ଗୁଣପୁରରେ ବଜ୍ରପାତରେ ୧୦ ଗାଈ ମୃତ
ଗୁଣପୁର,(ୱାଇଏନଏସ): ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ ଘଣ୍ଟ ସମୟରେ ଗୁଣପୁର ଓ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଘନଘନ ବଜ୍ରପାତ, ପ୍ରବଳ ପବନ ବହିବା ସହ ବର୍ଷା ଲାଗି ରହିବା ଫଳରେ ଏକ ଅଭାବନୀୟ ଘଟଣା ଘଟିଛି। ବଜ୍ରପାତ ଯୋଗୁଁ ସ୍ଥାନୀୟ ସୌରା ପ୍ରଧାନିଗୁଡା -ଜିଲ୍ଲା କୃଷି ବିଭାଗ ଅଫିସ ରାସ୍ତାରେ ଥିବା ଗଛମୂଳେ ବର୍ଷା ଯୋଗୁଁ ୧୦ ଟି ଗାଈ ଆଶ୍ରୟ ନେଇଥିଲେ। ସେହି ସମୟରେ ବଜ୍ରପାତ ଘଟିବା ଯୋଗୁଁ ୧୦ ଟି ଗାଈ ପ୍ରାଣ ହରାଇଛନ୍ତି। ତେବେ ଗାଈ ଗୁଡିକ କାହାର ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ଅପର ପକ୍ଷରେ ଖବର ପାଇ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସିକ ଡାକ୍ତର ସିଦ୍ଧାର୍ଥ ସାବତଙ୍କ ନେତୃତ୍ୱରେ ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଛନ୍ତି। ଆସନ୍ତାକାଲି ସକାଳେ ଗାଈ ମାନଙ୍କର ଶବ ବ୍ୟବଚ୍ଛେଦ କରିବା ପରେ ଗାଈ ମାଲିକ ମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି ଡାକ୍ତର ସାବତ ସୂଚନା ଦେଇଛନ୍ତି।


