ବୃତ୍ତିରେ ଶିକ୍ଷକ :ନିଶା ବୃକ୍ଷରୋପଣ ସହ ପରିବେଶ ସୁରକ୍ଷା
ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ବୃତ୍ତିରେ ସେ ଶିକ୍ଷକ, କିନ୍ତୁ ନିଶା ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା। ଦୀର୍ଘ ବର୍ଷ ହେବ ଦମ୍ପତି ନିରବଛିନ୍ନ ଭାବେ ପରିବେଶ ଅନୁକୂଳ ଓ ବନ୍ୟପ୍ରାଣୀକୁ ଖାଦ୍ୟ ଯୋଗାଉଥିବା ବୃକ୍ଷରୋପଣ କରି ସେ ସମସ୍ତଙ୍କ ପ୍ରେରଣା ସାଜିଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଘଣ୍ଟିକଣ ଅଂଚଳର ବାସିନ୍ଧା ଶିକ୍ଷାବିତି ଧୀର ସ୍ୱାଇଁ (୫୬)ଓ ପତ୍ନୀ କବିୟତ୍ରୀ ଜୟନ୍ତୀ ସ୍ୱାଇଁ (୪୬)। ଧୀରଗୁରୁଜୀ ଙ୍କ ପିଲାଦିନରୁ ପରିବେଶ ପ୍ରତି ରହିଛି ଆକର୍ଷଣ। ସବୁଜିମାଭରା ପ୍ରାକୃତିକ ପରିବେଶକୁ ସେ ବେଶ ଭଲ ପାଆନ୍ତି। ତେବେ ସେ ଅନୁଭବ କଲେ ଯେ ପ୍ରାକୃତିକ ବିପର୍ଯୟ ହେତୁ ଜଙ୍ଗଲ ଗୁଡିକ ନଷ୍ଟ ହେବାର ଲାଗିଛି। ସେଥିପାଇଁ ଧୀର ଗୁରୁଜୀ ବୃକ୍ଷରୋପଣ ପ୍ରତି ଆଗ୍ରହ ବଢିଥିଲା।୨୦୦୦ମସିହା ପୂର୍ବରୁ ସେ ଏ ଦିଗରେ ପ୍ରଥମ ପଦକ୍ଷେପ ନେଇଥିଲେ। ଜଙ୍ଗଲରେ ମଞ୍ଜି ବୁଣିବା, ଗଛ ଲଗାଇବା, ଚଢ଼େଇମାନଙ୍କର ଖାଦ୍ୟପାନୀୟ ବ୍ୟବସ୍ଥା ଓ ଲୋକମାନଙ୍କୁ ପରିବେଶ ମନସ୍କ କରାଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ। ସେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରେ ଆୟୋଜିତ ପରିବେଶଭିତ୍ତିକ କାର୍ଯ୍ୟକ୍ରମରେ ଯୋଗଦେଇ କେମିତି ଗଛ ଲଗାଇବେ ଓ ଏହାର ଯତ୍ନ ନେବେ ସେ ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରାଇଥାଆନ୍ତି।ପରିବେଶ ସୁରକ୍ଷା ପ୍ରତି ଅବଦାନ ଲାଗି ତାଙ୍କୁ ଅନେକ ସମ୍ମାନ ଓ ସ୍ବୀକୃତି ମଧ୍ୟ ମିଳିଛି। ସେ ଶିକ୍ଷକତା ଓ ପରିବେଶ ସେବା ମଧ୍ୟରେ ସନ୍ତୁଳନ ବଜାୟ ରଖିବାରେ ସଫଳ ହୋଇଛନ୍ତି। ବିଦ୍ୟାଳୟରୁ ବଳକା ସମୟ ପାଇଲେ ସେ ତାଙ୍କ ପତ୍ନୀ ଜୟନ୍ତୀ ଙ୍କ ସହ ମିଶି ପରିବେଶ ପାଇଁ କାମ କରୁଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଗଛ ଲଗାଇବା ଓ ଏହାର ଯତ୍ନ ନେବା ପାଇଁ ସଚେତନ କରାଉଛନ୍ତି। ସେ ବିଭିନ୍ନ ବିଦ୍ୟାଳୟରେ ପ୍ରାୟ ୭ହଜାର ରୁ ଅଧିକ ଗଛ ଲଗାଇଛନ୍ତି। ପିଲାମାନଙ୍କୁ ପରିବେଶ ସୁରକ୍ଷା ଶିକ୍ଷା ମଧ୍ୟ ଦିଅନ୍ତି ଧୀର ଗୁରୁଜୀ । ସେ ଭବିଷ୍ୟତରେ ପରିବେଶ ପାଇଁ ଆହୁରି ଅନେକ କାମ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ଏହାସହ ପରିବେଶ ପ୍ରତି ଯତ୍ନବାନ ହେବା ଏବଂ ଓଡ଼ିଶାର ସବୁ ସ୍ଥାନରେ ପରିବେଶ ସୁରକ୍ଷା ଅଭିଯାନ ଆରମ୍ଭ କରିବା ତାଙ୍କର ଲକ୍ଷ୍ୟ ବୋଲି କହନ୍ତି ଶିକ୍ଷକ ଧୀର ସ୍ୱାଇଁ ।ଏହା ସହ ଦମ୍ପତି ମଧ୍ୟ ନିଜ ବାଡ଼ିରେ ପଶୁପକ୍ଷୀ ଙ୍କୁ ଖାଇବାକୁ ଦେବା ସହ ସଚେତଧର୍ମୀ ପୋଷ୍ଟର ଲଗାଇଛନ୍ତି। ବିଲୁପ୍ତ ହୋଇଯାଉଥିବା ଅନେକ ଗଛର ମଞ୍ଜିର ସଂଗ୍ରହ ଓ ବଣ୍ଟନ ସହ ସେ ଚାରା ମଧ୍ୟ ପ୍ରସ୍ତୁତ କରୁଛନ୍ତି।ସ୍ଥାନୀୟ ଅଞ୍ଚଳରେ ଶିକ୍ଷାବିତି ଧୀର ସ୍ୱାଇଁ ଙ୍କୁ ପରିବେଶ ଯୋଦ୍ଧା ଭାବେ କାମ କରୁଛନ୍ତି ବୋଲି ମତ ଦେଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।


