ସ୍ୱତନ୍ତ୍ର କ୍ରିକେଟ୍ ଷ୍ଟାଡିୟମ୍ ପାଇଁ କ୍ରୀଡ଼ାମନ୍ତ୍ରୀଙ୍କୁ ବିଧାୟକଙ୍କ ପତ୍ର
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲାର ଶହ ଶହ ଯୁବ କ୍ରିକେଟ୍ ଖେଳାଳିଙ୍କ ବହୁ ଦିନର ସ୍ୱପ୍ନ ଏବେ ସାକାର ହେବାର ଆଶା ଦେଖାଦେଇଛି। ମାଲକାନଗିରି ବିଧାନସଭା ସଦସ୍ୟ ଶ୍ରୀ ନରସିଂହ ମାଡକାମି କ୍ରୀଡ଼ା ଓ ଯୁବ ବ୍ୟାପାର, ଉଚ୍ଚଶିକ୍ଷା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ମୁଣ୍ଡାଗୁଡ଼ାଠାରେ ପ୍ରସ୍ତାବିତ ବ୍ଲକ ସ୍ତରୀୟ ଷ୍ଟାଡିୟମ୍କୁ ଏକ ସ୍ୱତନ୍ତ୍ର କ୍ରିକେଟ୍ ଫେସିଲିଟିରେ ପରିଣତ କରିବା ପାଇଁ ଦାବି ଜଣାଇଛନ୍ତି। ବିଧାୟକ ତାଙ୍କ ପ୍ରସ୍ତାବ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, କ୍ରୀଡ଼ା ଓ ଯୁବସେବା ବିଭାଗର ପତ୍ର ସଂଖ୍ୟା INFR-0031-2025/9272, ତାରିଖ ୧୨ ମାର୍ଚ୍ଚ ୨୦୨୬ ଅନୁଯାୟୀ ମାଲକାନଗିରି ବ୍ଲକରେ ପ୍ରାୟ ୧୦.୧୬ କୋଟି ଟଙ୍କା ବ୍ୟୟରେ ଏକ ମଲ୍ଟି-ସ୍ପୋର୍ଟସ୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ପ୍ରଶାସନିକ ଅନୁମୋଦନ ମିଳିଛି। ତେବେ ବ୍ଲକ ମଧ୍ୟରେ ପୂର୍ବରୁ ଏକ ମଲ୍ଟି-ସ୍ପୋର୍ଟସ୍ ଷ୍ଟାଡିୟମ୍ ରହିଥିବାରୁ ନୂତନ ପ୍ରକଳ୍ପକୁ ଜିଲ୍ଲାର ଆବଶ୍ୟକତା ଅନୁଯାୟୀ କ୍ରିକେଟ୍ ହବ୍ ଭାବେ ବିକଶିତ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ମାଲକାନଗିରିରେ କ୍ରିକେଟ୍ ପ୍ରତି ଯୁବପିଢ଼ୀଙ୍କ ଆଗ୍ରହ ରହିଛି ଜିଲ୍ଲାର ବିଭିନ୍ନ ଗାଁ ଓ ସହରାଞ୍ଚଳରୁ ୭ରୁ ୨୨ ବର୍ଷ ବୟସର ଶତାଧିକ ଖେଳାଳି ପ୍ରତିଦିନ କଠିନ ପରିଶ୍ରମ କରି ଅଭ୍ୟାସ କରୁଛନ୍ତି କିନ୍ତୁ ଆଧୁନିକ ପିଚ୍, ନେଟ୍ ପ୍ରାକ୍ଟିସ୍, ଜିମ୍ ଓ ପ୍ରଶିକ୍ଷଣର ଅଭାବ ସେମାନଙ୍କ ଆଗକୁ ବଢ଼ିବାରେ ବଡ଼ ପ୍ରତିବନ୍ଧକ ସାଜିଛି। ସ୍ଥାନୀୟ ଯୁବ କ୍ରିକେଟରମାନଙ୍କ କହିବା ଅନୁଯାୟୀ, “ଆମ ପାଖରେ ପ୍ରତିଭା ଅଛି, ପରିଶ୍ରମ କରିବାର ଇଚ୍ଛା ଅଛି, କିନ୍ତୁ ଭଲ ସୁବିଧା ନାହିଁ। ଏକ ଉନ୍ନତ କ୍ରିକେଟ୍ ଷ୍ଟାଡିୟମ୍ ହେଲେ ମାଲକାନଗିରିର ଖେଳାଳିମାନେ ରାଜ୍ୟ ଓ ଜାତୀୟ ସ୍ତରରେ ନିଜ ଦକ୍ଷତା ପ୍ରଦର୍ଶନ କରିପାରିବେ। ଅଭିଭାବକମାନେ ମଧ୍ୟ ଏହି ପ୍ରସ୍ତାବକୁ ସ୍ୱାଗତ କରି କହିଛନ୍ତି ଯେ, ଆଜିର ଯୁବପିଢ଼ୀଙ୍କୁ ନିଶା, ଅପସଂସ୍କୃତି ଓ ଅନ୍ୟାନ୍ୟ ସାମାଜିକ ବ୍ୟାଧିରୁ ଦୂରେ ରଖିବା ପାଇଁ କ୍ରୀଡ଼ା ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ। ଯଦି ମୁଣ୍ଡାଗୁଡ଼ାରେ ଏକ ଆଧୁନିକ କ୍ରିକେଟ୍ ଷ୍ଟାଡିୟମ୍ ନିର୍ମାଣ ହୁଏ, ତେବେ ଜିଲ୍ଲାର ଶହ ଶହ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ। ବିଧାୟକ ଶ୍ରୀ ନରସିଂହ ମାଡକାମି କହିଛନ୍ତି ଯେ ମାଲକାନଗିରିର ଯୁବପିଢ଼ୀଙ୍କ ମଧ୍ୟରେ କ୍ରିକେଟ୍ ପ୍ରତି ଅସାଧାରଣ ଉତ୍ସାହ ରହିଛି। ଏହି ପ୍ରକଳ୍ପକୁ ଏକ ଡେଡିକେଟେଡ୍ କ୍ରିକେଟ୍ ଫେସିଲିଟି ସହ ଇଣ୍ଡୋର ଷ୍ଟାଡିୟମ୍ ଏବଂ ଜିମ୍ନାସିୟମ୍ରେ ପରିଣତ କରାଗଲେ ଆମ ଜିଲ୍ଲାର ପ୍ରତିଭାବାନ ଖେଳାଳିମାନେ ଉପକୃତ ହେବେ ଏବଂ ମାଲକାନଗିରି ରାଜ୍ୟର କ୍ରୀଡ଼ା ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିବ। ଏବେ ମାଲକାନଗିରିର ଯୁବ କ୍ରିକେଟର, କ୍ରୀଡ଼ାପ୍ରେମୀ ଓ ଅଭିଭାବକମାନଙ୍କ ନଜର ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ରହିଛି। ମାଲକାନଗିରିର ପିଲାମାନଙ୍କୁ ଏକ ଆଧୁନିକ କ୍ରିକେଟ୍ ଷ୍ଟାଡିୟମ୍ କିଭଲି ମିଳିପାରିବ ଓ ଏହି ଠାରୁ ପ୍ରସୀକ୍ଷୀଣ ଯୁବା ଦିନେ ଓଡ଼ିଶା ଓ ଦେଶ ପାଇଁ ଗୌରବ ଆଣିବେ।”


