ପାଳନ ହେଉନି ବଦଳି ନିୟମ : ମାଡି ବସିଛନ୍ତି ଗାଦି
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : କାକଟପୁର ନିର୍ବାଚନ ମଣ୍ଡଳୀ ର ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଏକ ପ୍ରମୁଖ ବ୍ଲକ ଭାବେ ଜଣାଶୁଣା। ଅସ୍ତରଙ୍ଗ ବ୍ଲକ ଅଧୀନ ୧୫ଟି ପଂଚାୟତ ଓ କାକଟପୁର ବ୍ଲକ ଅଧୀନ ୧୬ଟି ପଂଚାୟତ ରହିଛି। ଏହି ପଂଚାୟତବାସୀ ଙ୍କ ସମସ୍ୟାର ସମାଧାନ ଓ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଶାସନିକ ସ୍ତରରେ ବରିଷ୍ଠ ଅଧିକାରୀ ଓ ଅଧିକାରିଣୀ ମାନଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଅସ୍ତରଙ୍ଗ ଓ କାକଟପୁର ରେ ଥିବା ସରକାରୀ ଅଫିସ ଗୁଡିକରେ ସାଧାରଣ ଲୋକଙ୍କ କାମ ଠିକ ସମୟରେ ସଠିକ ଢଙ୍ଗରେ ହେଉନଥିବା ଅଭିଯୋଗ ହୋଇଛି। ଏହାର କାରଣ ହେଉଛି ଅସ୍ତରଙ୍ଗ ଓ କାକଟପୁର ବ୍ଲକର ସରକାରୀ କାର୍ଯ୍ୟାଳୟ ରେ ଗାଦି ମାଡି ବସିଥିବା କିଛି ବରିଷ୍ଠ ଅଧିକାରୀ, ଅଧିକାରିଣୀ ପାଇଁ ପ୍ରଶାସନିକ କାର୍ଯ୍ୟରେ ସ୍ୱଛତା ରହୁନାହିଁ।ଫଳରେ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଦୁର୍ନୀତି ବଢ଼ି ଚାଲିଥିବା ଅଭିଯୋଗ ହେଉଛି। ଏହି ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି, ସହ ଅନେକ ଯୋଜନା ରେ ଦୁର୍ନୀତି,ପିସି କାରବାର ଭଳି କାର୍ଯ୍ୟ ହେଉଥିବା ପୂର୍ବରୁ ନଜିର ରହିଛି।ସାଧାରଣ ଲୋକ ପ୍ରଶାସନିକ ସ୍ତରରେ ସହଯୋଗ ପାଇବା ବଦଳରେ ଅବହେଳାର ଶିକାର ହେଉଛନ୍ତି। ଅସ୍ତରଙ୍ଗ ଓ କାକଟପୁର ବ୍ଲକର ବିଭିନ୍ନ ବିଭାଗ ଯେପରିକି କୃଷି ବିଭାଗ, ଉଦ୍ୟାନ ବିଭାଗ ସହ ଅନ୍ୟ କାର୍ଯ୍ୟାଳୟ ରେ ଥିବା କିଛି ବରିଷ୍ଠ ଅଧିକାରୀ, ଅଧିକାରିଣୀ ୩ବର୍ଷରୁ ଅଧିକ ସମୟ ଧରି ବଦଳି ନ ହୋଇ ଗୋଟିଏ ଜାଗାରେ ରହି କାର୍ଯ୍ୟ କରୁଛନ୍ତି। ମନଇଚ୍ଛା ସରକାରୀ କାର୍ଯ୍ୟରେ ଅବହେଳା କରିବା ସହ ବହୁ ଯୋଜନା କୁ ସେମାନେ କାର୍ଯ୍ୟକାରୀ କରୁନାହାନ୍ତି। ସରକାରୀ ଯୋଜନାରୁ କିପରି ଅର୍ଥ ହେରଫେର କରିହେବ ସେହି ରାସ୍ତା ଏହି ଅଧିକାରୀଙ୍କ ଦ୍ୱାରା ଦଲାଲ ମାନଙ୍କ ନିକଟକୁ ଯାଉଛି। ରାଜନୈତିକ କଳକୁ ବ୍ୟବହାର କରି ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ବଦଳି ନିୟମକୁ ଫୁ “କରି ଉଡାଇଦେଉଛନ୍ତି ଅଧିକାରୀ, ଅଧିକାରିଣୀ ମାନେ। ଏମିତି ବହୁ ସରକାରୀ କାର୍ଯ୍ୟାଳୟରେ ଥିବା କର୍ମଚାରୀ ମାନେ ଦୀର୍ଘ ବର୍ଷ ଧରି ବଦଳି ହେଉ ନଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଏହି କର୍ମଚାରୀ ମାନଙ୍କର ବଡ଼ ନେତା ସହ ଉପରମହଲାରେ ହାତ ରହିଛି ବୋଲି ଚର୍ଚ୍ଚା ହେଉଛି। କେଉଁ ସ୍ୱାର୍ଥ ପାଇଁ ଏମାନେ ଏହି ବ୍ଲକରେ ଦୀର୍ଘବର୍ଷ ହେଲାଣି ଆସ୍ଥାନ ଜମାଇଛନ୍ତି ଯେ ଏମାନଙ୍କର ଏହି ବ୍ଲକରୁ ମୋହ ଛାଡ଼ୁନି। ଏଭଳି ଅନେକ ପ୍ରଶ୍ନ ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।ସେଥିପାଇଁ ବଦଳି ନିୟମରେ ବଦଳି କୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳ ମଧ୍ୟ ଗୁରୁତ୍ୱ ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ତୁରନ୍ତ ୩ବର୍ଷରୁ ଅଧିକ ସମୟ ଧରି ଗୋଟିଏ ଜାଗାରେ କାର୍ଯ୍ୟ କରୁଥିବା ଅଧିକାରୀ, ଅଧିକାରିଣୀ ଙ୍କୁ ବଦଳି କରିବାକୁ ସାଧାରଣ ରେ ଦାବି ହେଉଛି।


