ୍ଡାରେ ମୁଣ୍ଡ ଗୁଞ୍ଜି ଆଶ୍ରୟ ନେଇଛନ୍ତି। ଏନେଇ ମନୋରମା ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଗୁହାରି ପୁଲିସ ଶୁଣିଲେ ନାହିଁ ବୋଲି ସେ କହିଛନ୍ତି l କଙ୍ଗାରୁ କୋର୍ଟର ନ୍ୟାୟ ପରି ଗୌରାଙ୍ଗ ଜେନାଙ୍କ ପରିବାର ଲୋକେ ବିଧବା ଅସହାୟ ମହିଳାଙ୍କ ଉପରେ ନିଜର ଦବଙ୍ଗଗିରି ଦେଖାଇ ମନୋରମାଙ୍କ ଘର ଆଗରେ ଢ଼ଳେଇ ଖୁଣ୍ଟ ପକାଇ ଲୁହା ତାର ବାଡ଼ ବେଢ଼ିବା ସହ ବାଉଁଶ କଣିରେ ଘର ସମ୍ମୁଖକୁ ବାଡ଼ ବୁଜି ଆବଦ୍ଧ କରି ଦେଇଥିଲେ l ଗତକାଲି ସନ୍ଧ୍ୟାରେ ଗ୍ରାମର କିଛି ଯୁବକ ଏଭଳି ଘଟଣା ଶୁଣିବା ପରେ ଗ୍ରାମର କିଛି ମୁଖିଆ ଶ୍ରେଣୀର ଲୋକଙ୍କୁ ଏକଜୁଟ କରି ମନୋରମାଙ୍କୁ ନ୍ୟାୟ ଦେବା ନେଇ ନିଷ୍ପତି ନେଇଥିଲେ। ଆଜି ସେମାନେ ଏକଜୁଟ ହୋଇ ମନୋରମାଙ୍କ ଘର ସମ୍ମୁଖରୁ ତାରବାଡ଼ ଓ ବାଉଁଶ ବାଡ଼ ଉପାଡ଼ି ମନୋରମାଙ୍କୁ ଥଇଥାନ କରିଥିଲେ। ଖବରପାଇ ନନ୍ଦିପଦା ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି , ଏଏସଆଇ ସୁଷମା ସେଠୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ମନୋରମା ଙ୍କ କ୍ଷେତ୍ରରେ ମାନବାଧିକାର ଉଲଂଘନ ଭଳି ଘଟଣା ଘଟିଥିବାରୁ ଆସାମୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।


