ନିର୍ମାଣଧିନ ବିଦ୍ୟାଳୟ ପରିସରରୁ ଚୋରୀ, ଥାନାରେ ଏତଲା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ସମରଝୋଳ ଛକ ନିକଟରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ଲୁଟେରା ଗୋଷ୍ଠୀ ଗୃହ ନିର୍ମାଣ ସାମଗ୍ରୀ ଓ ପାଣି ଭୋଟର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣା ନେଇ ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶକ ଗିରିଧାରୀ ପାଢି ରବିବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ହିଞ୍ଜିଳି ଥାନା ସମରଝୋଳ ଛକ ନିକଟରେ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ବିଦ୍ୟାଳୟ ନିର୍ମାଣ ସକାଶେ ବିଦ୍ୟାଳୟ ପରିସରରେ ବାଲି, ଗୋଡି, ଇଟା, ଲୁହା ରଡ୍ ଓ ଏକ ପାଣି ମୋଟର ରହିଥିଲା। ଶନିବାର ବିଳମ୍ବିତ ରାତିରେ ଲୁଟେରା ଗୋଷ୍ଠୀ ସଂପୃକ୍ତ ସ୍ଥାନରୁ ୭/୮ ହାଇଓ୍ବା ବିଶିଷ୍ଟ ପରିମାଣର ବାଲି, ୨ଟି ହାଇଓ୍ବା ବିଶିଷ୍ଟ ପରିମାଣର ଗୋଡି ଓ ମାଟିପୋଡା ଇଟା, ୪ ହଜାର ୨ ଶହ କିଗ୍ରା ଓଜନର ଲୁହା ରଡ୍ ଓ ୧.୫ ଏଚପି ପାଣି ମୋଟର ଲୁଟ୍ କରି ଫେରାର ହୋଇଯାଇଛନ୍ତି। ରବିବାର ସକାଳେ ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶକ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ତଦାରଖ ସକାଶେ ଘଟଣା ସ୍ଥଳରେ ପହଞ୍ଚିବା ପରେ ନିର୍ମାଣଧିନ ସାମଗ୍ରୀ ଲୁଟ୍ ହୋଇଥିବା ଜାଣିପାରି ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ ମାମଲା ରୁଜୁ ହୋଇନଥିବା ଥାନା ସୂତ୍ରରୁ ପ୍ରକାଶ।


