ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିରରେ ସେବିକା ଦିବସ ପାଳିତ
ଆସିକା (ୱାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଆସିକା ଉପଖଣ୍ଡ ଚିକିତ୍ସାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହାଟପଦା ଛକ ନିକଟରେ ପରିଚାଳିତ ହୋଇଆସୁଥିବା ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିରରେ ମଙ୍ଗଳବାର ଅନ୍ତର୍ଜତୀୟ ସେବିକା ଦିବସ ପାଳିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରାଙ୍କ ପରାମର୍ଶକ୍ରମେ ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ସେବିକା ଦିବସ ପାଳନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ଯୋଗଦେଇ ସେବିକାମାନେ ହେଉଛନ୍ତି ଡାକ୍ତରଖାନାର ଗର୍ବ ଓ ଗୌରବ । ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ ସେମାନଙ୍କ ଦ୍ୱାରା ହିଁ ସମ୍ଭବପର ହୋଇଥାଏ । ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇଦେବା ଦିଗରେ ନର୍ସିଂ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନର୍ସମାନେ ଜଣେ ଜଣେ ଦିଗ୍ଦର୍ଶକ ହୋଇଥିଲା ବେଳେ ଜଣେ ରୋଗୀର ଚିକିତ୍ସା ପାଇଁ ଡାକ୍ତରଙ୍କ ଯେତିକି ଭୂମିକା ରହିଥାଏ ଜଣେ ନର୍ସଙ୍କ ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବି ରହିଥାଏ । ସେଥିପାଇଁ ନର୍ସ ମାନଙ୍କୁ ପ୍ରାୟତଃ ସମସ୍ତେ ଦିଦି ବା ସିଷ୍ଟର ବୋଲି ସମ୍ବୋଧନ କରିଥାନ୍ତି । ନର୍ସମାନେ ସଦସର୍ବଦା ରୋଗୀଙ୍କୁ ନିଜ ପରିବାରର ସଦସ୍ୟ ଭାବି ସେବା ଯୋଦାଇ ଦେଉଥିବା ବେଳେ ସେମାନଙ୍କୁ ସଦସର୍ବଦା ଉପଯୁକ୍ତ ସମ୍ମାନ, ପଦମର୍ଯ୍ୟାଦା ଓ ସାମାଜିକ ମୂଲ୍ୟବୋଧ ପ୍ରଦାନ କରିବା ଦିଗରେ ଆଗେଇ ଆସିବାକୁ ଆହ୍ୱାନ କରିଥିବା ଦେଖିବାକୁ ମିଳିଥିଲା । ଅନ୍ତର୍ଜାତୀୟ ସେବିକା ଦିବସ ପାଳନ ଅବସରରେ ଆସିକା ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରୀନା କୁମାରୀ ପ୍ରଧାନ, ଷ୍ଟାଫ୍ ନର୍ସ ଅର୍ଚ୍ଚନା ମହାନ୍ତି, ସହାୟକ ସମୀର କୁମାର ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ନିରାପତ୍ତାରକ୍ଷୀ ବିପିନ୍ ନାହାକ ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


