ପୂର୍ବତନ କାଉନସିଲର ନାଗ ଭୂଷଣ ରାଓଙ୍କ ପରଲୋକ
ଗୁଣପୁର,(ୱାଇଏନଏସ): ଗୁଣପୁର ସହରର ଜଣାଶୁଣା ସମାଜସେବୀ ତଥା ପୂର୍ବତନ କାଉନସିଲର ଆତୁକୁରୁ ନାଗଭୂଷଣ ରାଓ(ନାଗୁ)ଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି। ଆଜି ସକାଳେ ଘର ପଛପଟେ କୌଣସି ଏକ କାମରେ ବ୍ୟସ୍ତ ରହିଥିବା ସମୟରେ ହଠାତ ପଡିଯାଇଥିଲେ। ତୁରନ୍ତ ପରିବାର ଲୋକ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାକୁ ନେବାରୁ ଡାକ୍ତର ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ଧର୍ମପତ୍ନୀ ତଥା ପୂର୍ବତନ ପୋୖର ଅଧ୍ୟକ୍ଷା ଭାଗ୍ୟ ଲକ୍ଷ୍ମୀ, ଦୁଇ ପୁଅ ସୁରେଶ,ରାଜେଶ , ବୋହୁ, ନାତି ନାତୁଣୀ ଉପସ୍ଥିତ ଥିଲେ। ସ୍ଵର୍ଗତଃ ନାଗୁ ସୁତରୀ ଅଶୀ ଦଶକରେ କଂଗ୍ରେସ ଦଳରେ ଜଣେ ଦୃଢ଼ ସଙ୍ଗଠକ ଭାବେ କାର୍ଯ୍ୟ କରି ନିଜେ କାଉନସିଲର,ଧର୍ମପତ୍ନୀଙ୍କୁ ପୋୖର ଅଧ୍ୟକ୍ଷା ଏବଂ ବୋହୁ ବିନୋଡ୍ନୀକୁ କାଉନସିଲର କରିଥିଲେ। ଗୁଣପୁର ସହରର ୬ ନମ୍ବର ଓ୍ବାର୍ଡ଼ରେ କାଉନସିଲର ଭାବେ ସେ ନିର୍ବାଚିତ ହୋଇ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ। ସେ ଜଣେ ସୁସଙ୍ଗଠକ ଭାବେ ପରିଚିତ ଥିଲେ। ତାଙ୍କ ଅମଳରେ ସେ ନିଜେ ସାଇକେଲରେ ଗୁଣପୁର ସହରର ସାହି ଗଳିକନ୍ଧି ଇତ୍ୟାଦି ବୁଲି ପରିମଳ ଓ ସଫେଇ କାର୍ଯ୍ୟ ତଦାରଖ କରିବା ସହ ବୁଢ଼ାବୁଢ଼ୀ ଓ ବିଧବା ମାନଙ୍କୁ ଭତ୍ତା କରେଇ ପାରୁଥିଲେ। ସ୍ଵର୍ଗତଃ ନାଗୁ ୨୦୧୯ ମସିହାରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ। ପୋୖର ପାଳିକାର ସମସ୍ତ ଦୁର୍ନୀତି, ବେନିୟମ ଅନୀତି କାର୍ଯ୍ୟ ବିରୋଧରେ ସ୍ଵର ଉତ୍ତୋଳନ କରି ଆସୁଥିଲେ। ସେହିପରି ଗ୍ରାମଦେବୀ ମନ୍ଦିରର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ରହିଛି। ସ୍ଵର୍ଗତଃ ନାଗୁଙ୍କ ବିୟୋଗରେ ଜଣେ ସଚା ସମାଜସେବୀଙ୍କୁ ଗୁଣପୁର ସହର ହରେଇଥିବା ସାଧାରଣରେ ମତ ପ୍ରକାଶ ପାଇଛି। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଜନସାଧାରଣ ତାଙ୍କ ବାସ ଭବନକୁ ଯାଇ ଶେଷ ଦର୍ଶନ କରିବା ସହ ଶୋକ ବ୍ୟକ୍ତ କରିଛନ୍ତି। ଆଜି ପୂର୍ବାହ୍ନରେ ବଂଶଧାରା ନଦୀକୂଳରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ଼ ପୁଅ ଆତୁକୁରୁ ସୁରେଶ ମୁଖାଗ୍ନି ଦେଇଥିଲେ।


