ଶିଳ୍ପ ପ୍ରତିଷ୍ଠା ନେଇ ଅନିଶ୍ଚିତତା : ଜିଲ୍ଲାରୁ ଆର୍ସେଲର ମିତ୍ତଲ ଅଫିସ ଉଠାଇନେବାକୁ ଷଡଯନ୍ତ୍ର

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଆର୍ସେଲର ମିତ୍ତଲ ଷ୍ଟିଲ କାରଖାନା ହେବା ନେଇ ଯେଉଁ ସ୍ୱପ୍ନ ରହିଥିଲା ତାହା ଏବେ ଧୂଳିସାତ ହୋଇଯିବାର ସମ୍ଭାବନା ସୃଷ୍ଟି କରିଛି। କାରଣ କେନ୍ଦ୍ରାପଡ଼ା ସହର ସନ୍ନିକଟ ଗୋପ ଛକରେ ଥିବା ଏହାର କାର୍ଯ୍ୟାଳୟକୁ ଉଠାଇ ନେବାକୁ ଷଡ଼ଯନ୍ତ୍ର ଚାଲିଛି। ଏହି କାର୍ଯ୍ୟାଳୟରେ ଯେଉଁ କର୍ମଚାରୀ ଓ ଅଧିକାରୀ ନିଯୁକ୍ତି ପାଇଥିଲେ ସେମାନଙ୍କୁ ଅପସାରଣ କରି ନିଆଯାଇଛି। ସେହିପରି କାର୍ଯ୍ୟାଳୟର ଆସବାବପତ୍ରକୁ ମଧ୍ୟ ସ୍ଥାନାନ୍ତର କରି ନିଆଯାଇଛି। ତେଣୁ କେନ୍ଦ୍ରାପଡ଼ାରେ ଶିଳ୍ପ କାରଖାନା ହେବା ନେଇ ଏବେ ଅନିଶ୍ଚିତତା ଲାଗି ରହିଛି। କେନ୍ଦ୍ରାପଡ଼ାର ଯୁବପିଢି ଦାଦନ ଖଟିବାକୁ ଯିବେ ନାହିଁ ବୋଲି ଯେଉଁ ସ୍ୱପ୍ନ ଦେଖିଥିଲେ ସେମାନଙ୍କ ସ୍ୱପ୍ନ ଦିନକୁ ଦିନ ଧୂଳିସାତ ହେବାରେ ଲାଗିଛି। କାରଣ ଏହି କାରଖାନା ହୋଇଥିଲେ ଏଥିରେ ୫ ହଜାରରୁ ଅଧିକ ଯୁବକ ଯୁବତୀ କର୍ମ ନିଯୁକ୍ତି ପାଇଥାନ୍ତେ। ସେହିପରି ଏହି କାରଖାନା ହୋଇଥିଲେ ଏହାର ଆଖାପାଖରେ ଏକାଧିକ ଛୋଟ ଛୋଟ କାରଖାନା ଗଢି ଉଠିଥାନ୍ତା। ଯେଉଁ କାରଖାନା ଗୁଡିକ ମୁଖ୍ୟ କାରଖାନାକୁ ବିଭିନ୍ନ ବାଟରେ ସହଯୋଗ କରିଥାନ୍ତା। ମୁଖ୍ୟ କାରଖାନାରେ ୫ ହଜାରରୁ ଅଧିକ ଯୁବକ ଯୁବତୀ ଚାକିରୀ ପାଇବା ସହ ଆଖାପାଖରେ ଯେଉଁ କାରଖାନା ଗୁଡିକ ହୋଇଥାନ୍ତା ସେଗୁଡିକରେ ମଧ୍ୟ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାନ୍ତା। ହେଲେ କାରଖାନା ନିର୍ମାଣରେ ଅହେତୁକ ବିଳମ୍ବ ହେଉଥିବାରୁ ବୁଦ୍ଧିଜୀବୀଙ୍କୁ ଏହା ଆନ୍ଦୋଳିତ କରିଛି। ଶିଳ୍ପ କାରଖାନା ହେଲେ ଜିଲ୍ଲା ବିକାଶରେ ଅନ୍ତରାୟ ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ବରିଷ୍ଠ ଆଇନ୍‌ଜୀବୀ ବିଧୁଭୂଷଣ ମହାପାତ୍ର ଓ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଗିରିଶ ଚନ୍ଦ୍ର ପାତ୍ର କହିଛନ୍ତି ଯେଉଁ ଜିଲ୍ଲାରେ ଶିଳ୍ପ କାରଖାନା ନାହିଁ ସେ ଜିଲ୍ଲା ବିକାଶ କରିପାରିବ ନାହିଁ। କାରଣ ଶିଳ୍ପ କାରଖାନା ବହୁତ ନିଯୁକ୍ତି ସୃଷ୍ଟି ହୋଇଥାଏ। ଏଥିସହ ଯେଉଁ ଜିଲ୍ଲାରେ ଶିଳ୍ପ କାରଖାନା ହୋଇଥାଏ ସେ ଜିଲ୍ଲାର ଅର୍ଥନୀତି ସୁଦୃଢ ହୋଇଥାଏ। କାରଣ ଶିଳ୍ପ କାରଖାନା ହେବା ଦ୍ୱାରା ଜିଲ୍ଲାକୁ ବାହାର ଜିଲ୍ଲା ଓ ରାଜ୍ୟର ବ୍ୟବସାୟିକ କାରବାର ବୃଦ୍ଧି ପାଇଥାଏ। ଫଳରେ ଏଠାରେ ହୋଟେଲ ଶିଳ୍ପର ବିକାଶ ହୋଇଥାଏ। ଏହାଦ୍ୱାରା ଅନେକ ଯୁବକ ହୋଟେଲ କରି ଆତ୍ମନିର୍ଭରଶିଳ ହୋଇପାରନ୍ତି। ସେହିପରି ହୋଟେଲରେ ଯୁବକ ଯୁବତୀମାନେ କର୍ମନିଯୁକ୍ତି ମଧ୍ୟ ପାଇ ପାରିବେ। ଏହାଦ୍ୱାରା ବେକାରୀ ସଂଖ୍ୟା ହ୍ରାସ ପାଇ ପାରିବ। ତେଣୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପ କାରଖାନା ପ୍ରତିଷ୍ଠା ହେବା ଜରୁରୀ। ଆର୍ସେଲର ମିତ୍ତଲ ଏଠାରେ ଶିଳ୍ପ କାରଖାନା କରିବା ନେଇ ଯେଉଁ ପଦକ୍ଷେପ ନେଇଥିଲା ତାହାକୁ ତ୍ୱରାନ୍ୱିତ କରାଯିବା ଉଚିତ। କାରଖାନା ଶୀଘ୍ର ନିର୍ମାଣ ହେଲେ ଜିଲ୍ଲାର ଦୃତ ବିକାଶ ହୋଇପାରିବ। ସେହିପରି ବୁଦ୍ଧିଜୀବୀ ଓ ପରିବେଶବିତ ଚିତ୍ତରଞ୍ଜନ ଦାସ କହିଛନ୍ତି ଆର୍ସେଲର ମିତ୍ତଲ ଆମ ଜିଲ୍ଲାରେ ହେବ ବୋଲି ଯେଉଁ ସମୟରେ ବୁଝାମଣାପତ୍ର ହୋଇଥିଲା ଓ ରାଜ୍ୟ ସରକାର ଏଥିରେ ସ୍ୱାକ୍ଷର କରିଥିଲେ ସେତେବେଳେ ଜିଲ୍ଲାର ଯୁବକଯୁବତୀମାନେ ନୂଆ ସ୍ୱପ୍ନ ଦେଖିଥିଲେ। ସେମାନେ ଭବିଷ୍ୟତରେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବେ ନାହିଁ ବୋଲି ଆଶା ବାନ୍ଧିଥିଲେ। ହେଲେ ସେ ଆଶା ଏବେ ନିରାଶାରେ ପରିଣତ ହୋଇଛି। କାରଣ ଏହାର କାର୍ଯ୍ୟାଳୟ କେନ୍ଦ୍ରାପଡ଼ାରୁ ଉଠିଯିବାକୁ ଷଡ଼ଯନ୍ତ୍ର ହୋଇଛି। ଏହାସହ ବୁଝାମଣାପତ୍ର ସ୍ୱାକ୍ଷର ହେବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଇଟାଟିଏ ଥୁଆ ହୋଇପାରିଲା ନାହିଁ। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ବିଜେପି ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଏ ଦିଗରେ ପଦକ୍ଷେପ ଗ୍ରହଣ କରି କାରଖାନା କିପରି ତୁରନ୍ତ ପ୍ରତିଷ୍ଠା ହେବ ସେ ନେଇ ପଦକ୍ଷେପ ଗ୍ରହଣ କରନ୍ତୁ। ସରକାର ଜିଲ୍ଲା ତଥା ରାଜ୍ୟର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଏଠାରେ ଯେପରି ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେଥିପ୍ରତି ତ୍ୱରିତ ପଦକ୍ଷେପ ଗ୍ରହଣ କରନ୍ତୁ। ସୂଚନାଥାଉକି ୨୦୨୧ ମସିହା ମାର୍ଚ୍ଚ ୪ ତାରିଖରେ ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା। ଏଥିରେ ୫୦ ହଜାର କୋଟି ଟଙ୍କା ବିନିଯୋଗ ହେବ ବୋଲି ବୁଝାମଣାପତ୍ରରେ ଉଲ୍ଲେଖ କରାଯାଇଥିଲା। ସେହିପରି ଏହି ପ୍ଲାଣ୍ଟ କାର୍ଯ୍ୟକାରୀ ହୋଇଥିଲେ ବର୍ଷକୁ ୧୨ ମିଲିୟନ ଟନ ଷ୍ଟିଲ ଉତ୍ପାଦନ କରାଯିବା ପାଇଁ ଲକ୍ଷ୍ୟ ରହିଥିଲା। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଲେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରେ ମିତ୍ତଲ ଷ୍ଟିଲ କାରଖାନା ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ଜମି ଅଧିଗ୍ରହଣ ପ୍ରକ୍ରିୟା ଏକ ବିଳମ୍ବିତ ପ୍ରକ୍ରିୟା। ତେଣୁ କାରଖାନା ନିର୍ମାଣ ପାଇଁ ବିଳମ୍ବ ହେଉଛି। ଏଥିପାଇଁ ଜିଲ୍ଲାବାସୀ ବିଚଳିତ ହୁଅନ୍ତୁ ନାହିଁ। ଏହା ନିଶ୍ଚିତ ଭାବେ ଜିଲ୍ଲାରେ ପ୍ରତିଷ୍ଠା ହେବ ଓ ଜିଲ୍ଲାର ଯୁବପିଢି ନିଯୁକ୍ତି ପାଇବେ। ପ୍ରଶାସନ ପକ୍ଷରୁ ଯେଉଁ ସବୁ ପ୍ରକ୍ରିୟା କରାଯିବା କଥା ତାହା ଚାଲିଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ