ଆଗକୁ ପଞ୍ଚାୟତ ନିର୍ବାଚନ: ତ୍ରିମୁଖୀ ଲଢେଇ ହେବ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ରାଜ୍ୟ ରାଜନୀତିରେ ହଟସ୍ପଟ ସହ ଚର୍ଚ୍ଚାରେ ଥିବା ଭାବେ ପରିଗଣିତ କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅସ୍ତରଙ୍ଗ ବ୍ଲକ ଅଧୀନରେ ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ଠାରୁ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଲାଣି । ବିଭିନ୍ନ ରାଜନୈତିକ ଦଳ ମାନସିକ ସ୍ତରରେ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ସହ ବିଭିନ୍ନ ଗ୍ରାମରେ ଆୟୋଜିତ ସଭା ସମିତି ଯୋଗଦେଇ ଜନସମ୍ପର୍କ ବୃଦ୍ଧି କରିବାରେ ଲାଗି ପଡିଛନ୍ତି ।ବିଭିନ୍ନ ଦଳର ନେତାମାନେ ଏବେ ମନ୍ଦିର ପ୍ରତିଷ୍ଠା, କ୍ରିକେଟ ଟୁଣ୍ଣାମେଣ୍ଟ,ନାଟକ ମଞ୍ଚରେ ଉଦ୍ଘାଟନ ଭଳି କାର୍ଯ୍ୟକ୍ରମ ସାମିଲ ହୋଇ ଜନସମ୍ପର୍କ ଆରମ୍ଭ କରିସାରିଛନ୍ତି ।ତେବେ ଦଳୀୟ ଚି଼ହ୍ନ ରେ ନହେଲେ ବି ପଞ୍ଚାୟତ ନିର୍ବାଚନରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ରାଜନୈତିକ ସମର୍ଥନ ଓ ପତିଆରା ବେଶ ଦେଖିବାକୁ ମିଳିଥାଏ । ୨୦୨୨ ପଞ୍ଚାୟତ ନିର୍ବାଚନକୁ ବିଚାରରେ ନେଲେ ସେତେ ବେଳେ ଏଠାରେ ବିଜେଡି ପତିଆରା ରହିଥିଲା ।ଏହି ଦଳରୁ ଏକାଧିକ ସମର୍ଥନ ନିର୍ବାଚନ ମୈଦାନ କୁ ଓଲ୍ହାଇଥିବା ବେଳେ ପ୍ରତିଦ୍ବନ୍ଦୀ ଭାବେ ମିଳିତ ମେଣ୍ଟ ମଧ୍ୟ ବିଭିନ୍ନ ସ୍ଥାନରେ ପାର୍ଥି ମଧ୍ୟ ଦେଇଥିଲେ ।ପରସ୍ପର ମଧ୍ୟରେ କଡାକଡ଼ି ଟକ୍କର ପରେ ପରିଶେଷରେ ଦିବାକର ଛାଟୋଇ ଙ୍କ ବଳିଷ୍ଠ ନେତୃତ୍ୱରେ ମିଳିତ ମେଣ୍ଟ ବିଜୟୀ ସହ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ ଅଧିକାର କରିଥିଲେ ।କିନ୍ତୁ ଅସ୍ତରଙ୍ଗ ବ୍ଲକ ଅଧିନ ଦୁଇଟି ଜିଲ୍ଲାପରିଷଦ ଜୋନ ବିଜେଡି ଦଖଲ କରିଥିଲା । କିନ୍ତୁ କିଛି ବର୍ଷପରେ ୨୦୨୪ ନିର୍ବାଚନ ପୂର୍ବରୁ ମିଳିତ ମେଣ୍ଟ ସଦସ୍ୟମାନେ ବିଜେଡି ସମୀକରଣ ବଦଳାଇବାକୁ ବିଜେପିରେ ମିଶିଥିଲେ । ଏହାପରେ ୨୦୨୪ ନିର୍ବାଚନରେ ବିଜେପି କ୍ରମଶଃ ସଶକ୍ତ ହେବାସହ ଜଗତସିଂହପୁର ସାଂସଦ ଡ଼ଃ ବିଭୁପ୍ରସାଦ ତରାଇ ବିଜେପିରୁ ବିଜୟ ହୋଇଥିବା ବେଳେ କାକଟପୁର ବିଧାୟକ ଭାବେ ପୂର୍ବପରି ତୁଷାରକାନ୍ତି ବେହେରା ବିଜୟ ମୁକୁଟ ପିନ୍ଧିଥିଲେ ।ସରକାର ପରିବର୍ତ୍ତନ ପରେ ବିଜେପି ମୁହାଁ ଅନେକ ସମର୍ଥକ ହୋଇଥିବା ଚର୍ଚ୍ଚା ଜୋରଧରିଛି ।ଫଳରେ ଗୋଟିଏ ପଟେ ବିଜେଡି ସାଧାରଣ ନିର୍ବାଚନର ସଫଳତାକୁ ଦୋହରାଇବାକୁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ବିଜେପି ବି ସ୍ଥିତି ବଜାୟ ରଖିବାକୁ ସ୍ୱତନ୍ତ୍ର ରଣକୌଶଳ କରିବା ନେଇ ଚର୍ଚ୍ଚା ଜୋରଧରିଛି । ଅନ୍ୟ ପଟେ ବିଜେଡି ଓ ବିଜେପି ମଧ୍ୟରେ ଅନ୍ତଃ କନ୍ଦଳରେ କଂଗ୍ରେସ ନୂତନ ସଭାପତି ଶ୍ରୀଯୁକ୍ତ ପ୍ରତାପ ଖୁଣ୍ଟିଆ ଙ୍କ ନେତୃତ୍ୱ କଂଗ୍ରେସ ମଧ୍ୟ ବୈଠକ ସହ ରଣନୀତି ଆରମ୍ବ କରିସାରିଛି ।କିନ୍ତୁ ୨୦୨୪ ନିର୍ବାଚନ ପରେ ବିଜେପି ରେ ବର୍ତ୍ତମାନ ଥିବା ଦୁଇ ପୂର୍ଵତନ ବିଧାୟକ ଙ୍କ ମଧ୍ୟ ରେ ଅନ୍ତଃ କନ୍ଦଳ ଥିବାରୁ ବିଜେପିରେ ଗୋଷ୍ଟି ସଂଘର୍ଷ ଭିତିରିଆ ରହିଛି ।ଯାହାର ଫାଇଦା ବିଜେଡି କିମ୍ବା କଂଗ୍ରେସ ନେଇପାରନ୍ତି ।
ଯାହା ବର୍ତ୍ତମାନ ସୂଚନାରୁ ଜଣା ପଡୁଛି ବିଜେପି ୫ବର୍ଷର ସଫଳତାକୁ ଲୋକଙ୍କ ନିକଟରେ ପହଁଞ୍ଚାବାକୁ ରଣନୀତି କରିଥିବା ବେଳେ ବିଜେଡି ମଧ୍ୟ ବ୍ଲକ ସହ ନୂତନ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ନିକଟରେ ପହଁଚିବ ।ଅନ୍ୟପଟେ ଉଭୟଙ୍କ ପ୍ରତିଦ୍ୱନ୍ଦିତା ମଧ୍ୟରେ କଂଗ୍ରେସ ମଧ୍ୟ ପୁରୁଣା କର୍ମୀ ମାନଙ୍କୁ ନେଇ ବ୍ଲକ ଦଖଲ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ଫଳରେ ୨୦୨୭ ରେ ଶାସକ ବିଜେପି ଓ ବିରୋଧୀ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ । ଗତ ସାଧାରଣ ନିର୍ବାଚନରେ ମାତ୍ର ଅଳ୍ପ ଭୋଟରେ ବିଜେଡି ଵିଧ୍ୟାୟକ ତୁଷାରକାନ୍ତି ବେହେରା ବିଜୟୀ ହୋଇ ନିଜ ଆସନ ବଜାୟ ରଖିବାରେ ସକ୍ଷମ ହୋଇଥିଲେ ।ଏହା ସହ ବିଜେପିର ଭୋଟହାର ଯଥେଷ୍ଟ ବୃଦ୍ଧି ପାଇଛି ।ଫଳରେ ବିଜେପି ଏଠାରେ ପୁରା ଦମରେ ବଳ ଗୋଟାଉଥିବା ବେଳେ କିନ୍ତୁ ବିଜେପି ଅନ୍ତଃକନ୍ଦଳ ସହ ପୁରୁଣା କର୍ମୀଙ୍କୁ ଅଣଦେଖା ବିଜେପିକୁ ପଞ୍ଚାୟତ ନିର୍ବାଚନରେ ସମସ୍ୟାରେ ପକାଇପାରେ । ତେବେ ଯାହା ବି ହେଉ ପଞ୍ଚାୟତ ନିର୍ବାଚନରେ ତିନି ଦଳ ଭିତରେ ବଡ଼ଧରଣର ପ୍ରତିଦ୍ୱନ୍ଦିତା ଆକଳନ କରାଯାଉଛି ।


