ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ଆଗେଇ ଚାଲିଛି ସ୍ୱଚ୍ଛ ଓ ନିରପେକ୍ଷ ଭାବରେ

ଛତ୍ରପୁର (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ସ୍ୱଚ୍ଛ, ନିରପେକ୍ଷ ଓ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସୁଚାରୁରୂପେ ଚାଲିଛି। ସମସ୍ତ ବିଏଲଓଙ୍କୁ ଘରକୁ ଘର ଯାଇ ଯାଞ୍ଚ କରିବା ସହ ପୂର୍ବରୁ କୌଣସି କାରଣ ବଶତଃ ଅନ୍ତର୍ଭୁକ୍ତ ହୋଇପାରିନଥିବା ଯୋଗ୍ୟ ଭୋଟରମାନଙ୍କ ନାମ ପୁନଃ ଅନ୍ତର୍ଭୁକ୍ତି ପାଇଁ ଫର୍ମ–୬ ସଂଗ୍ରହ କରିବାକୁ ବିଏଲଓମାନଙ୍କୁ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲା ଏକ ଜନବହୁଳ ଜିଲ୍ଲା ହୋଇଥିବା ସତ୍ତ୍ୱେ ଜିଲ୍ଲାର ବିଏଲଓମାନଙ୍କ ନିଷ୍ଠାପର ଉଦ୍ୟମ ଫଳରେ ୨୦ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିଛି । ଜିଲ୍ଲାର ପ୍ରାୟ ଶତପ୍ରତିଶତ ଭୋଟରଙ୍କ ନିକଟରେ ପରିଗଣନା ଫର୍ମ ପହଞ୍ଚିସାରିଛି । ଜିଲ୍ଲାରେ ୨୪,୨୪,୯୯୦ଟି ଫର୍ମର ଡିଜିଟାଇଜେସନ ସରିସାରିଛି ଯାହା ୮୦.୮୪ ପ୍ରତିଶତ ଅଟେ । ସେହିପରି ୨୪,୨୪,୪୫୭ଟି ଫର୍ମ ବିଏଲଓମାନଙ୍କ ଦ୍ୱାରା ଯାଞ୍ଚ କରାଯାଇସାରିଛି , ଯାହା ୮୦.୮୨ ପ୍ରତିଶତ ଅଟେ । ଜିଲ୍ଲାର ୮ଜଣ  ବିଏଲଓ ଶତପ୍ରତିଶତ ଡିଜିଟାଇଜେସନ କରିସାରିଛନ୍ତି । ସେମାନଙ୍କ କାର୍ଯ୍ୟକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଉଚ୍ଚ ପ୍ରଶଂସା କରିଛନ୍ତି  । ଫର୍ମ ବଣ୍ଟନ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଡିଜିଟାଇଜେସନ ଏବଂ ଯାଞ୍ଚ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବା ପାଇଁ  ଜିଲ୍ଲା ନିର୍ବାଚନ ଅଧିକାରୀ ସମ୍ପୃକ୍ତ ସମସ୍ତଙ୍କୁ ଅନୁରୋଧ କରିଛନ୍ତି  । ଏହା ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ତରବରିଆ ଭାବରେ ନ କରି ସ୍ୱଚ୍ଛ, ନିରପେକ୍ଷ ଓ ନିର୍ଭୁଲ ଭାବରେ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଜନସାଧାରଣଙ୍କୁ ଅନୁରୋଧ, କୌଣସି ପ୍ରକାରର ଭ୍ରାନ୍ତିକର ସୂଚନାରେ ବିଭ୍ରାନ୍ତ ନହୋଇ ନିର୍ବାଚନ ସମ୍ପର୍କିତ ତଥ୍ୟ ପାଇଁ କେବଳ ଅଧିକୃତ ସୂଚନା ଉପରେ ଭରସା କରନ୍ତୁ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ