କାଡା ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଅନିୟମିତତା: ଅନୁମୋଦନ ଏବଂ ବ୍ୟୟ ବରାଦ ପୂର୍ବରୁ କାର୍ଯ୍ୟ ଆରମ୍ଭ

ହାଟଡିହି (ଓ୍ବାଇଏନଏସ): ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସରକାର ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି l କିନ୍ତୁ ସିଏଡ଼ିଡବ୍ଲ୍ୟୁଏମ (କମାଣ୍ଡ ଏରିଆ ଡେଭଲପମେଣ୍ଟ ୱାଟର ମ୍ୟାନେଜମେଣ୍ଟ) ଯୋଜନା ଏବେ ବାଟବଣା ହେଉଛି l ଯାହାକି ପରିତାପର ବିଷୟ ସାଜିଛି l  ସିଏଡ଼ିଡବ୍ଲ୍ୟୁଏମ (କମାଣ୍ଡ ଏରିଆ ଡେଭଲପମେଣ୍ଟ ୱାଟର ମ୍ୟାନେଜମେଣ୍ଟ) ଯୋଜନାରେ ପାଣି ପଞ୍ଚାୟତ ଗୁଡିକ ଦ୍ୱାରା ଚାଷ କ୍ଷେତକୁ ପାଣି ଯୋଗାଣ ନିମନ୍ତେ କାଡା ନିର୍ମାଣ କାର୍ଯ୍ୟ ହେଉଛି l କିନ୍ତୁ ପ୍ରକଳ୍ପ ଅନୁମୋଦନ ଏବଂ ବ୍ୟୟ ବରାଦ ହେବା ପୂର୍ବରୁ ନିର୍ମାଣ କାର୍ଯ୍ୟ ହେଉଥିବା ନେଇ ଅନେକ ଅଭିଯୋଗ ହୋଇଛି l ଏବେ ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି କାର୍ଯ୍ୟ କରାଯାଉଛି। ବିଶେଷକରି କେନାଲ ପାଣି ପହଞ୍ଚି ପାରୁ ନଥିବା ଚାଷ ଜମି ପାଇଁ ଏହି କଡା କେନାଲର ଆବଶ୍ୟକତା ଥିବା ସ୍ଥଳେ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। କେନାଲ ଦ୍ୱାରା ଜଳସେଚିତ ଅଞ୍ଚଳରେ ଅନାବଶ୍ୟକ ଭାବେ ଏହି ପ୍ରକଳ୍ପ କରାଯାଇ କୋଟି କୋଟି ଟଙ୍କାର ବାଟ ମାରଣା କରା ଯାଉଛି। ଅନୁମୋଦନ ଏବଂ ବ୍ୟୟ ବରାଦ ନଥାଇ ବିଭିନ୍ନ ପାଣି ପଞ୍ଚାୟତ ମାଧ୍ୟମରେ ଏହି ପ୍ରକଳ୍ପ ଆରମ୍ଭ କରାଯାଉ ଥିବାବେଳେ ପରେ ଏହାକୁ ଅନୁମୋଦନ କରାଯାଇ ଅନୁଦାନ ଅର୍ଥକୁ ହରିଲୁଟ କରାଯିବାର ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି।  ଏପରିକି କାମ ସମୟରେ କୌଣସି ଯନ୍ତ୍ରୀ ଉପସ୍ଥିତ ରହୁନଥିବାରୁ ବହୁତ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗ ପାଇବା ପରେ  କାଡା ଡିଭିଜନ ନଂ ୩ ଭଦ୍ରକର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଚିଠି ନଂ ୫୩୧/୩୦ ମାର୍ଚ୍ଚ ୨୦୨୬ ରେ ସମସ୍ତ ପାଣି ପଞ୍ଚାୟତ ସେକ୍ରେଟାରୀ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏବଂ ଯନ୍ତ୍ରୀ ମାନଙ୍କୁ ଚିଠି ଜାରି କରିଥିଲେ l ଏହି ଚିଠିରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସିଏଡ଼ିଡବ୍ଲ୍ୟୁଏମ ଯୋଜନା ଅଧୀନରେ ଫିଲ୍ଡ ଚ୍ୟାନେଲ କାର୍ଯ୍ୟର ଅନଧିକୃତ ନିର୍ମାଣକୁ ତୁରନ୍ତ ବନ୍ଦ କରିବା ଏବଂ ବୈଧାନିକ ଆବଶ୍ୟକତା ସମ୍ବନ୍ଧରେ ଉଲ୍ଲେଖ ରହିଛି l  ଆହୁରି ମଧ୍ୟ ଦର୍ଶାଯାଇଛି ଯେ  କାର୍ଯ୍ୟାଳୟରୁ ବାଧ୍ୟତାମୂଳକ ଚୁକ୍ତିନାମା ସମ୍ପାଦନ କିମ୍ବା ଔପଚାରିକ କାର୍ଯ୍ୟାଦେଶ ଜାରି ନକରି କାର୍ଯ୍ୟର ନିର୍ମାଣ ଆରମ୍ଭ ହୋଇଛି l ପାଣିପଞ୍ଚାୟତ ଏବଂ ସିଏଡି ଡିଭିଜନ ୩ ଭଦ୍ରକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (କୃଷି)ଙ୍କ ମଧ୍ୟରେ ଏକ ବୈଧ ଚୁକ୍ତିନାମା ସ୍ୱାକ୍ଷରିତ ହୋଇ ଔପଚାରିକ କାର୍ଯ୍ୟାଦେଶ ଦ୍ୱାରା ସମର୍ଥିତ ନହେଲେ କୌଣସି କାର୍ଯ୍ୟକୁ ଆଇନଗତ ଭାବେ ସ୍ୱୀକୃତି ଦିଆଯିବ ନାହିଁ।   କାର୍ଯ୍ୟାଦେଶ ବିନା ସ୍ୱତଃ ପ୍ରବୃତ୍ତ ଭାବେ କରାଯାଇଥିବା କୌଣସି କାର୍ଯ୍ୟ ଏକ ଅନଧିକୃତ ଆର୍ଥିକ ଦାୟିତ୍ୱ ସୃଷ୍ଟି କରେ। ଇ-କ୍ୟାଡ୍ ଇନଫ୍ରାରେ କାର୍ଯ୍ୟର ପର୍ଯ୍ୟାୟ କ୍ରମେ ଅପଲୋଡ୍ ନକରି ଅନଧିକୃତ କାର୍ଯ୍ୟ ପାଇଁ ଏହି କାର୍ଯ୍ୟାଳୟ ଦେୟ ପ୍ରଦାନ କରିବାକୁ ଦାୟୀ ନୁହେଁ ବୋଲି ଉଲେଖ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ