ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଆର. ଉଦୟଗିରିରେ ଅନୁଷ୍ଠିତ ଗ୍ରାମ୍ୟମୁଖୀ ଜନଶୁଣାଣି କାର୍ଯ୍ୟକ୍ରମରେ ଜଣେ ମାଆ ନିଜ ଝିଅ ଏବଂ ନିଜ ପରିବାରର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି. ହାଇକୋର୍ଟରେ ଏନେଇ ଏକ ମାମଲା ବିଚାରାଧୀନ ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଗଜପତି ଜିଲ୍ଲାର ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ଜନୈକା ମହିଳା ଏଭଳି ନିବେଦନ କରିବାକୁ ବାଧ୍ୟ ହୋଇଛନ୍ତି। ସୂଚନାଅନୁଯାୟୀ, ବିଗତ ୧୯ ଡିସେମ୍ବର ୨୦୧୯ରେ ରାମଗିରି ଥାନା ଅନ୍ତର୍ଗତ ପରିସଲ ପଞ୍ଚାୟତର ଜଣେ ଯୁବକ ପଡ଼ୋଶୀ ଘରର ନାବାଳିକାକୁ ଦୁଷ୍କର୍ମ କରିଥିଲା । ପରିବାର ଲୋକଙ୍କ ଏତଲାକୁ ଭିତ୍ତି କରି ଉକ୍ତ ଯୁବକଙ୍କୁ ନିମ୍ନ ଅଦାଲତ ୫ବର୍ଷ କାରାଦଣ୍ଡ ଶୁଣାଇଥିଲେ। କାରାଦଣ୍ଡ ସାରି ଯୁବକ ଜଣଙ୍କ ଜେଲରୁ ଫେରିବା ପରେ ପୀଡ଼ିତା ପରିବାର ପୁଣି ହାଇକୋର୍ଟର ଦ୍ବାରସ୍ଥ ହୋଇ ଅଭିଯୁକ୍ତଙ୍କ ବିରୋଧରେ ପୁଣି ମାମଲାର ପୁନଃ ଶୁଣାଣି ପାଇଁ ଆବେଦନ କରିଥିଲେ। ହାଇକୋର୍ଟରେ ଅଭିଯୋଗ ପରେ ଉକ୍ତ ଯୁବକ ଆକ୍ରୋଶମୂଳକ ଭାବେ ପୀଡ଼ିତା ଓ ତାଙ୍କ ପରିବାରକୁ ପୁଣି ଧମକଚମକ ଦେଇଥିବା ନେଇ ଜନଶୁଣାଣିରେ ମହିଳା ଜଣକ ଅଭିଯୋଗ କରିଛନ୍ତି.ଏହି ଘଟଣାରେ ଆର.ଉଦୟଗିରି ଏସ୍ଡିପିଓ ରାକେଶ କୁମାର ସାହୁ ଏହାର ତଦନ୍ତ କରିବା ସହ ପୀଡ଼ିତାଙ୍କୁ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।


