ବକ୍ସାଇଟ୍ ଖନନ ବୃଦ୍ଧି ପ୍ରସ୍ତାବକୁ ବିରୋଧ
କୋରାପୁଟ/ଲକ୍ଷ୍ମୀପୁର,(ହେମନ୍ତ ପାଣିଗ୍ରାହୀ) : କେରାପୁଟ ଜିଲ୍ଲାର କୋଡ଼ିଙ୍ଗା ମାଳି ଖଣି ଖନନକୁ ନେଇ ପୁଣି ତେଜିଲା ଜନ ଅସନ୍ତୋଷ। ୩ ମିଲିୟନରୁ ୬ ମିଲିୟନ ଟନ୍ ବକ୍ସାଇଟ୍ ଖନନ ବୃଦ୍ଧି ପ୍ରସ୍ତାବକୁ ବିରୋଧ କରି ଆଜି ଲକ୍ଷ୍ମୀପୂର ଓଏମସି ଅଫିସ ସମ୍ମୁଖରେ ପାରିପାର୍ଶ୍ଵିକ ଅଞ୍ଚଳବାସୀର ମହିଳା ମାନେ ଜୋରଦାର ପ୍ରତିବାଦ କରିବା ଦେଖିବାକୁ ମିଳିଛି। ଦୀର୍ଘ ୮ ବର୍ଷ ଧରି ଖଣି ଖନନ ଚାଲିଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ମୌଳିକ ସୁବିଧା ର ଉନ୍ନତି ମିଳିନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଲକ୍ଷ୍ମୀପୂର ଓଏମସି ଅଫିସ ଆଗରେ ଆଜି ସକାଳୁ ଏକତ୍ରିତ ହୋଇଥିଲେ କୋଡ଼ିଙ୍ଗା ମାଳି ପାରିପାର୍ଷିକ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ, ହାତରେ ବ୍ୟାନର୍ ଓ ପ୍ଲାକାର୍ଡ ଧରି ଖଣି ଖନନ ବୃଦ୍ଧିକୁ ବିରୋଧ କରି ସ୍ଲୋଗାନ୍ ଦେଇଥିଲେ ପ୍ରତିବାଦକାରୀ। ସେମାନଙ୍କ ଅଭିଯୋଗ, ଓଏମସି ଗତ ୮ ବର୍ଷ ଧରି କୋଡ଼ିଙ୍ଗା ମାଳିରୁ ଖଣି ଉତ୍ତୋଳନ କରୁଥିଲେ ମଧ୍ୟ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ କି ଅଞ୍ଚଳରେ ରାସ୍ତା, ପାନୀୟ ଜଳ , ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାର ଉନ୍ନତି ହୋଇନାହିଁ। ପାରଦା କୁଲେସିକା,କ୍ଷେତ୍ର ବାସି ହାଲବା, ଜଳନ୍ଧର ହାଲବା, ମହେଶ୍ୱର ହିକକା, ଅଗସ୍ତି ହାଲବା, ବିପିନ ମାଣ୍ଡିଙ୍ଗା,ସୀତାରାମ ଖରା, ସହଦେଵ ବିଡ଼ିକା, ସୁବାସ ମାଝୀ,ଟିକିମନି ହାଲୱା ଆଲଇ ହିକକା, ସୁବର୍ଣ୍ଣ ହାଲବା ସମେତ ଅନେକ ପାରିପାର୍ଶ୍ଵିକ ଅଞ୍ଚଳବାସୀ ବିରୋଧ କରିଥିଲେ। ସରକାର କୋଡୀଙ୍ଗା ମାଳି ର ଖଣି ଖନନ କୁ ୩ ମିଲିୟନରୁ ୬ ମିଲିୟନ ଟନ୍କୁ ବୃଦ୍ଧି କରିବା ପ୍ରସ୍ତାବକୁ ନେଇ ଅଞ୍ଚଳବାସୀ ଅଧିକ କ୍ଷୁବ୍ଧ ହୋଇପଡ଼ିଛନ୍ତି। ପ୍ରଥମେ ନିଯୁକ୍ତି ପରେ ଖଣି ଖନନ ବୋଲି ଯୁକ୍ତି ବାଢିଛନ୍ତି, ଏପରିକି ୧୬ ତାରିଖ ରେ ହେବାକୁ ଥିବା ଜନ ଶୁଣାଣି କୁ ମଧ୍ୟ ବନ୍ଦ କରିବାକୁ ଦାବୀ କରିଛନ୍ତି, କାରଖାନା ନାହିଁ ତ ଖଣି ନାହିଁ ବୋଲି କହିଛନ୍ତି…ସ୍ଥାନୀୟ ଲୋକଙ୍କ ନିଯୁକ୍ତି, କ୍ଷତିପୂରଣ ଓ ଅଞ୍ଚଳର ବିକାଶ କାମ କରାଯାଉ, ପରେ ଖଣି ବୃଦ୍ଧି ନେଇ ଚିନ୍ତା କରାଯାଉ ବୋଲି ଦାବି କରିଛନ୍ତି ପ୍ରତିବାଦକାରୀ। କୋଡ଼ିଙ୍ଗା ମାଳି ଖଣି ଖନନକୁ ନେଇ ଦିନକୁ ଦିନ ଅସନ୍ତୋଷ ବଢ଼ୁଥିବା ବେଳେ, ଆଜି ଲକ୍ଷ୍ମୀପୂର ଓଏମସି ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ଜୋରଦାର ପ୍ରତିବାଦ। ନିଯୁକ୍ତି ଓ ଉନ୍ନତି ଦାବିରେ ଅଞ୍ଚଳବାସୀ ଖଣି ଖନନ ବୃଦ୍ଧିକୁ ବିରୋଧ କରୁଥିବା ବେଳେ, ଏହା ଆଗାମୀ ଦିନରେ ଆହୁରି ତୀବ୍ର ଆନ୍ଦୋଳନର ରୂପ ନେବ ବୋଲି ସୂଚାଇ ଛନ୍ତି…ଏନେଇଁ ରାଜ୍ୟ ସରକାର ଙ୍କ ଉଦେଶ୍ୟ ରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି।ସେଠାରୁ ତହସିଲ କାର୍ଯ୍ୟାଳୟ ରେ ପହଂଚି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ସ୍ଥାନୀୟ ଅତିରିକ୍ତ ତହସିଲଦାର ମାଧବ ଭତ୍ରା ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।


