ରଜରେ ଆମିଷ ବଜାରରେ ଭିଡ଼ : ମଟନ-ଚିକେନ-କଙ୍କଡା ଦର ଆକାଶଛୁଆଁ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ରଜ ପର୍ବ ଧୁମଧାମରେ ପାଳିତ ହୋଇଯାଇଛି। ମୁଖ୍ୟ ବଜାର ସମେତ ବ୍ଲକର ୧୫ଗୋଟି ପଞ୍ଚାୟତର ସମସ୍ତ ଗ୍ରାମାଞ୍ଚଳରେ ଆମିଷ ମାର୍କେଟ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚଳଚଞ୍ଚଳ ରହିଥିଲା । ପରିବାର, ସାଙ୍ଗସାଥୀଙ୍କ ସହ ଖୁସି ବାଣ୍ଟିବା ପାଇଁ ଲୋକେ ବଜାର ମୁହାଁ ହୋଇଥିଲେ। ରବିବାର ଆମିଷ ବାର ହୋଇଥିବାରୁ ଭୋରରୁ ହିଁ ମଟନ, ଚିକେନ ଓ ମାଛ ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବଜାରରେ ଛେଳି ମାଂସ କିଲୋ ପିଛା ୭୫୦ ଟଙ୍କାରୁ ୮ଶହ ଟଙ୍କା, ଚିକେନ ୨୮୦ ଟଙ୍କାରୁ ୩ଶହ ଟଙ୍କାରେ ବିକ୍ରି ହେଉଥିଲା । ଦର ଅଧିକ ଥିଲେ ମଧ୍ୟ ପର୍ବ ପାଇଁ ଲୋକେ ବିନା ଦାମ କରି କିଣୁଥିବା ଦେଖାଯାଇଥିଲା । ସେହିପରି ବିଭିନ୍ନ ଭେରାଇଟିର ଲୁଣି ଓ ମଧୁର ଜଳର ମାଛ ମଧ୍ୟ ବଜାରରେ ଉପଲବ୍ଧ ଥିଲା। ରୋହି, ଭାକୁର, ଇଲିସି, ଖଇଂଗା,ଚିଙ୍ଗୁଡି, କଙ୍କଡା ଭଳି ମାଛ ପାଇଁ ମଧ୍ୟ ଗ୍ରାହକଙ୍କ ଆଗ୍ରହ ଅଧିକ ଥିଲା । ଦୋକାନୀଙ୍କ କହିବା ଅନୁସାରେ, ଶୁକ୍ରବାର ଠାରୁ ହିଁ ବ୍ୟବସାୟ ଜମିଥିଲା ଓ ରବିବାର ସର୍ବାଧିକ ବିକ୍ରି ହୋଇଛି। ରଜ ପର୍ବ ଓଡିଶାର ଗଣପର୍ବ। ଏହି ତିନି ଦିନରେ ଝିଅ-ବୋହୂ ମାନେ ନୂଆ ପୋଷାକ ପିନ୍ଧି ଦୋଳି ଖେଳିବା ସହ ଘରେ ପିଠାପଣା ପ୍ରସ୍ତୁତ କରନ୍ତି। ଆମିଷ ଭୋଜନ ବିନା ରଜ ପର୍ବ ଅଧୁରା। ତେଣୁ ପ୍ରତି ପରିବାରରେ ରବିବାର ସ୍ୱତନ୍ତ୍ର ଭୋଜିର ଆୟୋଜନ କରାଯାଇଥିଲା।


