କାଗଜପତ୍ରରେ ଗାଁ କଲ୍ୟାଣୀ ସମିତି କାର୍ଯ୍ୟ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ସରକାରୀ ଅନୁଦାନକୁ ହଡପ କରିବା ପାଇଁ ମିଥ୍ୟା ବିଲ୍ ଏବଂ ଫଟୋ ସର୍ବସ୍ଵ କାର୍ଯ୍ୟକ୍ରମ ଏବେ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମାଞ୍ଚଳ ରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଗଠିତ “ଗାଁ କଲ୍ୟାଣୀ ସମିତି “ଏବଂ ରୋଗୀ କଲ୍ୟାଣୀ ସମିତି “ନିଜର ଲକ୍ଷ୍ୟ ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ୱାର୍ଡ ମେମ୍ବର, ଅଙ୍ଗନବାଡି କର୍ମୀ ଏବଂ ଆଶା କର୍ମୀଙ୍କ ମଧ୍ୟରେ ଲାଗି ରହିଥିବା ଅନ୍ତଃ କନ୍ଦଳ ତଥା ସମନ୍ୱୟ ଅଭାବ ଯୋଗୁଁ ବିଭିନ୍ନ ପଂଚାୟତ ରେ ସରକାରୀ ଯୋଜନା ବାଟବଣା ହେଉଥିବା ବେଳେ ସାଧାରଣ ଲୋକେ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି। ଖବର ମୁତାବକ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକର ବିଭିନ୍ନ ପଂଚାୟତ ରେ ଗାଁ କଲ୍ୟାଣ ସମିତି ରେ କୌଣସି ବାସ୍ତବ କାର୍ଯ୍ୟ ହେଉନାହିଁ। କେବଳ କେତୋଟି ସ୍ଥାନରେ ଫଟୋ ଉଠାଇ ଏବଂ ନକଲି କାଗଜ ପତ୍ର ପ୍ରସ୍ତୁତ କରି ବାର୍ଷିକ ୧୦ହଜାର ଟଙ୍କାର ଅନୁଦାନ ହରିଲୁଟ କରାଯାଉଛି। ଗାଁର ନାଳ ନର୍ଦମା ସଫା କିମ୍ବା ବ୍ଲିଚିଂ ପାଉଡର ପକାଇବା ପାଇଁ ଉଦିଷ୍ଟ ଅର୍ଥ କୁ କେବଳ ଚା ‘ଜଳଖିଆ ଏବଂ ମିଥ୍ୟା ବୈଠକ କାଗଜ ପତ୍ରରେ ଦର୍ଶାଇ ଖର୍ଚ କରାଯାଉଛି।ସମିତିର ମୁଖ୍ୟ ତିନି ସ୍ତମ୍ଭ ସଭାପତି (ୱାର୍ଡ ମେମ୍ବର ), ସମ୍ପାଦିକା (ଅଙ୍ଗନବାଡି କର୍ମୀ )ଏବଂ ସମନ୍ୱୟକାରୀ (ଆଶା କର୍ମୀ )ଙ୍କ ମଧ୍ୟରେ ଅଧିକାର ତଥା ଅନେକ ସମୟରେ ବିବାଦ ତୀବ୍ର ହେବାର ନଜିର ରହିଛି। ଅନେକ ସ୍ଥାନରେ ଆଶା ଓ ଅଙ୍ଗନବାଡି କର୍ମୀ ଙ୍କ ମଧ୍ୟରେ ପଡ଼ୁ ନଥିବାରୁ ବୈଠକ ବସୁନାହିଁ। ଏପରିକି ୱାର୍ଡ ମେମ୍ବର ହେଉ କି ଆଶା ଅଜଣାତ ରେ ବିଲ ପାସ କରାଯାଉଥିବା ବେଳେ କେଉଁଠି ଅଙ୍ଗନବାଡି କର୍ମୀ ନଚେତ ୱାର୍ଡ ମେମ୍ବର ଅନୁଦାନ ଅର୍ଥ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି। ଏହି ତ୍ରିକୋଣୀୟ ଲଢେଇ ଯୋଗୁଁ ଗାଁ ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ସେହିପରି ଡାକ୍ତରଖାନା ଗୁଡିକରେ “ରୋଗୀ କଲ୍ୟାଣ ସମିତି “ମଧ୍ୟ ନାମକୁ ମାତ୍ର ଚାଲିଛି। ଅନେକ ଦିନ ତଳେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ରାଜନୈତିକ କନ୍ଦଳ ଯୋଗୁଁ ବୈଠକ ବନ୍ଦ ମଧ୍ୟ ରହିଥିଲା। ଡାକ୍ତରଖାନା ର ଭିତ୍ତିଭୂମି ବିକାଶ, ବିଶୁଦ୍ଧ ପାନୀୟ ଜଳ ଏବଂ ସଫେଇ ପାଇଁ ଲକ୍ଷ ଲକ୍ଷ ଟଙ୍କାର କର୍ପସ ଫଣ୍ଡ ରହିଥିଲେ ମଧ୍ୟ ରୋଗୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫ୍ୟାନ ମରାମତି ଠାରୁ ଆରମ୍ଭ କରି ବେଡ଼ସିଟ ବଦଳାଇବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ସଠିକ ସମୟରେ ହେଉନାହିଁ। ଅପରିଷ୍କାର ପରିବେଶ ଓ ଔଷଧର ଅଭାବ ଏହି ସମିତିର ବିଫଳତା କୁ ପଦାରେ ପକାଇଛି। ଯାହାକି ଅନେକ ଗରିବ ଶ୍ରେଣୀର ଲୋକ ମେଡିକାଲ ବାହାରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଜିଲ୍ଲାମୁଖ୍ୟ ଚିକିତ୍ସାଅଧିକାରୀ କହିଛନ୍ତି ଏହି ସମସ୍ୟା ଉପରେ ତଦନ୍ତ କରିବେ ବୋଲି କହୁଥିଲେ ମଧ୍ୟ ବାସ୍ତବ ରେ ଅସ୍ତରଙ୍ଗ ଅଂଚଳ ର ବିଭିନ୍ନ ପଂଚାୟତ ରେ ଥିବା କୌଣସି ସମିତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବା ପଦକ୍ଷେପ ନିଆଯାଇନାହିଁ। ଯଦି ତୁରନ୍ତ ଏହି ମିଥ୍ୟା ବିଲ୍ କାରବାର ଅଡିଟ କରାଯାଏ ଏବଂ ନିଷ୍କ୍ରିୟ ସମିତି ଗୁଡିକୁ ଭଙ୍ଗ କରାଯାଏ, ତେବେ ହିଁ ସରକାରୀ ଅର୍ଥ କୁ ସଠିକ ବିନିଯୋଗ ହୋଇପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ