ଅନେକ ବିଦ୍ୟାଳୟରେ ମିଳିନାହିଁ ସମସ୍ତ ବିଷୟ ଭିତ୍ତିକ ବହି

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ଗ୍ରୀଷ୍ମ କାଳୀନ ଅବକାଶ ଅଧା ସରିଲାଣି । ଛାତ୍ର, ଛାତ୍ରୀ ବହି ନଥିବାରୁ ଘରେ ହାତ ବାନ୍ଧି ବସିଛନ୍ତି । ପାଠ ପଢା ଆଗେଇ ପାରୁନାହିଁ। ଛୁଟି ଖୋଲିବାକୁ ଛାତ୍ର, ଛାତ୍ରୀ ଚାହିଁ ବସିଛନ୍ତି। ଯାହାକୁ ନେଇ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି। ବହି ବଦଳିବା ପରେ ନୂଆ ବହି ଆସିନଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି। ଏଯାବତ ପୁରୀ ଜିଲ୍ଲା ଅସ୍ତରଙ୍ଗ ଶିକ୍ଷାମଣ୍ଡଳରେ ଅନେକ ବିଦ୍ୟାଳୟର ଛାତ୍ର, ଛାତ୍ରୀ ବହି ପାଇନଥିବା ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ପ୍ରତିବର୍ଷ ଗ୍ରୀଷ୍ମ ଅବକାଶ ପୂର୍ବରୁ ଛାତ୍ରଛାତ୍ରୀ ଙ୍କୁ ସରକାରୀ ବିଦ୍ୟାଳୟରେ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥାଏ। ଯଦି କେହି ବହି ନ ପାଇଥାନ୍ତି ତେବେ ପୂର୍ବବର୍ଷ ବହି ସଂଗ୍ରହ କରି ଗ୍ରୀଷ୍ମଛୁଟିରେ ପାଠ ପଢା ଜାରି ରଖିଥାନ୍ତି। ପ୍ରାୟ ଦୁଇ ମାସ ଛୁଟି ରହୁଥିବାରୁ ଏହି ସମୟରେ ଛାତ୍ର, ଛାତ୍ରୀ କିଛି ପାଠ ସାରି ଦେଇଥାନ୍ତି। ଅପ୍ରେଲ ମାସରେ ପଢା ହୋଇଥିବା ପାଠକୁ ମଧ୍ୟ ପୁନରାବୃତ୍ତି କରିଥାନ୍ତି। ଫଳରେ ବିଦ୍ୟାଳୟ ଖୋଲିବା ପରେ ପାଠ ପଢା ଆଗେଇ ନେବା ପାଈଁ ସେମାନଙ୍କୁ ସହଜ ହୋଇଥାଏ। ଚଳିତ ଥର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକ ବଦଳିଛି। ନୂଆ ଢଙ୍ଗରେ ସମସ୍ତ ବହି ଆସିଛି। ମାତ୍ର ଏଯାବତ ସମସ୍ତ ବହି ଛାତ୍ର, ଛାତ୍ରୀଙ୍କ ନିକଟରେ ପହଂଚି ପାରିନାହିଁ।ଅସ୍ତରଙ୍ଗ ଶିକ୍ଷାମଣ୍ଡଳ ଅଧୀନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୭ହଜାରଉର୍ଦ୍ଧ ଛାତ୍ର, ଛାତ୍ରୀ ଅଧୟନ କରୁଛନ୍ତି। ଯେଉଁଥି ପାଈଁ ବହି ଆବଶ୍ୟକ। ମାତ୍ର ଅଧିକାଂଶ ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ବହି ପାଈନଥିବା ଅଭିଯୋଗ କରିଛନ୍ତି। ବିଶେଷ କରି ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାତ୍ର ତିନି ଚାରି ଖଣ୍ଡ ବହି ପାଇଛନ୍ତି। ଅନ୍ୟ ପଟେ ଅସ୍ତରଙ୍ଗ ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ସ୍ୱାଇଁ କହିଛନ୍ତି ଯେତିକି ବହି ଆସିଥିଲା, ସମସ୍ତ ବହି ବିଭିନ୍ନ ବିଦ୍ୟାଳୟକୁ ବଣ୍ଟନ ସରିଛି। ସେହିପରି ଖୁବଶୀଘ୍ର ସମସ୍ତ ଛାତ୍ର ଛାତ୍ରୀଙ୍କ ନିକଟରେ ବହି ପହଂଚାଇବା ବ୍ୟବସ୍ଥା କରାଯିବାକୁ ଅଭିଭାବକ ମାନେ ଶିକ୍ଷା ବିଭାଗ ନିକଟରେ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ