ଦୁର୍ଘଟଣାରେ ଗୁରୁତର ଥିବା ସରୋଜଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ହାଟଡିହି, (ଓ୍ବାଇଏନଏସ) : ହାଟଡିହି ବାଲିବରେଇ ଗ୍ରାମର ବିଶିଷ୍ଟ ଯୁବ ସମାଜସେବୀ ତଥା ପରୋପକାରୀ ବ୍ୟକ୍ତିତ୍ବ ଭାବେ ଜଣାଶୁଣା ସରୋଜ କୁମାର ଜେନା (୫୫)ଙ୍କର ଏକସଡ଼କ ଦୁର୍ଘଟଣାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତ ୩ ତାରିଖ ଦିନ ସରୋଜ ଆଗରପଡ଼ାରୁ ନିଜ ଘର ବାଲିବରେଇକୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ବାଟୋଇଙ୍କଠାରୁ ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆଗରପଡ଼ା, ପରେ ଭଦ୍ରକ ଓ କଟକ ମେଡିକାଲକୁ ନେଇଥିଲେ। ଅବସ୍ଥା ଅଧୂକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ସକାଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେଠାରେ ବ୍ୟବଚ୍ଛେଦ ପରେ ଶବ ବ୍ୟବ ସନ୍ଧ୍ୟାରେ ମରଶରୀର ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରଲୋକ ଖବର ପାଇ ବିଜେପି ନେତା ଆଲୋକ ସେଠୀ, ମଣ୍ଡଳ ସଭାନେତ୍ରୀ ଟିକି କିସ୍କୁ ଓ ନିକୁଞ୍ଜ ଓଝା ପ୍ରମୁଖ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପରେ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ସାଳନ୍ଦୀ ନଦୀ କୂଳରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ଼ପୁଅ ସୌମ୍ୟରଞ୍ଜନ, ସାନପୁଅ ମନୋରଞ୍ଜନଙ୍କ ସମେତ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।


