୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭକୁ ପୁରିଲା ୩ ମାସ : ସମସ୍ତ ପାଠ୍ୟପୁସ୍ତକ ପାଇବାରୁ ବଞ୍ଚିତ ଓଏଭି ନବମ ଶ୍ରେଣୀର ବିଦ୍ୟାର୍ଥୀ !
ଆସିକା ତ (ୱାଇଏନ୍ଏସ୍): ନୂତନ ଶିକ୍ଷାବର୍ଷ ୨୦୨୬-୨୭ ଆରମ୍ଭକୁ ୩ ମାସ ବିତିଯାଇଥିଲେ ବି ଆସିକା ବ୍ଳକ ଅନ୍ତର୍ଗତ ନିମିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନରତ ଥିବା ପ୍ରାୟ ୭୯ ଜଣ ଛାତ୍ରଛାତ୍ରୀଙ୍କୁ ଏଯାବତ୍ ସମସ୍ତ ପାଠ୍ୟପୁସ୍ତକ ମିଳିପାରିନଥିବା ଜଣାପଡିଛି । ଯାହାରି ଫଳରେ ବହୁ ଛାତ୍ରଛାତ୍ରୀ ଓ ଅଧିକାଂଶ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଥିବା ଲକ୍ଷ୍ୟ କରାଯାଇଛି । ଚଳିତ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଜାତୀୟ ଶିକ୍ଷାଗତ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି) ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୁଆଁ ପାଠ୍ୟପୁସ୍ତକ ପ୍ରଚଳନ କରିଛି । ନିୟମ ଅନୁଯାୟୀ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ଅନୁବନ୍ଧିତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପିଲା ଏହି ନୁଆଁ ବହିରୁ ପାଠ ପଢିବେ । କିନ୍ତୁ ଏଯାବତ୍ ଓଏଭିରେ ଅଧ୍ୟୟନରତ ଥିବା ନବମ ଶ୍ରେଣୀର ବିଦ୍ୟାର୍ଥୀମାନେ ସମସ୍ତ ପାଠ୍ୟପୁସ୍ତକ ପାଇବାରୁ ବଞ୍ଚିତ ହୋଇଆସୁଥିବା ଜଣାପଡିଛି । ଯାହାରି ଫଳରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନ୍ରୁ ପାଠ ପଢାଉଥିବା ଜଣାପଡିଛି । ଚଳିତ ଶିକ୍ଷାବର୍ଷ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇସାରିଲାଣି । ନିୟମ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ପାଠ୍ୟପୁସ୍ତକ ଯୋଗାଇଦେବା କଥା । ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନରତ ଥିବା ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏଯାବତ୍ ସାମାଜିକ ବିଜ୍ଞାନ ଓ ଏମ୍ପେ୍ଳାୟବିଲିଟି ସ୍କିଲ୍ ଏବଂ ଡୋମାଷ୍ଟିକ ଡାଟା ଏଣ୍ଟ୍ରି ପୁସ୍ତକ ମିଳିପାରିନଥିବା ଜଣାପଡିଛି । ଚଳିତ ଶିକ୍ଷାବର୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ଜାତୀୟ ଶିକ୍ଷାଗତ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି) ପରିବର୍ତ୍ତନ କରିଛି । ତେବେ ବିଦ୍ୟାଳୟରେ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ପାଠ୍ୟପୁସ୍ତକ ପହଞ୍ଚିନଥିବାରୁ ଅନ୍ଲାଇନ୍ରେ ଉପଲବ୍ଧ ପିଡିଏଫ୍ରୁ ଶିକ୍ଷକମାନେ ପିଲାଙ୍କୁ ପାଠ ପଢାଉଥିବା ଜଣାପଡିଛି । ଓଏଭିରେ ଅଧ୍ୟୟନରତ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସାମାଜିକ ବିଜ୍ଞାନ ଓ ଏମ୍ପେ୍ଳାୟବିଲିଟି ସ୍କିଲ୍ ଏବଂ ଡୋମାଷ୍ଟିକ ଡାଟା ଏଣ୍ଟ୍ରି ପୁସ୍ତକ ପାଇବାରୁ ବଞ୍ଚିତ ସଂକ୍ରାନ୍ତରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ପାଠ୍ୟପୁସ୍ତକ ଆସିବା କ୍ଷଣି ଛାତ୍ରଛାତ୍ରୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ବଣ୍ଟନ ଦିଗରେ ପଦକ୍ଷେପ ନିଆଯିବ । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓଏଭିରେ ଅଧ୍ୟୟନରତ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଆବଶ୍ୟକ ହେଉଥିବା ସାମାଜିକ ବିଜ୍ଞାନ ଓ ଏମ୍ପେ୍ଳାୟବିଲିଟି ସ୍କିଲ୍ ଏବଂ ଡୋମାଷ୍ଟିକ ଡାଟା ଏଣ୍ଟ୍ରି ପୁସ୍ତକ ଗୁଡିକ ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ଆସିକା ଓକିଲ ସଂଘର କୋଷାଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ରାଘବ କୁମାର ନାହାକ ଅନୁରୋଧ କରିଛନ୍ତି ।


