ପ୍ରତି ଜିଲ୍ଲା ସଦର ମହକୁମାରେ ହେବ ସଂଗ୍ରହାଳୟ
ସମ୍ବଲପୁର,(ଲିପନ ନାୟକ):ପର୍ଯ୍ୟଟନ ସଚିବ ବଳବନ୍ତ ସିଂହ ସମ୍ବଲପୁର ଗସ୍ତରେ ଆସି ସମଲେଶ୍ୱରୀ ମନ୍ଦିର ପ୍ରକଳ୍ପରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଅଗ୍ରଗତି ରେ ସମୀକ୍ଷା କରିଛନ୍ତି। ନିର୍ମିତ ପ୍ରକଳ୍ପ ର ରକ୍ଷଣବେକ୍ଷଣ ଉପରେ ସେ ଗୁରୁତ୍ୱାରୋପ ଜରିବା ସହିତ ମହାନଦୀ ରିଭର ଭ୍ୟୁ’ ପ୍ରକଳ୍ପ ର ନିର୍ମାଣ ଆରମ୍ଭ ଓ ଏହାର ଡିଜାଇନ ଅବଲୋକନ କରି ଭଵ୍ୟତା ଉପରେ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ପର୍ଯ୍ୟଟନ ସଚିବଙ୍କ ଗସ୍ତ ସମୟରେ ଏଠାରେ ଜିଲ୍ଲା ସ୍ଵରୀୟ ସଂଗ୍ରହାଳୟ ନିର୍ମାଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବେଜବରୁଆ ଭବନ ପରିଦର୍ଶନ କରିଥିଲେ । ସାଧନା ଗୃହ ପରିଦର୍ଶନ ପରେ ନିର୍ମାଣାଧୀନ ବାସଗୃହ ବୁଲି ଦେଖିଥିଲେ । ନିର୍ମାଣ ସରିବା ପରେ ତାର ସ୍ବରୂପ କିଭଳି ଦେଖାଯିବ ତାହା ଦେଖିଥିଲେ । ନିର୍ମାଣ ସରିବା ପରେ ଆଭ୍ୟନ୍ତରୀଣ ବ୍ୟବସ୍ଥା କିଭଳି ରହିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବେଜବରୁଆଙ୍କ ସାହିତ୍ୟ ଜୀବନ ଯାତ୍ରା ବାବଦରେ ଯେଭଳି ପରିଦର୍ଶକ ଦୃଶ୍ୟ- ଶ୍ରାବ୍ଯ ବିବରଣୀ ପାଇବେ ତାର ବ୍ୟବସ୍ଥା କରିବା ଉପରେ ତଥା ସମ୍ମୁଖରେ ଲନ ଆଦି କରି ସୁନ୍ଦରତା ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ। ଇନଟାକ୍ ସମ୍ବଲପୁର ଚାପ୍ଟର ର ଆବାହକ ଦୀପକ କୁମାର ପଣ୍ଡା ସୂଚାଇଥିଲେ ଯେ, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବାସଗୃହ ସମ୍ମୁଖରେ ବେଜବରୁଆଙ୍କ ଏକ ପୂର୍ଣ୍ଣ ଅବୟବ ମୂର୍ତ୍ତି ପାଇଁ ସ୍ବତନ୍ତ୍ର ଅର୍ଥ ଅନୁଦାନ ପ୍ରଦାନ କରିଛନ୍ତି। ମୂର୍ତ୍ତି ନିର୍ମାଣ ସରିଲାଣି। ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟରେ ପହଞ୍ଚି ସିଂ ବୁଲି ଦେଖିବା ସହିତ ଏହାକୁ ଅଧିକ ଉନ୍ନୀତ କରିବା ପାଇଁ କେତେକ ପରାମର୍ଶ ଦେଇଥିଲେ । ରଜା ବଖରୀ ଦେଖିବା ପରେ ଯେଭଳି ଏହାର ଶୀଘ୍ର ବୈଷୟିକ ଅନୁଧ୍ୟାନ ଓ ରିପୋର୍ଟ ଉପଲବ୍ଧ ହେବ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରତି ଜିଲ୍ଲା ସଦର ମହକୁମାରେ ଗୋଟିଏ ଲେଖାଏଁ ସଂଗ୍ରହାଳୟ ସ୍ଥାପନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ସୀମିତ ସ୍ଥାନରେ ଥିବାରୁ ଓ ଏହାକୁ ସାଂସ୍କୃତିକ ତଥା ଜନଜୀବନ ଆଧାରିତ କରାଯାଇଥିବାରୁ ସମଲେଶ୍ଵରୀ ମନ୍ଦିର ସଂଗ୍ରହାଳୟକୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ ବିଷଦ ସୂଚନା ଆଧାରିତ କରିବାକୁ ପଦକ୍ଷେପ ନିଆଯିବ। ଏଠାରେ କୃଷି, ଜଳସମ୍ପଦ, ଜଙ୍ଗଲ ଓ ଅନ୍ୟାନ୍ୟ ସବୁ ବିଷୟ ରହିବ । ସମ୍ବଲପୁରର ସମସ୍ତ ପର୍ଯ୍ୟଟନ ସମ୍ଭାବନା ସ୍ଥଳୀର ବିକାଶ କରାଯାଇ ଏକ ସମନ୍ୱିତ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ । ପର୍ଯ୍ୟଟକ ବିଭିନ୍ନ ସ୍ଥାନ ବୁଲି ଦେଖିପାରିବେ । ସେମାନଙ୍କ ପାଇଁ କଣ୍ଡକ୍ଟେଡ ଟୂର ର ସୁବିଧା କରାଯିବ । ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଉପସ୍ଥିତ ରହି ଆଲୋଚନା ରେ ମୁଖ୍ୟ ଭୂମିକା ନେଇଥିଲେ । ଇନଟାକ୍ ସମ୍ବଲପୁର ଚାପ୍ଟର ର ଆବାହକ ଦୀପକ କୁମାର ପଣ୍ଡା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବିନ୍ଦ୍ର ଦଳାଇ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।


