ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ସ୍ଥିତ ସାଇ କନଭେନ୍ସନ ମଣ୍ଡପଠାରେ ସରସ୍ଵତୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ପକ୍ଷରୁ ଆନ୍ତର୍ଜାତୀୟ ନର୍ସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଶିକ୍ଷାବିତ୍ ସୁବାସ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ଅତିଥିମାନେ ଯୋଗଦେଇ ରୋଗୀ ସେବାରେ ନର୍ସମାନଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡ. ସନ୍ତୋଷ କୁମାର ମିତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାକ୍ତର ସୁକାନ୍ତ କୁମାର ଜେନା, ଏମ.ଏସ.ଏଚ. ଏସ.ଏସ ଅଧ୍ୟକ୍ଷ ଅଜୟ କୁମାର ମହାନ୍ତି, ଚାରିଛକ ପ୍ରେସ କ୍ଲବ ସଭାପତି ପ୍ରଫୁଲ୍ଲ କୁମାର କର, କାର୍ଯ୍ୟକାରୀ ସଭାପତି ଶିଶିର କୁମାର ସ୍ୱାଇଁ ଏବଂ ସରସ୍ୱତୀ ଶିଶୁ ମନ୍ଦିର ସମ୍ପାଦକ ବିଜୟ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ନିଜ ଅଭିଭାଷଣରେ କହିଥିଲେ ଯେ, “ମଣିଷର ସେବା ହିଁ ଭଗବାନଙ୍କ ସେବା”। ସେବା ଓ କର୍ତ୍ତବ୍ୟବୋଧକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବାକୁ ସେମାନେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ, ଆଧୁନିକ ନର୍ସିଂ ସେବାର ଜନନୀ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ତ୍ୟାଗ ଓ ନିଷ୍ଠାକୁ ସ୍ମରଣ କରି ୧୯୬୫ ମସିହାରୁ ଆନ୍ତର୍ଜାତୀୟ ନର୍ସେସ କାଉନ୍ସିଲ୍ ପକ୍ଷରୁ ଏହି ଦିବସ ପାଳନ କରାଯାଇ ଆସୁଛି। ୧୮୨୦ ମସିହା ମେ ୧୨ ତାରିଖରେ ଇଟାଲୀର ଫ୍ଲୋରେନ୍ସ ସହରରେ ଜନ୍ମିତ ଏହି ମହୀୟସୀ ମହିଳା ନିଜର ସେବା ଦ୍ୱାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେହି ସ୍ମୃତିରେ ପ୍ରତିବର୍ଷ ମେ ୧୨ କୁ ନର୍ସ ଦିବସ ଭାବେ ପାଳନ କରାଯାଉଛି।ଏହି ଅବସରରେ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନର୍ସମାନଙ୍କ ଆବଶ୍ୟକତା ଓ ସେମାନଙ୍କ ସେବା ମନୋବୃତ୍ତିର ପ୍ରଚାର ପ୍ରସାର କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ। ଶେଷରେ ଅନୁଷ୍ଠାନର ଅଧ୍ୟକ୍ଷା ଅନୁସୂୟା ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।


