ନୀଳାଚଳନାଥ ଶ୍ରୀପୁରୁଷୋତ୍ତମ ନାମର ମହତ୍ତ୍ଵ


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ପାବନ ଭାରତ ଭୂମିର ଚାରିଧାମ ମଧ୍ୟରୁ ଶ୍ରେଷ୍ଠୋତ୍ତମ ଧାମ ହେଉଛି ପବିତ୍ର ନୀଳାଚଳ । ଏଠାରେ ରହିଛି ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀମନ୍ଦିର। ଏହି ବଡ଼ଦେଉଳର ରତ୍ନବେଦୀ ଉପରେରେ ବିରାଜିତ ଅଛନ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭକ୍ତ ଶ୍ରୀସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁ କେବଳ ନୀଳାଚଳର ନାଥ ନୁହଁନ୍ତି, ବରଂ ସେ ସାରା ଜଗତର ନାଥ । ତେଣୁ ଶାସ୍ତ୍ରରେ କୁହାଯାଇଛି:

ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ।
ବଳଭଦ୍ର ସୁଭଦ୍ରାଭ୍ୟାମ୍ ଜଗନ୍ନାଥାୟ ତେ ନମଃ।।

ମାହାବାହୁ ହେଉଛନ୍ତି ପୂର୍ଣ୍ଣ ଦାରୁବ୍ରହ୍ମ ବିଗ୍ରହ। ସେ ପବିତ୍ର ନୀଳାଚଳ ଧାମରେ ବିରାଜମାନ କରିଥିବାରୁ ତାଙ୍କୁ ନୀଳାଚଳନାଥ ଏବଂ ସମସ୍ତ ପୁରୁଷଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇଥିବା ଯୋଗୁଁ ଜଗନ୍ନାଥଙ୍କୁ ଶ୍ରୀପୁରୁଷୋତ୍ତମ କୁହାଯାଏ। ଯାହା ଉଭୟ ନାମର ବିଶେଷତ୍ତ୍ୱ।

ଉପରୋକ୍ତ ଦୁଇଟି ନାମର ବିଶେଷତ୍ତ୍ୱକୁ ଯଦି ବିଶ୍ଳେଷଣ କରାଯାଏ, ତେବେ ଆମେ ବୁଝି ପାରିପାରିବା ଯେ, ଏହାର ପଛରେ କ’ଣ ମହତ୍ତ୍ଵ ରହିଛି ? ଉଭୟ ପଦ ଭିତରୁ ନୀଳାଚଳ ପଦଟି ଦୁଇଗୋଟି ଶବ୍ଦକୁ ନେଇ ଗଠିତ ହୋଇଛି। ଯଥା: ନୀଳ ଓ ଅଚଳ। ନୀଳର ସାଧାରଣ ଅର୍ଥ ବର୍ଣ୍ଣ ବା ରଙ୍ଗର ଵିଶେଷ ଏବଂ ଅଞ୍ଚଳର ଅର୍ଥ ହେଉଛି ପର୍ବତ। ପୌରାଣିକ ମାନ୍ୟତା ଅନୁଯାୟୀ ଏହି ସ୍ଥାନଟି ପୂର୍ବରୁ ଏକ ନୀଳ ରଙ୍ଗର ସ୍ୱଳ୍ପ ଉଚ୍ଚ ସମ୍ପନ୍ନ ପାହାଡ଼ଟିଏ ଥିଲା । ଯେଉଁଠି ଭଗବାନ ବିଷ୍ଣୁ ‘ନୀଳମାଧବ’ ରୂପରେ ପୂଜା ପାଉଥିଲେ । ସେଥିପାଇଁ ଜଗନ୍ନାଥଙ୍କୁ “ନୀଳାଚଳନାଥ” ବା ‘ନୀଳାଦ୍ରିନାଥ’ କୁହାଯାଏ । ଅପରପକ୍ଷରେ ଯଦି ନୀଳ ଓ ଅଚଳ ଶବ୍ଦର ବିତ୍ପତି କରାଯାଏ ତେବେ ଏହାର ଯଥାର୍ଥତା ବୁଝି ପାରିବା। ଏହି ନୀଳ ଶବ୍ଦର ଅନେକ ଗୁଡ଼ିଏ ବିତ୍ପତି ରହିଛି; ସେଥିମଧ୍ୟରୁ ଗୋଟିଏ ହେଉଛି: ନିଲୀୟନ୍ତେ ବର୍ଣ୍ଣାଃ ଅସ୍କିନ୍ ଇତି ନୀଳଃ। ଅର୍ଥାତ୍ ଯେଉଁ ରଙ୍ଗରେ ସମସ୍ତ ରଙ୍ଗ ମିଶିଗଲେ ବା ଲୀନ ହୋଇଗଲେ, ନିଜ ନିଜର ବର୍ଣ୍ଣ ସ୍ୱତନ୍ତ୍ରତା ହରାଇ ଗୋଟିଏ ହିଁ ନୀଳ ରଙ୍ଗରେ ରୂପାନ୍ତରିତ ହୋଇଥାନ୍ତି । ଯଦି ଏହାର ତାତ୍ତ୍ୱିକ ଅର୍ଥ ଦେଖାଯାଏ ତେବେ, ମହାପ୍ରଭୁ ସମସ୍ତ ଉଚ୍ଚ – ନୀଚ, ଧନୀ – ଦରିଦ୍ର, ଜାତି – ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସଭିଙ୍କୁ ଆପଣେଇ ନେଇ ଅହେତୁକ କୃପା କରିଥାନ୍ତି। ଉକ୍ତ ସ୍ଥାନରେ ସବୁ ସମ୍ପ୍ରଦାୟର ବ୍ୟକ୍ତି ଵିଶେଷ ଏକ ଚେତନାରେ ଏକାକାର ହୋଇ ନିଜର ଅସ୍ତିତ୍ୱକୁ ହରାଇ ଥାନ୍ତି। ସେଭଳି ଅଚଳର ବିତ୍ପତି: ନ ଚଳତି ଇତି ଅଚଳଃ। ଅର୍ଥାତ୍ ଯେଉଁ ପଦାର୍ଥର ଗମନ ବା ପରିବର୍ତ୍ତନ ନଥାଏ। ଯେ ଶାଶ୍ୱତ, ଅପରିବର୍ତ୍ତନୀୟ ଓ ସତ୍ ସ୍ଵରୂପର ନିଦର୍ଶନ। ତେଣୁ ଏହି ସତ୍ୟକୁ ଶାସ୍ତ୍ରରେ କୁହାଯାଇଛି ଯେ “ତ୍ରିକାଳାବାଧ ରହିତମ୍ ସତ୍ୟମ୍”। ଅତଃ ଦାରୁବ୍ରହ୍ମଙ୍କୁ “ନିତ୍ୟଃ ସର୍ବଗତଃ ସ୍ଥାଣୁଃ ଅଚୋଳଽୟଂ ସନାତନଃ” ବୋଲି କୁହାଯାଏ। ସେ’ପରି ଆମ ଓଡ଼ିଆରେ ଏକ ପ୍ରବାଦ ରହିଛି ଜଗନ୍ନାଥ “ଅଚଳ ମହାମେରୁ”। ଏହି ଅଚଳ ଭାବବିନୋଦିଆଙ୍କ ଭାବରେ ଯେବେ ଏ ଜୀବ ଥରେ ବୁଡ଼ିଯାଏ, ତେବେ ସେ ନିଜର ସତ୍ତାକୁ ହରାଇବସେ। ଏଣୁ ଏପରି ବିଶେଷ ମହତ୍ତ୍ଵ ଥିବାରୁ “ନୀଳଶ୍ଚାସୌ ଅଚଳଶ୍ଚେତି ନୀଳାଚଳଃ” ବୋଲି କୁହାଯାଇଛି।

ମହାପ୍ରଭୁଙ୍କ ନାମ ଓ ଧାମ (କ୍ଷେତ୍ର) ହେଉଛି ଶ୍ରୀପୁରୁଷୋତ୍ତମ । ଏହାର ଦୃଷ୍ଟାନ୍ତ କପିଳ ସଂହିତାରେ ଦେଖିବାକୁ ମିଳେ:

ସର୍ବେଷାଂ ସର୍ବ କ୍ଷେତ୍ରାଣାଂ ରାଜା ଶ୍ରୀପୁରୁଷୋତ୍ତମଃ ।
ସର୍ବେଷାଂ ସର୍ବ ଦେବାନାମ ରାଜା ଶ୍ରୀପୁରୁଷୋତ୍ତମଃ ।।

ଅର୍ଥାତ୍ ସମସ୍ତ ତୀର୍ଥକ୍ଷେତ୍ର ମାନଙ୍କ ମଧ୍ୟରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରକୁ ସର୍ବଶ୍ରେଷ୍ଠ ବୋଲି କୁହାଯାଇଛି ଏବଂ ସର୍ବ ଦେବାଦେବୀଙ୍କ ଭିତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀପୁରୁଷୋତ୍ତମ ରୂପରେ ମଧ୍ଯ ବର୍ଣ୍ଣନା କରାଯାଇଛି। ଶ୍ରୀପୁରୁଷୋତ୍ତମ ପଦଟି ତିନୋଟି ଶବ୍ଦକୁ ନେଇ ଗଠିତ, ଯଥା: ଶ୍ରୀ, ପୁରୁଷ ଓ ଉତ୍ତମ। ଶ୍ରୀ ଶବ୍ଦର ସଂସ୍କୃତ ବିତ୍ପତି “ଶ୍ରୟତୀତି”, ଅର୍ଥାତ୍ ଯେ ଶରଣ ଦିଏ ବା ଯାହାଙ୍କ ପାଖରେ ଲକ୍ଷ୍ମୀ, ଶୋଭା, ଆଭା,କୀର୍ତ୍ତି, ଐଶ୍ୱର୍ଯ୍ୟ, ମତି, ଵିଦ୍ୟା ଓ ବିଭୂତ୍ୟାଦି ପୂର୍ଣ୍ଣ ରୂପେ ରହିଅଛି । ତାଙ୍କୁ ଶ୍ରୀପତି ବୋଲି କୁହାଯାଏ। ସେଭଳି ପୂରୁଷର ବିତ୍ପତି “ପୂର୍ଷୁ ବସତି ଇତି ପୁରୁଷଃ”। ଏ ବିଷୟରେ ଶ୍ରୀମଦ୍ଭଗବଦ୍ ଗୀତା ଏବଂ ବୃହଦାରଣ୍ୟକ ଉପନିଷଦରେ କୁହାଯାଇଛି ଯେ, ସେହି ଏକ ପରମାତ୍ମା ସମସ୍ତ ପୁରି ଅର୍ଥାତ୍ ସବୁ ଜୀବଙ୍କ ଅନ୍ତରେ ସମଭାବେ ବାସ କରିଛନ୍ତି। ଅନ୍ୟ ଶେଷ ଶବ୍ଦଟି ହେଉଛି ଉତ୍ତମଃ: ଯେ ଅତିଶୟେନ ଉତ୍କୃଷ୍ଟଃ।

ଉପରୋକ୍ତ ଶ୍ରୀପୁରୁଷୋତ୍ତମ ନାମର ବିତ୍ପତିରୁ ଜଣାଯାଏ ଯେ, ମହାପ୍ରଭୁ ହେଉଛନ୍ତି ପୂର୍ଣ୍ଣ ପରଂବ୍ରହ୍ମ । ସେ ସର୍ବ ଶକ୍ତିମାନ ତଥା ସେବ୍ୟ, ପୂଜନୀୟ ଏବଂ ଭଜନୀୟ । କିନ୍ତୁ ଏ ଜୀବ ହେଉଛି ସେଵକ। ଯେ ତାଙ୍କୁ ପୂଜା, ସେବା ଓ ଭଜନ ମଧ୍ୟ କରିଥାଏ। କାରଣ ସେ ହେଉଛନ୍ତି ଈଶ୍ୱର ଏବଂ ମଣିଷ ନଶ୍ଵର ତଥା ଅଣୁଚିତ୍ତ, ଅଳ୍ପଜ୍ଞ ଏବଂ ମାୟାର ଅଧୀନ। କିନ୍ତୁ ମହାପ୍ରଭୁ ବିଭୁଚିତ୍ତ ତଥା ସର୍ବଜ୍ଞ ଓ ମାୟାଧୀଶ। ଯେ ଶକ୍ତି ସ୍ୱରୂପା ମା’ ଜଗତଜନନୀ ଶ୍ରୀ (ମାୟା) ଙ୍କୁ ଅଭିନ୍ନ ରୂପେ ଧାରଣ କରିଛନ୍ତି। ତେଣୁ ଜଗନ୍ନାଥଙ୍କୁ ଶ୍ରୀପୁରୁଷୋତ୍ତମ କୁହାଯାଏ । ଯିଏ ଧର୍ମ, ଅର୍ଥ, କାମ ଓ ମୋକ୍ଷାଦି ଚତୁବର୍ଗର ଫଳ ପ୍ରଦାନକାରୀ। ଏହି ମଣିମାଙ୍କୁ ଯେ’ ଯାହା ମାଗୁଣି କରେ ତାକୁ ତାହା ଦେଇଥାନ୍ତି। ତେଣୁ ବ୍ରହ୍ମପୁରାଣରେ କୁହା ଯାଇଛି:

ଆସ୍ତେ ତତ୍ର ସ୍ୱୟଂ ଦେବୋ ମୁକ୍ତିଦଃ ପୁରୁଷୋତ୍ତମଃ ।
ଧନ୍ୟାସ୍ତେ ବିବୁଧପ୍ରେକ୍ଷ୍ୟା ଯେ ବସତ୍ଯୁକୂଳେ ନରଃ ॥

ଏହାର ଅର୍ଥ ହେଉଛି: ପୁରୁଷୋତ୍ତମ ଧାମରେ ସାକ୍ଷାତ ନାରାୟଣ ‘ପୁରୁଷୋତ୍ତମ’ ରୂପରେ ବିରାଜମାନ କରିଛନ୍ତି। ତାଙ୍କୁ ‘ମୁକ୍ତିଦଃ’ ବୋଲି ମଧ୍ୟ କୁହାଯାଏ । ଏହି ପୁରୁଷୋତ୍ତମ ଧାମରେ ମନୁଷ୍ୟ ମୃତ୍ୟୁବରଣ କଲେ ବୈକୁଣ୍ଠର ପ୍ରାପ୍ତି ହୋଇଥାଏ ଏବଂ ଏ ଧାମର କୂଳରେ ଯେ ବାସ କରନ୍ତି, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି କୁହାଯାଏ। କାରଣ ଏହି ସ୍ଥାନର ବାୟୁରେ ମଧ୍ୟ ଭକ୍ତିର ସୁଗନ୍ଧ ଭରିରହିଛି। ଅତଃ ଏହି ଭୂମିରେ ବାସ କରିବା ଏବଂ ପ୍ରଭୁଙ୍କୁ ଦର୍ଶନ କରିବା ଅତ୍ୟନ୍ତ ସୌଭାଗ୍ୟର ବିଷୟ।

ନୀଳାଚନାଥ ଶ୍ରୀପୁରୁଷୋତ୍ତମ କେବଳ କାଠର ଏକ ମୂର୍ତ୍ତି ନୁହନ୍ତି, ବରଂ ସେ ହେଉଛନ୍ତି କୋଟି କୋଟି ଭକ୍ତଙ୍କ ପ୍ରାଣର ସ୍ପନ୍ଦନ ଏବଂ ସମଗ୍ର ଓଡ଼ିଆ ଜାତିର ଅସ୍ମିତା । ତାଙ୍କର ବିଶାଳ ଗୋଲାକାର ଚକ୍ଷୁ ସାରା ସଂସ୍କୃତିକୁ ସମଦୃଷ୍ଟିରେ ଦେଖିବାର ଏବଂ ଦୁଇଟି ପ୍ରସାରିତ ହସ୍ତ ସମସ୍ତ ମାନବଜାତିକୁ ପ୍ରେମର ଆଲିଙ୍ଗନରେ ବାନ୍ଧିବାର ସୂଚନା ଦିଏ। ମହାପ୍ରଭୁଙ୍କର ଏହି ମହାନ ଉଦାର ଭାବକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବା ହିଁ ପ୍ରକୃତ ଜଗନ୍ନାଥ ଭକ୍ତି ଏବଂ ମାନବ ସେବାର ଉତ୍କୃଷ୍ଟ ନିଦର୍ଶନ। “ଜୟ ନୀଳାଚଳନାଥ ଶ୍ରୀପୁରୁଷୋତମ”।

ଦର୍ଶନ ଅଧ୍ୟାପକ
ଡଃ. ଘନଶ୍ୟାମ ମିଶ୍ର ସଂସ୍କୃତ ମହାବିଦ୍ୟାଳୟ ,
କବିସୂର୍ଯ୍ୟ ନଗର ।
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ