ସ୍ୱାଧୀନତା ସଂଗ୍ରାମୀ ନକୁଳ ଦାସଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ନେତାଜୀ ମଡେଲ ସ୍କୁଲ ପରିସରରେ ସଂଗ୍ରାମୀ ନକୁଳ ଚରଣ ଦାସଙ୍କ ସ୍ମୃତି କମିଟି ଆନୁକୂଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଭୂଦାନ କର୍ମୀ ନକୁଳ ଚରଣ ଦାସଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ପ୍ରଥମେ ସ୍କୁଲ ପରିସରରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ସଂଗ୍ରାମୀ ନକୁଳ ଚରଣ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଗାଳ୍ପିକା ଅବନ୍ତୀ ବେହେରା, ଯୁବନେତା ରାଜେଶ ପଣ୍ଡା, ସମାଜସେବୀ ରଣଧୀର ଜେନା, ଅବସରପ୍ରାପ୍ତ ଅଧିକାରୀ ଗଣେଶ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ କହିଲେ ସ୍ୱର୍ଗତ ଦାସ ଜଣେ ପ୍ରକୃତ ଲଢୁଆ ସଂଗ୍ରାମୀ ଥିଲେ । ସର୍ବୋଦୟ ଭୂଦାନ ଆନ୍ଦୋଳନରେ ସେ ନିଜକୁ ଉତ୍ସର୍ଗ କରିବା ସହିତ ଭାରତଛାଡ ଆନ୍ଦୋଳନରେ ଯୋଗଦେଇ ବହୁ ଦୁଃସାହସିକ କାର୍ଯ୍ୟ କରିଯାଇଛନ୍ତି । ସେ ଜଣେ ନିଷ୍ଠାପର ଗାନ୍ଧୀବାଦୀ ମଣିଷ ଥିଲେ। ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ଜିଲ୍ଲା ସଭାପତି ଭାବେ ସ୍ୱର୍ଗତ ଦାସ କାର୍ଯ୍ୟ କରି ୧୫୦ତମ ଗାନ୍ଧୀ ଜୟନ୍ତୀ କମିଟିର ସେ ଥିଲେ ମଙ୍ଗୁଆଳ। ବିପ୍ଳବୀ ନକୁଳ ଦାସ କେନ୍ଦ୍ରାପଡାର ବହୁମୁଖୀ ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ଥିଲେ ବୋଲି ଅତିଥିମାନେ କହିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆଜାଦହିନ୍ଦ ଟ୍ରଷ୍ଟର ଅବନୀ କୁମାର ଦାସ, ଅବିନାଶ ଦାସ, ବିଜୟ ଦାସ, ନେତାଜୀ ମଡେଲ ଏମଇ ସ୍କୁଲର ଶିକ୍ଷକ ମନ୍ଦରଧର ରଥ ଓ ରବୀନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ନେତାଜୀ ମଡେଲ ସ୍କୁଲର ଛାତ୍ରଛାତ୍ରୀମାନେ ଆବାହନୀ ସଂଗୀତ ଗାନ କରିଥିଲେ।


