ଚନ୍ଦନ ଯାତ୍ରା
ସର୍ବାଙ୍ଗେ ବୋଳି ଚନ୍ଦନ
ନରେନ୍ଦ୍ର ସରେ ମଦନମୋହନ
ଚାପଖେଳରେ ବଳିଛି ମନ ।
ସଙ୍ଗତେ ପଞ୍ଚସାଗର
ଭୂଦେବୀ ଶ୍ରୀଦେବୀ ମୂରଲୀଧର
ବଳରାମ ଚନ୍ଦନେ ବିହାର ।
ନନ୍ଦା ଭଦ୍ରା ଚାପେ ବସି
ଦଶଦେବ ଚାପ ଖେଳିବେ ହସି
ପଞ୍ଚସାଗର ହୋଇବେ ଖୁସି ।
ଆଦ୍ଯେ ନଟବର ଦେଶ
ତ୍ରିଭଙ୍ଗୀ ଛନ୍ଦରେ ଲୀଳା ପ୍ରକାଶ
ତହିଁ ପରେ ହରିଜନ୍ମ ବେଶ ।
ରାଜାଧିରାଜଙ୍କ ବେଶ
ହସ ହସ ମୁଖ ଦ୍ବାରିକାଧୀଶ
କୁଞ୍ଜେ ଝୁଲେ ଖଟଦୋଳି ବେଶ ।
ଗୋମତୀ କୃଷ୍ଣଙ୍କ ବେଶ
ଦର୍ଶନେ ଆନନ୍ଦ ହୁଏ ପ୍ରକାଶ
ଷଷ୍ଠରେ ବତ୍ସାଚାରଣ ବେଶ ।
ବତ୍ସାହରଣଙ୍କ ବେଶ
ବ୍ରହ୍ମବିମୋହନ ଲୀଳା ପ୍ରକାଶ
ପରେ ଅଘାସୁର ବଧ ବେଶ।
ଚକ୍ରନାରାୟଣ ବେଶ
ଚକ୍ରଧରି ମୁଖେ ଅପୂର୍ବ ହସ
ପରେ ହୋନ୍ତି ନାବକେଳି ବେଶ ।
ରାହାସମଣ୍ଡଳୀ ବେଶ
ରାସକ୍ରୀଡା ରସେ ଜଗତଈଶ
ଚତୁର୍ଦ୍ଦଶୀରେ ନୃସିଂହ ବେଶ ।
କନ୍ଦର୍ପ ରଥର ବେଶ
ଗୋପାଙ୍ଗନା ହେଲେ ସେ ରଥ ଅଂଶ
ବୈଶାଖ ପୂର୍ଣ୍ଣିମା ପରବେଶ ।
ଷଡଭୂଜ ଗଉରାଙ୍ଗ
ପ୍ରଚାର ପ୍ରସାର ଭକ୍ତି ତରଙ୍ଗ
କଳିଯୁଗେ ନାମ ପ୍ରେମ ସଙ୍ଗ ।
ହେଲେ ରଘୁନାଥ ବେଶ
କୋଦଣ୍ଡଧାରୀ ଅଯୋଧ୍ୟା ନରେଶ
ତହିଁପରେ ଗିରିପୂଜା ବେଶ।
ଆହା ଗିରିଟେକା ବେଶ
ଗିରିଗୋବର୍ଦ୍ଧନ ଟେକିବେ ଇଶ
ବସ୍ତ୍ରହରଣରେ ହୃଷିକେଶ ।
ଚିନ୍ତାମଣି କୃଷ୍ଣ ବେଶ
ମଦନମୋହନ ଭାରି ହରସ
ପରେ ଗଜଉଦ୍ଧାରଣ ବେଶ ।
ଜ୍ଯେଷ୍ଠ କୃଷ୍ଣାଷ୍ଟମୀ ଶେଷ
ଭଉଁରୀରେ କୁଞ୍ଜବିହାରୀ ବେଶ
କୁଞ୍ଜେ ଦୋଳି ଚାପ ଚାପ ଶେଷ ।

ଗଦାଧର ସାହୁ
ବ୍ରହ୍ମଗିରି,ପୁରୀ


