ସ୍ନାନ ବେଦିରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି
ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦର ତମାସା ଶ୍ରୀକ୍ଷେତ୍ର ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କରିଛନ୍ତି ଓଡ଼ିଆଙ୍କ ମଉଡ଼ମଣି ଶ୍ରୀଜିଉ । ସକାଳର ମହାପ୍ରଭୁଙ୍କ ନୀତି ଶେଷ ହେବାପରେ ଦଇତାପତି ସେବାୟତମାନେ ଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନମଣ୍ଡପକୁ ଆଣିଥିଲେ । ମଣ୍ଡପରେ ବିଜେ ହେବା ପରେ ଯଥାବିଧି ପୂଜାର୍ଚ୍ଚନା ମଧ୍ୟ କରାଯଇଥିଲା । ନିୟମ ଅନୁସାରେ ଠାକୁରଙ୍କ ପହଣ୍ଡି ବିଜେ ପରେ ମହାସ୍ନାନ କରାଯାଇଥାଏ । ତେବେ ଦଇତାପତିଙ୍କ ଦ୍ଵାରା ଏହିଜଳ ଅଣାଯାଇଥିଲା। ବିଭିନ୍ନ ସୁଗନ୍ଧିତ ସାମଗ୍ରୀ ଜଳରେ ମିଶାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ସୁବାସିତ ଜଳ , ପ୍ରଭୁ ବଳଭଦ୍ରଙ୍କୁ ୩୩ ଗରା ଏବଂ ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଏବଂ ଚକ୍ରରାଜ ପ୍ରଭୁ ଶ୍ରୀ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ଏହାପରେ ଚତୁର୍ଦ୍ଧା ମୁରତିଙ୍କୁ ଗଜାନନ ବେଶ କରାଯାଇଥିଲା । ଏହାପରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଆସି ରାଜା କାର୍ଯ୍ୟ ତୁଲାଇବା ସହିତ ପ୍ରଥମ ଦର୍ଶନ ଏବଂ ପ୍ରଥମ ଆଳତି କରିଥିଲେ । ଏହା ପରେ ଆଖ ପାଖ ଅଞ୍ଚଳରୁ ଆସିଥିବା ଭକ୍ତଙ୍କୁ ଚତୁର୍ଦ୍ଧା ମୂର୍ତ୍ତି ଗଜାନନ ବେଶରେ ଦର୍ଶନ ଦେଲେ । ଏହି ସ୍ନାନ ପୁର୍ଣିମା ଅବସରରେ ତମସା ଶ୍ରୀକ୍ଷେତ୍ର ଚାରିଟେବୁଲ୍ ଟ୍ରଷ୍ଟର ଟ୍ରଷ୍ଟି କିଶୋର ଚରଣ ମହାନ୍ତି ,ଶ୍ରୀନିବାସ ପଣ୍ଡାଙ୍କ ସମେତ ଟ୍ରଷ୍ଟି ଗୋବିନ୍ଦ ପାତ୍ର,ବିଦ୍ୟାଧର ପ୍ରଧାନ, ରାମକୃଷ୍ଣ ପଟ୍ଟନାୟକ,ଚିତ ରଞ୍ଜନ ପଣ୍ଡା,ପ୍ରଦୀପ କୁମାର ମହାରଣା, ହୃଷୀକେଶ ପଣ୍ଡା,ମିକନ ସାବତ ଏବଂ ବିଜୟ ନାୟକ, ତୁଲସୀ ତ୍ରିପାଠୀ,ଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩ସହରୁ ଉର୍ଦ୍ଧ ଜଗନ୍ନାଥ ଭକ୍ତ ଉପସ୍ଥିତ ରହିବା ସହିତ,ଗ୍ରାମର ପ୍ରାୟ ୩୦ରୁ ଅଧିକ ସେବାୟତ ଠାକୁରଙ୍କ ସେବାରେ ନିଷ୍ଠାପର ଭାବେ ସେବା କରିଥିଲେ । ଆସନ୍ତା କାଲିଠାରୁ ନେତ୍ର ଉତ୍ସବ ପର୍ଯ୍ୟନ୍ତ ଭକ୍ତ ମାନେ ଶ୍ରୀ ଅଲାର ନାଥଙ୍କୁ ଦର୍ଶନ କରିବାର ଵିଧି ରହିଅଛି।


